ବ୍ୟାଙ୍କ ଜମାର ବୀମା ସୁରକ୍ଷା ବଢ଼ିପାରେ

ନୂଆଦିଲ୍ଲୀ: ସରକାର ବ୍ୟାଙ୍କ ଜମାକାରୀଙ୍କୁ ସେମାନଙ୍କ ଜମା ଉପରେ ଅଧିକ ସୁରକ୍ଷା ପ୍ରଦାନ ଉପରେ ବିଚାର କରୁଛି। ଏବେ ଜମାକାରୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ବୀମା ସୁରକ୍ଷା ପ୍ରଦାନ କରାଯାଉଛି। କିନ୍ତୁ ପ୍ରସ୍ତାବିତ ଫାଇନାନ୍ସିଆଲ ରିଜୋଲ୍ୟୁସନ୍‌ ଆଣ୍ଡ ଡିପୋଜିଟ ଇନ୍‌ସ୍ୟୁରାନ୍ସ (ଏଫ୍‌ଆର୍‌ଡିଆଇ) ବିଲ୍‌କୁ ଚୂଡ଼ାନ୍ତ ରୂପ ଦେବା ସମୟରେ ଉକ୍ତ ରାଶିକୁ ବୃଦ୍ଧି କରାଯିବା ଯୋଜନା ରହିଛି ବୋଲି ଏକ ବିଶେଷ ସୂତ୍ରରୁ ଜଣାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଏବେ ବ୍ୟାଙ୍କ ଜମାକାରୀମାନଙ୍କୁ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେସନ୍‌ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ବୀମା ସୁବିଧା ଯୋଗାଇ ଦେଉଛି। ଫଳରେ ୧ ଲକ୍ଷ ଟଙ୍କାରୁ ଅଧିକ ଜମାରାଶି ଉପରେ ଜମାକର୍ତାଙ୍କୁ କୌଣସି ପ୍ରକାର ସୁରକ୍ଷା ଗ୍ୟାରେଣ୍ଟି ମିଳୁନାହିଁ। ଫାଇନାନ୍ସିଆଲ ରିଜୋଲ୍ୟୁସନ୍‌ ଆଣ୍ଡ ଡିପୋଜିଟ ଇନ୍‌ସ୍ୟୁରାନ୍ସ ବିଲ୍‌ରେ ଏ ନେଇ ମଧ୍ୟ କୌଣସି ବ୍ୟବସ୍ଥା ନଥିବାରୁ ଗତ କିଛିଦିନ ହେଲା ଉକ୍ତ ବିଲ୍‌କୁ ଦେଶରେ ପ୍ରବଳ ବିରୋଧ କରାଯାଉଛି। ଏପରିକି ଏହି ବିଲ୍‌ ବିରୋଧରେ ଅନ୍‌ଲାଇନ୍‌ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହି ଅଭିଯାନକୁ ଅନ୍‌ଲାଇନ୍‌ରେ ବିପୁଳ ସମର୍ଥନ ବି ମିଳୁଛି। ଏହି ବିଲ୍‌କୁ ଏବେ ବିଜେପି ଏମ୍‌ପି ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର