ସେୟାର ଭଳି ଡିମାଟ୍‌ ସ୍ବରୂପରେ ମିଳିବ ବୀମା ପଲିସି

ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର ସୁଦ୍ଧା ସବୁ ବୀମା ପଲିସିକୁ ଡିମାଟ୍‌ ସ୍ବରୂପରେ ଉପଲବ୍ଧ କରିବା ଲାଗି ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆରଡିଏଆଇ ପ୍ରସ୍ତାବ ଦେଇଛି। ଏହା ଦ୍ବାରା ବୀମା ପଲିସିର ଡିଜିଟାଲ୍‌କରଣ ସମ୍ଭବ ହେବ। ଡିମାଟ୍‌ର ଅର୍ଥ ହେଉଛି କାଗଜପତ୍ରର ପଲିସିକୁ ଡିଜିଟାଲ୍‌ ବା ଅନ୍‌ଲାଇନ ସ୍ବରୂପ ପ୍ରଦାନ କରିବା। ଏହା ଦ୍ବାରା ଡିଜିଟାଲ ମାଧ୍ୟମରେ ତାହାର କାରବାର ସହଜ ହୋଇଥାଏ। ସେୟାର ଓ ଷ୍ଟକ୍‌ଗୁଡ଼ିକ ପୂର୍ବରୁ କାଗଜପତ୍ର ଭାବେ ରହିଥିଲା। ସେଗୁଡ଼ିକୁ ଡିମାଟ୍‌ କରିବା ପରେ ଅନଲାଇନ୍‌ରେ ତାହାର କିଣାବିକା ସହଜ ହୋଇପାରୁଛି। ବୀମା ପଲିସିର ଡିମାଟ୍ ସ୍ବରୂପକୁ କିନ୍ତୁ କିଣାବିକା କରାଯାଇପାରିବ ନାହିଁ। ବୀମା ପଲିସିକୁ ଡିଜିଟାଲ୍‌ କରାଗଲେ ପଲିସିଧାରକମାନେ ନିଜର ବିଭିନ୍ନ ପଲିସିକୁ ଡିଜିଟାଲ୍‌ ମାଧ୍ୟମରେ ରଖିପାରିବେ। ଏଥିପାଇଁ ସେମାନଙ୍କୁ ଏକ ଇ-ବୀମା ଖାତା ଖୋଲିବାକୁ ପଡ଼ିବ। ସେହି ଖାତାରେ ସବୁ ପଲିସି ରଖାଯାଇପାରିବ।

କାଗଜପତ୍ର ଆକାରରେ ଥିବା ବୀମା ପଲିସିଗୁଡ଼ିକର ଡିଜିଟାଲ୍‌କରଣ ଲାଗି ବହୁ ଦିନରୁ ଆଇଆରଡିଏଆଇ ଉଦ୍ୟମ କରୁଛି। ମାତ୍ର ପରିଚାଳନା ସମସ୍ୟା କାରଣରୁ ତାହା ଆଗକୁ ବଢ଼ିପାରୁନଥିଲା। ମାତ୍ର ଏତେ ତାହା ଉପରେ ଆଇଆରଡିଏଆଇ ଅଧିକ ଗୁରୁତ୍ବ ଦେବା ଆରମ୍ଭ କରିଛି। ଆସନ୍ତା ନଭେମ୍ବର ୧ଠାରୁ ସବୁ ବୀମା ପଲିସି ପାଇଁ ଇ-କେୱାଇସି ବାଧ୍ୟତାମୂଳକ ହେବ। ଏହା ଦ୍ବାରା ପଲିସିକୁ ଡିଜିଟାଲ ରୂପ ପ୍ରଦାନ କରିବା ଆହୁରି ସହଜ ହୋଇପାରିବ। ବୀମା ପଲିସିର ବିକ୍ରି, ସେବା ଓ ଦାବି ଉପସ୍ଥାପନ ପାଇଁ ଏକ ସ୍ବତନ୍ତ୍ର ଡିଜିଟାଲ୍ ପ୍ଲାଟଫର୍ମ ବିକାଶ କରିବା ବିଷୟରେ ମଧ୍ୟ ଆଇଆରଡିଏଆଇ ବିଚାର କରୁଛି। ବୀମା ପଲିସି ଡିମାଟ୍ ସ୍ବରୂପରେ ଉପଲବ୍ଧ ହେଲେ ପଲିସିଧାରକମାନେ ନିଜର ସବୁ ପ୍ରକାର ପଲିସି ଯଥା ଜୀବନ ବୀମା, ଗାଡ଼ି ବୀମା, ସ୍ବାସ୍ଥ୍ୟ ବୀମା ପଲିସି ଆଦିକୁ ନିଜ ଇ-ବୀମା ଖାତାରେ ରଖିପାରିବେ।

ସମ୍ବନ୍ଧିତ ଖବର