ନୂଆଦିଲ୍ଲୀ: ସଂସଦର ଆସନ୍ତା ଶୀତ ଅଧିବେଶନରେ ବୀମା ସଂଶୋଧନ ବିଲ୍‌ ଆଗତ ହୋଇପାରେ। ପ୍ରସ୍ତାବିତ ବିଲ୍‌ରେ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫ୍‌ଡିଆଇ) ସୀମା ୧୦୦ ପ୍ରତିଶତକୁ ବୃଦ୍ଧି ବ୍ୟବସ୍ଥା ରହିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଆଭାସ ଦେଇଛନ୍ତି। ଚଳିତବର୍ଷ ବଜେଟ୍‌ ଭାଷଣରେ ଅର୍ଥମନ୍ତ୍ରୀ ବୀମାରେ ଏଫ୍‌ଡିଆଇ ସୀମା ବର୍ତ୍ତମାନର ୭୪ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯିବା ନେଇ ‌ଘୋଷଣା କରିଥିଲେ। ଏ ନେଇ ସେ ଏକ  ସର୍ତ୍ତ ରଖିଥିଲେ। ତାହା ହେଲା କମ୍ପାନିଗୁଡ଼ିକୁ ସେମାନଙ୍କ ସମସ୍ତ ପ୍ରିମିୟମ ରାଶିକୁ ଭାରତରେ ନିବେଶ କରିବାକୁ ପଡ଼ିବ। ସୂଚନା ଅନୁଯାୟୀ ଭାରତର ବୀମା କ୍ଷେତ୍ର ବର୍ତ୍ତମାନ ସୁଦ୍ଧା ୮୨ ହଜାର କୋଟି ଟଙ୍କାର ଏଫ୍‌ଡିଆଇ ଆକୃଷ୍ଟ କରିବାରେ ସମର୍ଥ ହୋଇଛି। ବୀମା ବିଲ୍‌ରେ ବୀମା ଆଇନ ୧୯୩୮, ଏଲ୍‌ଆଇସି ଆଇନ ୧୯୫୬ ଏବଂ ଆଇଆର୍‌ଡିଏଆଇ ଆଇନ ୧୯୯୯ରେ ସଂଶୋଧନ କରାଯିବ। ଏଲ୍‌ଆଇସି ଆଇନରେ ସଂଶୋଧନ ଆଣି ବୋର୍ଡକୁ ଅଧିକ ପରିଚାଳନା କ୍ଷମତା ଦିଆଯିବ। 

Advertisment

ଭାରତରେ ବର୍ତ୍ତମାନ ୨୫ଟି ଜୀବନ ବୀମା କମ୍ପାନି ଏବଂ ୩୪ଟି ସାଧାରଣ ବୀମା କମ୍ପାନି ସେବା ପ୍ରଦାନ କରୁଛନ୍ତି। ଅତୀତରେ ବୀମା କ୍ଷେତ୍ରରେ ଏଫ୍‌ଡିଆଇ ସୀମା ଏକାଧିକ ଥର ବୃଦ୍ଧି କରାଯାଇଛି। ୨୦୧୫ ମସିହାରେ ଏଫ୍‌ଡିଆଇ ସୀମାକୁ ୨୬ ପ୍ରତିଶତରୁ ୪୯ ପ୍ରତିଶତକୁ ବଢ଼ାଯାଇଥିଲା। ଏହାପରେ ୨୦୨୧ ମସିହାରେ ଏଫ୍‌ଡିଆଇ ସୀମା ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବଢ଼ାଯାଇଥିଲା। ୧୦୦ ପ୍ରତିଶତ ଏଫ୍‌ଡିଆଇ ଅନୁମତି ଦେବା ଦ୍ବାରା ଦେଶକୁ ଏ କ୍ଷେତ୍ରରେ ଅଧିକ ବିଦେଶୀ ପୁଞ୍ଜି ଆସିବ ବୋଲି ଆଶା ରଖାଯାଇଛି। ଏହାଦ୍ବାରା ବୀମା କ୍ଷେତ୍ରରେ ଅନେକ ନୂତନତ୍ବ ଆସିବ ଏବଂ ପଲିସିଧାରୀଙ୍କୁ ଉନ୍ନତମାନର ସେବା ମିଳିପାରିବ। ୨୦୪୭ ସୁଦ୍ଧା ସମସ୍ତଙ୍କୁ ବୀମା ପ୍ରଦାନ ନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି ସେ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି। ଅନ୍ୟପକ୍ଷରେ ବୀମା କ୍ଷେତ୍ରରେ ଏଫ୍‌ଡିଆଇ ସୀମାବୃଦ୍ଧିକୁ ବିଭିନ୍ନ ମହଲରେ ବିରୋଧ କରାଯାଇ ଆସୁଛି।