ଗାଡ଼ି କିଣାରେ ବୀମା ଖର୍ଚ୍ଚ ବାଧିବନି: ୩ ବର୍ଷିଆ, ୫ ବର୍ଷିଆ ‘ତୃତୀୟପକ୍ଷ ଓ ଓଡି ବୀମା’ ସର୍କୁଲାର ପ୍ରତ୍ୟାହୃତ

ଅଗଷ୍ଟରୁ ଲାଗୁ ହେବ

ନୂଆଦିଲ୍ଲୀ: ନୂଆ କାର୍‌ କିମ୍ବା ବାଇକ୍‌ କିଣିବା ବେଳେ ଗ୍ରାହକଙ୍କ ପାଇଁ ବୀମା ମୁଣ୍ଡବ୍ୟଥାର କାରଣ ସାଜିଥିଲା। ନୂଆ ଗାଡ଼ି ସହିତ ତିନି ବର୍ଷିଆ ଓ ପାଞ୍ଚ ବର୍ଷିଆ ଅବଧିର ତୃତୀୟପକ୍ଷ ବୀମା ଓ ଓନ୍‌ ଡ୍ୟାମେଜ୍ ବୀମା ପ୍ୟାକେଜ୍ କିଣିବା ଲାଗି ଗ୍ରାହକମାନେ ଏକପ୍ରକାର ବାଧ୍ୟ ହେଉଥିଲେ। କାରଣ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ବୀମା କଂପାନିଗୁଡ଼ିକ ନୂଆ ଗ୍ରାହକଙ୍କ ପାଇଁ ଏଭଳି ଦୀର୍ଘମିଆଦୀ ପ୍ୟାକେଜ୍ ଆଣିଥିଲେ। ଫଳରେ ଗାଡ଼ିଗୁଡ଼ିକର ଅନ୍‌ରୋଡ୍‌ ଦାମ୍ ବହୁତ ବଢ଼ିଯାଇଥିଲା। ଦୀର୍ଘମିଆଦୀ ବ୍ୟାପକ ମୋଟର ବୀମାକୁ ନେଇ ଯେଉଁ ସର୍କୁଲାର ଜାରି କରାଯାଇଥିଲା ତାହାକୁ ଆସନ୍ତା ଅଗଷ୍ଟରୁ ପ୍ରତ୍ୟାହାର କରିବାକୁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ) ନିଷ୍ପତ୍ତି ନେଇଛନ୍ତି।

୨୦୧୮ରେ ସୁପ୍ରିମକୋର୍ଟ ‌ଦେଇଥିବା ନିର୍ଦେଶକୁ ପାଳନ କରି ଆଇଆର୍‌ଡିଏଆଇ ପକ୍ଷରୁ ଗାଡ଼ି ବୀମା ବିକ୍ରି କରୁଥିବା କଂପାନିଗୁଡ଼ିକୁ ବିକଳ୍ପ ବୀମା ପ୍ୟାକେଜ୍ ଆଣିବାକୁ କୁହାଯାଇଥିଲା। ଉଭୟ ତୃତୀୟ ପକ୍ଷ ବୀମା (ଟିପି) ଓ ଓନ୍‌ ଡ୍ୟାମେଜ୍ (ଓଡି) ବୀମା ସୁବିଧା ଥିବା ତିନି ବର୍ଷିଆ ପ୍ୟାକେଜ୍ କିମ୍ବା ତିନି ଓ ପାଞ୍ଚ ବର୍ଷିଆ ଅବଧିର ଟିପି ବୀମା ସହିତ ବର୍ଷିକିଆ ଓଡି ବୀମା ପ୍ୟାକେଜ୍ ଆଣିବାକୁ ଜେନେରାଲ୍ ଇନ୍‌ସ୍ୟୁରାନ୍ସ କଂପାନିଗୁଡ଼ିକୁ କୁହାଯାଇଛି। ନୂଆ ଗାଡ଼ି କିଣୁଥିବା ଗ୍ରାହକମାନେ ଏହି ଦୁଇ ପ୍ରକାର ବିକଳ୍ପ ମଧ୍ୟରୁ ‌ଯେକୌଣସି ଗୋଟିଏକୁ ଚୟନ କରିବା ଲାଗି ଏକ ପ୍ରକାର ବାଧ୍ୟ ହେଉଥିଲେ। କାର୍‌ ପାଇଁ ତିନି ବର୍ଷିଆ ଟିପି ବୀମା ଓ ବାଇକ୍ ପାଇଁ ପାଞ୍ଚ ବର୍ଷିଆ ଟିପି ବୀମାକୁ ବାଧ୍ୟତାମୂଳକ କରାଯାଇଥିଲା। ଏସଂକ୍ରାନ୍ତୀୟ ସର୍କୁଲାର୍‌କୁ ଆଇଆର୍‌ଡିଏଆଇ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବାରୁ ଗାଡ଼ି କିଣୁଥିବା ଗ୍ରାହକଙ୍କୁ ବଡ଼ ଧରଣର ଆଶ୍ବସ୍ତି ମିଳିବ। ଆସନ୍ତା ଅଗଷ୍ଟ ପରଠାରୁ ଗାଡ଼ି ଗ୍ରାହକମାନେ ଦୀର୍ଘମିଆଦୀ ଟିପି ବୀମା କିଣିବେ ଏବଂ ପ୍ରତିବର୍ଷ ଓଡି ବୀମାର ନବୀକରଣ କରିବେ। କାର୍‌ ଗ୍ରାହକମାନେ କେବଳ ତିନି ବର୍ଷିଆ ଟିପି ବୀମା କିଣିପାରିବେ ଅନ୍ୟଥା ଏକ ବର୍ଷର ଓଡି ବୀମା ସୁବିଧା ଥିବା ତିନି ବର୍ଷିଆ ଟିପି ବୀମାର ପ୍ୟାକେଜ୍ ନେଇପାରିବେ।

ପୁରୁଣା ବ୍ୟବସ୍ଥାରେ ଗ୍ରାହକମାନଙ୍କୁ ତିନି ବର୍ଷ କିମ୍ବା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗୋଟିଏ ବୀମା କଂପାନି ପାଖରେ ବାନ୍ଧି ହୋଇରହିବାକୁ ପଡ଼ୁଥିଲା। ପ୍ରତିବର୍ଷ ମିଳୁଥିବା ନୋ-କ୍ଲେମ୍ ବୋନସ୍‌କୁ ମଧ୍ୟ ସେମାନେ ହରାଉଥିଲେ। ଗ୍ରାହକଙ୍କ ପାଇଁ ବୀମା ବହୁତ ମହଙ୍ଗା ହୋଇଯାଉଥିଲା। ଏହି ସବୁ ସମସ୍ୟା‌ ବିଚାରକୁ ନେଇ ଆଇଆର୍‌ଡିଏଆଇ ଏହାର ପୂର୍ବ ସର୍କୁଲାର୍‌କୁ ପ୍ରତ୍ୟାହାର କରିନେଇଛି। ଆକୋ ଜେନେରାଲ୍‌ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌ର ଉତ୍ପାଦ ରଣନୀତି ମୁଖ୍ୟ ଅନିମେଶ ଦାସ କହିଛନ୍ତି, ପାଞ୍ଚବର୍ଷିଆ+ପାଞ୍ଚବର୍ଷିଆ କିମ୍ବା ତିନି ବଶର୍ଷିଆ+ତିନିବର୍ଷିଆ ବୀମା ପ୍ୟାକେଜ୍ ଗ୍ରାହକଙ୍କ ପାଇଁ ମହଙ୍ଗା ହୋଇଯାଉଥିଲା। ଏକସଙ୍ଗେ ବୀମାରାଶି ଦେବା ସବୁ ଗାଡ଼ି ଗ୍ରାହକଙ୍କ ପକ୍ଷେ ସମ୍ଭବପର ହେଉନଥିଲା। ଗ୍ରାହକମାନେ କୌଣସି ବିକଳ୍ପ ଚୟନ କରିବା ପୂର୍ବରୁ ବହୁତ ଭାବୁଥିଲେ। କେତେକ କ୍ଷେତ୍ରରେ ଗ୍ରାହକଙ୍କୁ ଦୀର୍ଘମିଆଦୀ ବୀମା ପ୍ୟାକେଜ୍ କିଣିବାକୁ ବାଧ୍ୟ କରାଯାଉଥିଲା।

ସମ୍ବନ୍ଧିତ ଖବର