ଗାଡିରେ ଚାବି ଲାଗିଥିବାବେଳେ ଚୋରି ହେଲେ ବି ଇନ୍ସ୍ୟୁରାନ୍ସ କମ୍ପାନି ଦେବେ ବୀମା ରାଶି

ନୂଆଦିଲ୍ଲୀ: ଗାଡିରେ ଚାବି ଲାଗିଥିବାବେଳେ ଚୋରି ହେଲେ ବି ଇନ୍ସ୍ୟୁରାନ୍ସ କମ୍ପାନି ଦେବେ ବୀମା ରାଶି | ଏକ ଗାଡି ଚୋରି ମାମଲାରେ ଆୟୋଗ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି। ରାଜ୍ୟ ଉପଭୋକ୍ତା ଆୟୋଗ କହିଛନ୍ତି ଯେ ଗାଡି ଭିତରେ ଚାବି ଛାଡିବା ହେଉଛି ମାଲିକଙ୍କ ଅବହେଳା, କିନ୍ତୁ ଏହାକୁ ଆଧାର କରି ବୀମା ସୁବିଧା ସମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇପାରିବ ନାହିଁ। ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ସଂଗୀତା ଡି ସେହଗାଲଙ୍କ ଖଣ୍ଡପୀଠ, ଜିଲ୍ଲା ଉପଭୋକ୍ତା ଫୋରମର ଆଦେଶକୁ ପରିବର୍ତ୍ତନ କରି କହିଛନ୍ତି ଯେ କାରରେ ଚାବି ଛାଡିବା କିମ୍ବା ଭୁଲିଯିବା ଏକ ଗମ୍ଭୀର ଉଲ୍ଲଙ୍ଘନ ନୁହେଁ, ଯେଉଁଥିପାଇଁ ବୀମାଭୁକ୍ତ ବ୍ୟକ୍ତିଙ୍କୁ ବୀମା ଦାବିରୁ ବଞ୍ଚିତ କରାଯିବ।

ଆୟୋଗରେ ଉପସ୍ଥାପିତ ମାମଲା ଅନୁଯାୟୀ ଦେଓଲିର ବାସିନ୍ଦା ଭୀମ ସିଂ ଜୁଲାଇ ୨୦୧୨ ରେ ୨୪ ଲକ୍ଷ ୪୩ ହଜାର ଟଙ୍କାରେ ଏକ ପାଜେରୋ ସ୍ପୋର୍ଟସ କାର କିଣିଥିଲେ। ସେ ଜୁଲାଇ ୬, ୨୦୧୫ରେ ରିଲାଏନ୍ସ ଜିଆଇସି ଲିମିଟେଡରୁ ଏକ ବର୍ଷ ପାଇଁ ତାଙ୍କ କାରକୁ ବୀମାଭୁକ୍ତ କରିଥିଲେ। କାରର ବୀମା ମୂଲ୍ୟ ୧୭ ଲକ୍ଷ ୯୯ ହଜାର ୯୭୫ ଟଙ୍କା ସ୍ଥିର କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ନଭେମ୍ବର ୨୦୧୫ ରାତିରେ ଅଭିଯୋଗକାରୀଙ୍କ ଗାଡି ଚୋରି ହୋଇଥିଲା। ସେ ବୀମା କମ୍ପାନି ସହିତ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ଏହି ଘଟଣାର ଅନୁସନ୍ଧାନ ପରେ ବୀମା କମ୍ପାନି ବୀମା ସୁବିଧା ଦେବାକୁ ମନା କରିଦେଇଥିଲା । ବୀମା କମ୍ପାନି କହିଥିଲା ଯେ କାରର ସେଣ୍ଟ୍ରାଲ ଲକିଂ ସିଷ୍ଟମ କାମ କରୁନଥିଲା ଏବଂ ଚାବିଟି ଡ୍ୟାସବୋର୍ଡରେ ମଧ୍ୟ ରଖାଯାଇଥିଲା | ଯାହା ଚୋରିର ମୂଳ କାରଣ ପାଲଟିଥିଲା । ବୀମା କମ୍ପାନି ଏହାକୁ ବୀମା ସର୍ତ୍ତର ଉଲ୍ଲଂଘନ ବୋଲି କହି ବୀମାଭୁକ୍ତ ଭୀମ ସିଂଙ୍କୁ ବୀମା ସୁବିଧା ଦେବାକୁ ମନା କରିଦେଇଥିଲା । ଏହା ବିରୋଧରେ ଭୀମ ସିଂ ଗ୍ରାହକ ଫୋରମରେ ଅଭିଯୋଗ କରିଥିଲେ। ଆଉ ଉପଭୋକ୍ତା ଆୟୋଗ ଅଭିଯୋଗକାରୀ ଗାଡି ମାଲିକଙ୍କୁ ବୀମା ମୂଲ୍ୟର ୫୦ ପ୍ରତିଶତ ଅର୍ଥାତ୍ ୮ ଲକ୍ଷ ୯୯ ହଜାର ୯୮୮ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର