ଶକ୍ତିକାନ୍ତଙ୍କ ସୁଧ ହ୍ରାସ ଉପହାର, ଲାଭ ପାଇଁ ଏବେ ବ୍ୟାଙ୍କ ନିଷ୍ପତ୍ତିକୁ ଅପେକ୍ଷା

ସପ୍ତାହକ ଭିତରେ ନିଷ୍ପତ୍ତି ନେବ ଷ୍ଟେଟ୍‌ ବ୍ୟାଙ୍କ, କମିପାରେ ଘର, ଗାଡ଼ି ଇଏମ୍‌ଆଇ

ମୁମ୍ବାଇ: ଦେଶର ଅଭିବୃଦ୍ଧି ବଢ଼ାଇବା ପାଇଁ ନିଜ ଦ୍ବାରା ଯାହା ସମ୍ଭବ ତାହା କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏବେ ସବୁ କିଛି ଇନ୍ଦ୍ର ଦେବଙ୍କ ଉପରେ ନିର୍ଭର କରୁଛି। ଯଦି ଭଲ ମୌସୁମୀ ବର୍ଷା ହେବ ତେବେ ଦେଶର ଅଭିବୃଦ୍ଧି ଦ୍ରୁତ ଗତିରେ ଆଗକୁ ବଢ଼ିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ରେପୋ ହାରରେ ୦.୨୫% ହ୍ରାସ କରାଯାଇଛି, ଯାହା ଫଳରେ ଏହି ସୁଧ ହାର ୯ ବର୍ଷର ସର୍ବନିମ୍ନ ସ୍ତର ୫.୭୫%କୁ ଖସିଯାଇଛି। ଏହା ଦ୍ବାରା ଦୁଇଟି ବଡ଼ ଲକ୍ଷ୍ୟ ପୂରଣ ହେବ ବୋଲି ଆଶା କରାଯାଉଛି। ପ୍ରଥମଟି ହେଉଛି ବ୍ୟାଙ୍କ ପାଖରେ ଅଧିକ ଟଙ୍କା ରହିବ ଯାହାକୁ ଋଣ ଆକାରରେ ଗ୍ରାହକଙ୍କୁ ପ୍ରଦାନ କରାଗଲେ ଅର୍ଥନୀତିର ଗତି ତ୍ବରାନ୍ବିତ ହେବ। ଫଳରେ ୫.୮% ଭଳି ସ୍ତରକୁ ଖସିଯାଇଥିବା ଦେଶର ଜିଡିପି ଅଭିବୃଦ୍ଧି ପୁଣି ଥରରେ ଦ୍ରୁତ ଗତିରେ ଆଗକୁ ବଢ଼ିବ। ଏହି ନିଷ୍ପତ୍ତିର ଦ୍ବିତୀୟ ଲାଭଟି ଋଣ ନେଇଥିବା ଗ୍ରାହକଙ୍କୁ ମିଳିବ। ବିଶେଷ କରି ଗାଡ଼ି, ଘର ଏବଂ ବ୍ୟକ୍ତିଗତ କାମ ପାଇଁ ଋଣ ନେଇଥିବା ଗ୍ରାହକଙ୍କ ଇଏମ୍‌ଆଇ ବା ମାସିକ କିସ୍ତି ବୋଝ କମିଯିବ।

ଅତୀତ‌ରେ ଗତ ଫେବ୍ରୁଆରି ଏବଂ ଏପ୍ରିଲ୍‌ରେ ମଧ୍ୟ ରେପୋ ହାରରେ ହ୍ରାସ ଘୋଷଣା କରାଯାଇଥିଲା। କିନ୍ତୁ ତାହାର ସମ୍ପୂର୍ଣ୍ଣ ଲାଭ ଗ୍ରାହକଙ୍କ ପାଖରେ ପହଞ୍ଚିନଥିଲା। ଏହାର ପ୍ରମୁଖ କାରଣ ହେଉଛି ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଲାଭ ପ୍ରଦାନ କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ଏଥରର ଲାଭ ପାଇବାକୁ ହେଲେ ଗ୍ରାହକମାନଙ୍କୁ ବ୍ୟାଙ୍କଗୁଡ଼ିକର ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିବ। ସୁଧ ହାରର ଲାଭ ଯେଭଳି ସମ୍ପୂର୍ଣ୍ଣ ରୂପେ ଗ୍ରାହକଙ୍କ ପାଖରେ ପହଞ୍ଚିବ ତାହାକୁ ନିଶ୍ଚିତ କରିବା ଉପରେ ରିଜର୍ଭ ବ୍ୟାଙ୍କ ଜୋର ଦେଉଛନ୍ତି। ଆଜି ମୁଦ୍ରାନୀତି ସମୀକ୍ଷା ବିଷୟରେ ଘୋଷଣା କରିବାକୁ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଶକ୍ତିକାନ୍ତ ଏନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୁଧ ହ୍ରାସର ଲାଭ ଶୀଘ୍ର ଗ୍ରାହକଙ୍କ ପାଖରେ ପହଞ୍ଚାଇବା ବ୍ୟବସ୍ଥା କରିବାକୁ ଶକ୍ତିକାନ୍ତ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ତେବେ ତାଙ୍କ କଥାକୁ ବ୍ୟାଙ୍କଗୁଡ଼ିକ କେତେ ଗୁରୁତ୍ବ ଦେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।

ପ୍ରଥମ ଥର ପାଇଁ ମୁଦ୍ରାନୀତି କମିଟିର ସମସ୍ତ ଛଅ ଜଣ ସଦସ୍ୟ ସୁଧ ହାର କମ୍ କରିବା ସପକ୍ଷରେ ଭୋଟ୍ ଦେଇଥିଲେ। ଦେଶର ଅଭିବୃଦ୍ଧିକୁ ବଳ ପ୍ରଦାନ କରିବା ଓ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ରଖିବା ହେଉଛି ଏହି ନିଷ୍ପତ୍ତିର ମୂଳ ଉଦ୍ଦେଶ୍ୟ। ଏଥରକୁ ମିଶାଇ ତିନି ଥରରେ ରେପୋ ହାର ୦.୭୫% ହ୍ରାସ ପାଇଛି। ଏହା ପୂର୍ବରୁ ଫେବ୍ରୁଆରି ଓ ଏପ୍ରିଲ୍‌ରେ ରେପୋ ହାର ‌ଦୁଇ ଥରରେ ୦.୫୦% କମିଥିଲା। ଏହା ସତ୍ତ୍ବେ ହାରାହାରି ଋଣ ସୁଧ ହାରରେ ମାତ୍ର ୦.୨୧% ହ୍ରାସ ପାଇଥିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି, ପୁରୁଣା ଋଣ ଉପରେ ସୁଧ ହାର ୦.୦୪% ବଢ଼ିଥିଲା। ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତିକୁ ନେଇ ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ, ୨୦୧୯-୨୦ରେ ଦେଶର ଜିଡିପି ଅଭିବୃଦ୍ଧି ୭.୨% ହେବ। ବର୍ଷର ପ୍ରଥମ ଛଅ ମାସରେ ଉପଭୋକ୍ତା ମୁ୍ରାସ୍ଫୀତି ହାର ୩-୩.୧% ଭିତରେ ରହିବ।

ସପ୍ତାହକ ଭିତରେ ନିଷ୍ପତ୍ତି ନେବ ଷ୍ଟେଟ୍‌ ବ୍ୟାଙ୍କ
ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ହ୍ରାସ ଘୋଷଣା କରିଥିବାରୁ ଦେଶର ସର୍ବବୃହତ ବ୍ୟାଙ୍କ-ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏହାର ଋଣ ସୁଧ ହାରର ସମୀକ୍ଷା କରିବ। ସପ୍ତାହକ ଭିତରେ ଋଣ ସୁଧ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଓଡ଼ିଶା ଗସ୍ତରେ ଆସିଥିବା ବ୍ୟାଙ୍କର ଏମ୍‌ଡି ପି କେ ଗୁପ୍ତା କହିଛନ୍ତି। ଆଜି ବ୍ୟାଙ୍କର ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ, ବ୍ୟାଙ୍କର ଏକ ସ୍ବତନ୍ତ୍ର କମିଟି ରହିଛି ଯାହା ସୁଧ ହାରର ସମୀକ୍ଷା କରିଥାଏ। ତାହା ହେଉଛି ଆସେଟ୍ ଲାଇବିଲିଟି କମିଟି (ଆଲ୍‌କୋ)। ଚଳିତ ସପ୍ତାହରେ କମିଟିର ବୈଠକ ବସିବ। ସେଥିରେ ସୁଧ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯିବ। ବାତ୍ୟା ଫନି ପରବର୍ତି ସ୍ଥିତିର ଅନୁଧ୍ୟାନ କରିବାକୁ ଓଡ଼ିଶା ଆସିଥିବା ଶ୍ରୀ ଗୁପ୍ତା ପୁରୀ ଓ ଭୁବନେଶ୍ବର ପରିଦର୍ଶନ କରିଥିଲେ। ବ୍ୟାଙ୍କର ସବୁ ଶାଖା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ସେ କହିଛନ୍ତି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ବର ମଣ୍ଡଳ ସିଜିଏମ୍ ପ୍ରବୀଣା କାଲା ଓ ବ୍ୟାଙ୍କର ମଣ୍ଡଳ ବିକାଶ ଅଧିକାରୀ ଏସ୍‌ ଟି ଲାମା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର