ଭୁବନେଶ୍ବର: ଗତ କିଛି ବର୍ଷ ମଧ୍ୟରେ ନିବେଶ ଦୃଶ୍ୟପଟ୍ଟରେ ଅନେକ ପରିବର୍ତ୍ତନ ଘଟିଛି। ଏଏମ୍ଏଫ୍ଆଇ ତଥ୍ୟ ଅନୁସାରେ ଚଳିତ ବର୍ଷ ଜୁନ୍ ସୁଦ୍ଧା ପାସିଭ୍ ଫଣ୍ଡ୍ରେ ପରିଚାଳନା ଅଧୀନ ସମ୍ପତ୍ତି (ଏୟୁଏମ୍) ୧୨ ଲକ୍ଷ ଟଙ୍କାରୁ ଅଧିକ ହୋଇଛି। ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପରେ ଏହାର ଭାଗ ୧୭ ପ୍ରତିଶତ ରହିଛି ବୋଲି ଆକ୍ସିସ୍ ଏଏମ୍ସିର ଇନ୍ଷ୍ଟିଚ୍ୟୁସନାଲ୍ ବିଜନେସ୍ ଆଣ୍ଡ୍ ପାସିଭ୍ର ମୁଖ୍ୟ ବନ୍ଦନା ତ୍ରିବେଦୀ ଜଣାଇଛନ୍ତି। ପୂର୍ବରୁ ଏକ ସହାୟକ ବର୍ଗ ଭାବେ ବିଚାର କରାଯାଉଥିବା ପାସିଭ୍ ନିବେଶ ଏବେ ନିବେଶକଙ୍କ ପୋର୍ଟଫୋଲିଓର ପ୍ରମୁଖ ଅଂଶ ପାଲଟିଛି। ଏହା ସରଳ, ସ୍ବଚ୍ଛ ଓ ଖର୍ଚ୍ଚ ଅନୁକୂଳ ହୋଇଥିବାରୁ ନୂଆ ପିଢ଼ିର ନିବେଶକଙ୍କ ମଧ୍ୟରେ ବେଶ୍ ଗ୍ରହଣୀୟ ହୋଇପାରିଛି। ୨୦୧୦ ବେଳକୁ ଇଟିଏଫ୍ ଓ ଇଣ୍ଡେକ୍ସ ଫଣ୍ଡ୍ ନିବେଶକଙ୍କ ଭିତରେ ଏତେଟା ପରିଚିତ ନଥିଲା। ଇଟିଏଫ୍ ଜରିଆରେ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବା ଓ ଇପିଏଫ୍ଓ ପକ୍ଷରୁ ଇଟିଏଫ୍ରେ ନିବେଶ କରିବା ନିଷ୍ପତ୍ତି ନିଆଯିବା ପରେ ଏହାର ଗ୍ରହଣୀୟତା ବଢ଼ିଥିଲା। ସେବି ମଧ୍ୟ ପାସିଭ୍ ନିବେଶକୁ ସରଳ କରିବା ଲାଗି ଗାଇଡ୍ଲାଇନ୍ ଆଣିଥିଲା। ଫଳରେ ମ୍ୟୁଚୁଆଲ୍ ଫଣ୍ଡ୍ କମ୍ପାନିଗୁଡ଼ିକ ବ୍ୟାପକ ପାସିଭ୍ ଫଣ୍ଡ୍ ଆଣିଥିଲେ। ଫିନ୍ଟେକ୍ କମ୍ପାନିଗୁଡ଼ିକ ତାହାକୁ ବିଭିନ୍ନ ସ୍ଥାନରେ ପହଞ୍ଚାଉଛନ୍ତି।
ପାସିଭ୍ ଫଣ୍ଡ୍ର ଅନ୍ୟତମ ଆକର୍ଷଣ ହେଉଛି ଏଥିରେ ଖର୍ଚ୍ଚ ଅନୁପାତ ଅନ୍ୟ ନିବେଶ ତୁଳନାରେ କମ୍। ଏହା ଦୀର୍ଘକାଳୀନ ଭିତ୍ତିରେ ଅଧିକ ରିଟର୍ଣ୍ଣ ମଧ୍ୟ ଦେଉଛି। ଏସ୍ଆଇପି ଜରିଆରେ ପାସିଭ୍ ଫଣ୍ଡ୍ରେ ନିବେଶ ସରଳ ହୋଇପାରିଛି। ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ମଧ୍ୟ ତାହା ବ୍ୟାପକ ଭାବେ ଗ୍ରହଣୀୟ ହୋଇଛି। ଅନ୍ତର୍ଜାତୀୟ ଇଟିଏଫ୍ରେ ମଧ୍ୟ ଭାରତୀୟ ନିବେଶକମାନେ ନିବେଶ କରିପାରୁଛନ୍ତି।