ବୀମା ପଲିସି ସର୍ତ୍ତ କଡ଼ାକଡ଼ି: କଂପାନି ମାଗୁଛନ୍ତି ମେଡିକାଲ୍‌ ରିପୋର୍ଟ, ଆୟ/ନିଯୁକ୍ତି ପ୍ରମାଣପତ୍ର, ସିବିଲ୍ ସ୍କୋର, ଶିକ୍ଷାଗତ ଯୋଗ୍ୟତା

ନୂଆଦିଲ୍ଲୀ: କରୋନା ମହାମାରୀ ଭଳି କଠିନ ସମୟରେ ଯେତେବେଳେ ଲୋକମାନଙ୍କ ବୀମା ସୁରକ୍ଷା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ସେଭଳି ଗମ୍ଭୀର ସମୟରେ ବୀମା କଂପାନିଗୁଡ଼ିକ ପଲିସି ସର୍ତ୍ତକୁ କଡ଼ାକଡ଼ି କରିବା ଆରମ୍ଭ କରିଛନ୍ତି। ଫଳରେ ସ୍ବାସ୍ଥ୍ୟ ବୀମା ଓ ଜୀବନ ବୀମା ପଲିସି କିଣିବା କଷ୍ଟକର ‌ହୋଇପଡ଼ିଲାଣି। ଏହି ଦୁଇଟି ବର୍ଗରେ ବୀମା ଆବେଦନ ପ୍ରତ୍ୟାଖ୍ୟାନ କରିବା ହାର ବୃଦ୍ଧି ପାଇଛି। ବୀମା କଂପାନିଗୁଡ଼ିକ ପଲିସି ସର୍ତ୍ତ କଡ଼ାକଡ଼ି କରିବାର ଏକ ପ୍ରମୁଖ କାରଣ ହେଉଛି କଡ଼ା ଅଣ୍ଡରରାଇଟିଂ ନିୟମ। ବର୍ତ୍ତମାନ ସମୟରେ ଅଧିକ ବୀମା ରାଶି ପ୍ରଦାନ କରିବା ଲାଗି ଭବିଷ୍ୟତର ପଲିସିରେ କରାଯାଉଥିବା ବ୍ୟବସ୍ଥା କଂପାନିଗୁଡ଼ିକ ଲାଗି ସମସ୍ୟାର କାରଣ ହୋଇଛି। ଭାରତ ଏଭଳି ଏକ ଦେଶ ଯେଉଁଠାରେ ଲୋକମାନେ ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ବେଳେ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମାନସିକ ସ୍ବାସ୍ଥ୍ୟ ଭଲ ନାହିଁ। ଅନେକ ଲୋକ ନିଯୁକ୍ତି ହରାଇ ବେକାର ହୋଇପଡ଼ିଥିବା ବେଳେ ସ୍ବାବଲମ୍ବୀ ଲୋକମାନଙ୍କ ଆୟ ସଙ୍କୁଚିତ ହୋଇଛି। ଅନେକ ଲୋକଙ୍କ କ୍ରେଡିଟ୍‌ ସ୍କୋର ନିମ୍ନ ସ୍ତରରେ ରହିଛି। ଏହି ସବୁ ବିଷୟ ବିଚାରକୁ ନେବା ପରେ ସ୍ବାସ୍ଥ୍ୟ ବୀମା କିମ୍ବା ଜୀବନ ବୀମା ପଲିସି ବିକିବା ବେଳେ ବୀମା କଂପାନିଗୁଡ଼ିକ ଗ୍ରାହକଙ୍କ ଠାରୁ ଅଧିକ ତଥ୍ୟ ମାଗୁଛନ୍ତି। ପୂର୍ବା‌ପେକ୍ଷା ସେମାନଙ୍କ ଅଧିକ ପରୀକ୍ଷା କରାଉଛନ୍ତି। ଫଳରେ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ହାର ବଢ଼ୁଛି।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଜୀବନ ବୀମା ଓ ସ୍ବାସ୍ଥ୍ୟ ବୀମା ପଲିସି ବିକ୍ରି କରୁଥିବା କଂପାନିଗୁଡ଼ିକ କେତେକ ବିଷୟକୁ ବାଧ୍ୟତାମୂଳକ କରିଛନ୍ତି। ସେଗୁଡ଼ିକ ହେଉଛି ପ୍ରତ୍ୟକ୍ଷ ମେଡିକାଲ୍‌ ପରୀକ୍ଷା ରିପୋର୍ଟ, ଆୟ/ନିଯୁକ୍ତି ପ୍ରମାଣପତ୍ର, ସିବିଲ୍ ସ୍କୋର୍‌ ଓ ଶିକ୍ଷାଗତ ଯୋଗ୍ୟତା। ପଲିସି ବିକିବା ବେଳେ ଗ୍ରାହକଙ୍କ ଠାରୁ ଏହି ସବୁ କାଗଜପତ୍ର ମଗାଯାଉଛି। କୌଣସି ଥିଲେ ବ୍ୟତିକ୍ରମ ଦେଖାଦେଲେ ବୀମା କଂପାନିଗୁଡ଼ିକ ଗ୍ରାହକଙ୍କ ଆବେଦନକୁ ଖାରଜ କରୁଛନ୍ତି। କେବଳ ନୂଆ ପଲିସି ନୁହେଁ ପୁରୁଣା ପଲିସିର ନବୀକରଣ ପାଇଁ ମଧ୍ୟ ନିୟମକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି। ଜଣେ ବିଶେଷଜ୍ଞଙ୍କ କହିବାନୁସାରେ ସ୍ବାବଲମ୍ବୀ, ଛାତ୍ରଛାତ୍ରୀ, ସମ୍ମୁଖ ଯୋଦ୍ଧା ଯେଉଁମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ଅଧିକ ଓ ଯେଉଁମାନେ ଦୁର୍ଘଟଣାଗ୍ରସ୍ତ ହେବାର ଅଧିକ ଆଶଙ୍କା ରହିଛି, ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ବ୍ୟକ୍ତି ଓ କଲେଜ ଡିଗ୍ରି ନଥିବା ବ୍ୟକ୍ତିଙ୍କ ବୀମା କିଣିବା ଆବେଦନ ଖାରଜ ହେବାର ଅଧିକ ସମ୍ଭାବନା ରହିଛି। ଇତି ମଧ୍ୟରେ ଅନେକ ବୀମା କଂପାନି ମିଆଦୀ ଜୀବନ ବୀମାର ପ୍ରିମିୟମ୍‌କୁ ୨୫-୩୦% ବଢ଼ାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର