ଭୁବନେଶ୍ବର: ସମାଜର ତଳସ୍ତରରେ ରହୁଥିବା ବ୍ୟକ୍ତିମାନଙ୍କର ନାନା ପ୍ରକାର ବୀମା ଆବଶ୍ୟକତା ରହିଛି। ସେମାନଙ୍କୁ ବୀମା ସୁବିଧା ଯୋଗାଇ ଦେଇ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପରିସରରେ ସାମିଲ କରାଯିବାର ଆବଶ୍ୟକତା ରହିଛି। ତେଣୁ ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନି ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନି (ୟୁଆଇଆଇସି) ରିଟେଲ ବୀମା ଉତ୍ପାଦ ବିକ୍ରି ଉପରେ ପ୍ରାଧାନ୍ୟ ଦେଉଛି। ନିକଟରେ କମ୍ପାନିର ସିଏମ୍ଡି ପଦରେ ଅବସ୍ଥାପିତ ସତ୍ୟଜିତ ତ୍ରିପାଠୀ ଆଜି ଭୁବନେଶ୍ବରଠାରେ ଏହି ସୂଚନା ଦେଇଛନ୍ତି। ଅଧିକରୁ ଅଧିକ ଲୋକଙ୍କୁ ସ୍ବାସ୍ଥ୍ୟ ବୀମା, ଫସଲ ବୀମା, ଗାଡ଼ି ବୀମା, ପ୍ରାଣୀଧନ ବୀମା ଓ ଅନ୍ୟାନ୍ୟ ବୀମା ଆଦି ସୁବିଧା କମ୍ପାନି ଯୋଗାଇ ଦେବ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବୀମା ସାନ୍ଦ୍ରତା କମ୍ ରହିଛି।
ଏହାକୁ ବଢ଼ାଇବା ପାଇଁ ହେଲେ ରିଟେଲ ବୀମା ସୁବିଧାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଓଡ଼ିଆ ଭାବେ ସାଧାରଣ ବୀମା କମ୍ପାନିର ସର୍ବୋଚ୍ଚ ପଦରେ ଅବସ୍ଥାପିତ ହେବାପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ତ୍ରିପାଠୀ କହିଛନ୍ତି, ୨୦୨୦-୨୧ରେ କମ୍ପାନି ୧୬୭୦୫ କୋଟି ଟଙ୍କାର ପ୍ରିମିୟମ ଆୟ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନି ଗତବର୍ଷ ତୁଳନାରେ ୭ରୁ ୮ ପ୍ରତିଶତ ଅଧିକ ବ୍ୟବସାୟ ହାସଲ ପାଇଁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ କମ୍ପାନି ଗତ ଆର୍ଥିକ ବର୍ଷରେ ବୀମା ଦାବି ବାବଦରେ ୧୬୦୦୦୦ କୋଟି ଟଙ୍କା ପ୍ରଦାନ କରିଛି। କମ୍ପାନିର ବୀମା ଦାବି ସମାଧାନ ଅନୁପାତ ପ୍ରାୟ ୯୨ ପ୍ରତିଶତ ରହିଛି। କମ୍ପାନିର ବୀମା ଦାବି ସମାଧାନ ସମୟ ପୂର୍ବରୁ ୨୦ ଦିନ ରହିଥିବାବେଳେ ଏହା ୧୭ ଦିନକୁ ହ୍ରାସ ପାଇପାରିଛି ବୋଲି ସେ କହିଛନ୍ତି। ଆଗାମୀ ଦିନରେ କମ୍ପାନି ମାଲେରିଆ ଭଳି କୀଟବାହିତ ରୋଗ ପାଇଁ ନୂଆ ବୀମା ଉତ୍ପାଦ ଆଣିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
ଏହି ଅବସରରେ କମ୍ପାନିର ମୁଖ୍ୟ ଆଞ୍ଚଳିକ ପ୍ରବନ୍ଧକ (ସିଆରଏମ୍) ମହାଦେବ ସେଠୀ କହିଥିଲେ, ରାଜ୍ୟରେ କମ୍ପାନି ୨୦୧୭-୧୮ ବର୍ଷରେ ପାଖାପାଖି ୨୭ ହଜାର ଚାଷୀଙ୍କୁ ଫସଲ ବୀମା ସୁବିଧା ଯୋଗାଇ ଦେଇଛି। ପାଖାପାଖି ୧୦ ହଜାର ଚାଷୀଙ୍କୁ ଫସଲ ବୀମା କ୍ଷତିପୂରଣ ବାବଦରେ ୩୭ କୋଟିରୁ ଅଧିକ ରାଶି ପ୍ରଦାନ କରାଯାଇଛି। ଏଥିସହିତ କମ୍ପାନି ଅନ୍ୟାନ୍ୟ ବୀମା କ୍ଷେତ୍ରରେ ହାସଲ କରିଥିବା ଅଗ୍ରଗତି ବିଷୟରେ ସେ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/54h65f4s654fhs65h465fsh465fhfhsh32f.jpg)