ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସାଧାରଣ ବୀମା କମ୍ପାନିଗୁଡ଼ିକୁ ମାଲାମାଲ କରିଛି। ଗତ ୫ ବର୍ଷରେ ଏମାନେ ଉକ୍ତ ବୀମା ଯୋଜନାରୁ ପ୍ରାୟ ୪୦ ହଜାର କୋଟି ଟଙ୍କାର ଲାଭ ପାଇଛନ୍ତି। ୨୦୧୬-୧୭ରୁ ୨୦୨୧-୨୨ ଖରିଫ ଫସଲ ମଧ୍ୟରେ ଏହି ଫାଇଦା କମ୍ପାନିଙ୍କୁ ମିଳିଛି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ରାଜ୍ୟସଭାରେ ରଖିଥିବା ତଥ୍ୟରୁ ଜଣାପଡ଼ିଛି ଯେ ବୀମା କମ୍ପାନି ଗୁଡ଼ିକ କୃଷକଙ୍କୁ ଏହି ସମୟ ମଧ୍ୟରେ ୧,୧୯,୩୧୪ କୋଟି ଟଙ୍କାର କ୍ଷତିପୂରଣ ବାବଦ ଦାବି ପ୍ରଦାନ କରିଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ କମ୍ପାନି ଗୁଡ଼ିକ ପ୍ରିମିୟମ ବାବଦରେ ୧,୫୯,୧୩୨ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କୋଟି କୋଟି କୃଷକ ଲାଭବାନ ହୋଇଥିଲେ ମଧ୍ୟ ବୀମା କମ୍ପାନିଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ ଯୋଜନା ପାଲଟିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୧୮ଟି ସାଧାରଣ ବୀମା କମ୍ପାନି କେନ୍ଦ୍ର ସରକାରଙ୍କ ଦ୍ବାରା ପାନେଲରେ ରହିଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ କିଛି କମ୍ପାନି ଏକ ନିଲାମ ପ୍ରକ୍ରିୟାରେ ଉକ୍ତ ଯୋଜନା କାର୍ଯ୍ୟକାରୀ କରିବା ଅଧିକାର ପାଇଛନ୍ତି।
ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ଉକ୍ତ ଯୋଜନା ଆରମ୍ଭରୁ ୨୦୨୧-୨୨ ଖରିଫ ଫସଲ ମଧ୍ୟରେ କୃଷକମାନଙ୍କୁ ହେକ୍ଟର ପିଛା ୪୧୯୦ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। ପୂର୍ବ ଯୋଜନାକୁ ବନ୍ଦ କରାଯିବା ପରେ ୨୦୧୬ ଏପ୍ରିଲ ପହିଲାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ପ୍ରିମିୟମର କିଛି ଅଂଶ ଚାଷୀ ପ୍ରଦାନ କରୁଥିବାବେଳେ ଅନ୍ୟ ଅଂଶ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଦାନ କରିଥାନ୍ତି। ଉକ୍ତ ଯୋଜନାରେ ପଞ୍ଜାବ ଆରମ୍ଭରୁ ସାମିଲ ହୋଇ ନଥିବାବେଳେ ବିହାର, ପଶ୍ଚିମବଙ୍ଗ, ଗୁଜରାଟ, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ବିଭିନ୍ନ ବର୍ଷରେ ଉକ୍ତ ଯୋଜନାରୁ ବାହାରି ଯାଇଛନ୍ତି। ତେବେ ଚଳିତମାସରେ ଆନ୍ଧ୍ର ପ୍ରଦେଶ ପୁନର୍ବାର ଏହି ଯୋଜନାରେ ସାମିଲ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/farming.jpg)