ବ୍ୟାଙ୍କ ଜମା ଉପରେ ବଢ଼ିବ ବୀମା

ନୂଆଦିଲ୍ଲୀ: ବ୍ୟାଙ୍କରେ ଲୋକମାନେ ଜମା ରଖୁଥିବା ରାଶିକୁ ଅଧିକ ନିରାପଦ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଏବେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ସରକାର ବୀମା ସୁବିଧା ପ୍ରଦାନ କରୁଥିବାବେଳେ ଆଗାମୀ ଦିନରେ ଏହି ରାଶିକୁ ବଢ଼ାଇବା ଯୋଜନା ରଖିଛନ୍ତି। ସେହିଭଳି ଏକାଧିକ ରାଜ୍ୟରେ ବ୍ୟବସାୟ କରୁଥିବା ସମବାୟ ବ୍ୟାଙ୍କ ଗୁଡ଼ିକୁ ନିୟନ୍ତ୍ରିତ କରିବାକୁ ମଧ୍ୟ ସରକାର ଯୋଜନା ରଖିଛନ୍ତି। ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ଶୀତ ଅଧିବେଶନରେ ଏ ନେଇ ବିଲ୍ ଆସିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି। ପଞ୍ଜାବ ଆଣ୍ଡ୍ ମହାରାଷ୍ଟ୍ର ସମବାୟ ବ୍ୟାଙ୍କର ଦୁର୍ନୀତି ଘଟଣା ପଦାକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଜାରି କରିଛି। ଲୋକମାନେ ଏଥିଯୋଗୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେ ଦୃଷ୍ଟିରୁ ସଂସଦରେ ଆସିବାକୁ ଥିବା ଏହି ବିଲ୍ ଦ୍ବୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେହେଉଛି। ଉଲ୍ଲେଖଯୋଗ୍ୟ, ବ୍ୟାଙ୍କରେ ଲୋକଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ଉପରେ ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ୍‌ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍‌ ଅଫ୍ ଇଣ୍ଡିଆ ବୀମା ସୁବିଧା ପ୍ରଦାନ କରୁଛି। ଅର୍ଥାତ୍ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ବୁଡ଼ିଗଲେ ଏହା ଫେରିପାଇବାର ସୁରକ୍ଷା ଜମାକାରୀଙ୍କୁ ମିଳୁଛି। କିନ୍ତୁ ଏହାଠାରୁ ଅଧିକ ରାଶି ବୁଡ଼ିଗଲେ ଜମାକାରୀମାନଙ୍କୁ କୌଣସି ସୁରକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା ନାହିଁ। ଏତଦବ୍ୟତୀତ ଜନକଲ୍ୟାଣ ମୂଳକ ଯୋଜନାର ଖର୍ଚ୍ଚକାଟ ହେବନାହିଁ। ବଜେଟ୍‌ରେ ବରାଦ ହୋଇଥିବା ସମସ୍ତ ଅର୍ଥକୁ ଖର୍ଚ୍ଚ କରିବା ପାଇଁ ବିଭାଗ ଗୁଡ଼ିକୁ ଉତ୍ସାହିତ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର