ନୂଆଦିଲ୍ଲୀ : ସରକାରୀ ବୀମା କଂପାନିର ଘରୋଇକରଣ ଲାଗି ନିୟମରେ ଦରକାର ହେଉଥିବା ଆବଶ୍ୟକ ସଂଶୋଧନ କରାଯାଇଛି। ସାଧାରଣ ବୀମା ବ୍ୟବସାୟ (ଜାତୀୟକରଣ) ନିୟମ, ୧୯୭୨ରେ ଏନେଇ କରାଯାଇଥିବା ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି। ଏ ସମ୍ପର୍କିତ ବିଲ୍‌କୁ ସଂସଦରେ ଖୁବ୍‌ଶୀଘ୍ର ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।

Advertisment

ବୀମା କଂପାନିରେ ସରକାରଙ୍କ ଅଂଶଧନକୁ ୫୧% ତଳକୁ ହ୍ରାସ କରିବା ଓ କଂପାନିର ମାଲିକାନା ନିୟନ୍ତ୍ରଣ ଅନ୍ୟ ସଂସ୍ଥାକୁ ଦେବା ଲାଗି ନିୟମରେ ଯେଉଁ ସବୁ ସଂଶୋଧନ ଦରକାର ହେଉଥିଲା ତାହା କରାଯାଇଛି। ଫଳରେ ଆଗାମୀ ଦିନରେ ସରକାର ଚାହୁଥିବା କଂପାନିକୁ ଘରୋଇ ସଂସ୍ଥାକୁ ସହଜରେ ବିକ୍ରି କରିପାରିବେ। ଚଳିତ ଆର୍ଥିକ ବର୍ଷରେ ଗୋଟିଏ ବୀମା କଂପାନି ଓ ଦୁଇଟି ବ୍ୟାଙ୍କର ଘରୋଇକରଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବଜେଟ୍‌ରେ ଘୋଷଣା କରିଛନ୍ତି। ବର୍ତ୍ତମାନ ଦେଶରେ ଚାରିଟି ସରକାରୀ ସାଧାରଣ ବୀମା କଂପାନି ରହିଛି। ତାହା ହେଉଛି ନ୍ୟାସନାଲ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌, ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କଂପାନି ଲିମିଟେଡ୍‌, ଓରିଏଣ୍ଟାଲ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍ ଓ ୟୁନାଇଟେଡ୍‌ ଇଣ୍ଡିଆ ଇନସ୍ୟୁରାନ୍ସ କଂପାନି ଲିମିଟେଡ୍।

ପୁଞ୍ଜି ପ୍ରତ୍ୟାହାରକୁ ନେଇ ନିତି ଆୟୋଗ ଯେଉଁ ରିପୋର୍ଟ ସରକାରଙ୍କୁ ଦେଇଛି ସେଥିରେ ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସର ନାମ ଥିବା ଆଲୋଚନା ହେଉଛି। ଏହି ସଂସ୍ଥାର ନାମକୁ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବମାନଙ୍କ କୋର୍‌ ଗ୍ରୁପ୍ ନିକଟକୁ ପଠାଯାଇଛି। ଗତବର୍ଷ କେନ୍ଦ୍ର ସରକାର ତିନିଟି ସରକାରୀ ବୀମା କଂପାନିକୁ ଅତିରିକ୍ତ ପାଣ୍ଠି ଦେଇଥିଲେ। ନ୍ୟାସନାଲ୍ ଇନ୍‌ସ୍ୟୁରାନ୍ସକୁ ୭୫୦୦ କୋଟି ଟଙ୍କା, ୟୁନାଇଟେଡ୍ ଇଣ୍ଡିଆ ଇନ୍‌ସ୍ୟୁରାନ୍ସକୁ ୫୦୦୦ କୋଟି ଟଙ୍କା ଓ ଓରିଏଣ୍ଟାଲ୍ ଇନ୍‌ସ୍ୟୁରାନ୍ସକୁ ୫୦୦୦ କୋଟି ଟଙ୍କା ଦିଆଯାଇଥିଲା। ସଂପ୍ରତି ପ୍ରଚଳିତ ନିୟାମକ ବ୍ୟବସ୍ଥା ଅନୁସାରେ ଯେଉଁ ନିୟମ ରଖାଯାଇଛି ତାହା ପାଳନ କରିବା ଲାଗି ଏହି ପାଣ୍ଠି ଦରକାର ହେଉଥିଲା।

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାରରୁ ୧ ଲକ୍ଷ ୭୫ ହଜାର କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଦୁଇଟି ବ୍ୟାଙ୍କ ଓ ଗୋଟିଏ ବୀମା କଂପାନି ବ୍ୟତୀତ ଚଳିତ ବର୍ଷ ଏୟାର ଇଣ୍ଡିଆ ଓ ବିପିସିଏଲ୍‌କୁ ବିକ୍ରି କରିବା ଲାଗି ସରକାର ଉଦ୍ୟମ କରୁଛନ୍ତି। ଏହା ବ୍ୟତୀତ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)କୁ ମଧ୍ୟ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବାର ଯୋଜନା ରହିଛି। ସେଥିପାଇଁ କଂପାନିର ଇନ୍‌ସିଆଲ ପବ୍ଲିକ୍ ଅଫର (ଆଇପିଓ) ଜାରି କରାଯିବ। ଏହାକୁ ଏକ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ କରିବା ଉପରେ ସରକାର କାର୍ଯ୍ୟ କରୁଛନ୍ତି।