ବଢ଼ିଲା ସୁଧ, ବଢ଼ିବ ଇଏମ୍‌ଆଇ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ରେପୋ ହାରରେ ୦.୨୫% ବୃଦ୍ଧି ଘୋଷଣା କରିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପେଟେଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ମୁଦ୍ରାନୀତି କମିଟି ତିନି ଦିନ ମାନସ ମନ୍ଥନ କରିବା ପରେ ସୁଧ ହାର ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ, ଜୁନ୍‌ ମାସରେ ରେପୋ ହାର ୦.୨୫% ବଢ଼ିଥିଲା। ରିଭର୍ସ ରେପୋ ହାର ମଧ୍ୟ ୦.୨୫% ବଢ଼ିଛି। ଫଳରେ ରେପୋ ହାର ୬.୫୦% ଓ ରିଭର୍ସ ରେପୋ ହାର ୬.୨୫% ହୋଇଯାଇଛି। ରିଜର୍ଭ ବ୍ୟାଙ୍କ ସୁଧ ବଢ଼ାଇଥିବାରୁ ବ୍ୟାଙ୍କଗୁଡ଼ିକ ମଧ୍ୟ ନିଜ ଋଣ ସୁଧ ବଢ଼ାଇବା ଉପରେ ବିଚାର କରିବେ। ଗୃହ ଋଣ ଉପରେ ଇଏମ୍‌ଆଇ ବୋଝ ବଢ଼ିବ। ଉଦାହରଣ ସ୍ୱରୂପ, ଯଦି ଜଣେ ଗ୍ରାହକ ୩୦ ଲକ୍ଷ ଟଙ୍କାର ଗୃହ ଋଣକୁ ୮.୫% ସୁଧ ହାରରେ ୨୦ ବର୍ଷିଆ ଅବଧି ପାଇଁ ନେଇଥିବେ ତେବେ ତାଙ୍କର ଇଏମ୍‌ଆଇ ହେଉଛି ୨୬,୦୩୪ ଟଙ୍କା। ଯଦି ତାଙ୍କ ବ୍ୟାଙ୍କ ସୁଧ ହାରରେ ଆଉ ୦.୨୫% ବୃଦ୍ଧି କରିବେ ତେବେ ଇଏମ୍‌ଆଇ ପରିମାଣ ୨୬,୫୧୧ ଟଙ୍କା ହୋଇଯିବ। ଅର୍ଥାତ ତାଙ୍କ ଇଏମ୍‌ଆଇରେ ୪୪୭ ଟଙ୍କା ଭଳି ବୃଦ୍ଧି ହେବ। ତେବେ ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଡି) ରଖିଥିବା ଗ୍ରାହକମାନଙ୍କୁ ମଧ୍ୟ ଲାଭ ମିଳିବାର ବହୁତ ସମ୍ଭାବନା ରହିଛି। ବ୍ୟାଙ୍କଗୁଡ଼ିକ ଏଫ୍‌ଡି ସୁଧ ହାର ବଢ଼ାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର