ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ପ୍ରକାଶ କରିଛନ୍ତି। ଏଥିରେ ରେପୋ ହାର(ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ କରିଥାଏ) କ୍ରମାଗତଭାବେ ୯ମ ଥର ପାଇଁ ଅପରିବର୍ତ୍ତିତ ରଖାଯାଇଛି। ରେପୋ ହାର ବର୍ତ୍ତମାନ ୬.୫ ପ୍ରତିଶତ ରହିଛି। ରେପୋ ହାରକୁ ଅପରିବର୍ତ୍ତିତ ରଖିବା ଲାଗି ମୁଦ୍ରା ନୀତି କମିଟିର ୪ ଜଣ ସଦସ୍ୟ ମତ ଦେଇଥିଲେ ମଧ୍ୟ ୨ ଜଣ ସଦସ୍ୟ ଏଥିରେ ପରିବର୍ତ୍ତନ ପାଇଁ କହିଥିଲେ। ସେମାନେ ହେଲେ ଅସୀମା ଗୋୟଲ ଏବଂ ଜୟନ୍ତ ବର୍ମା। ଶେଷ ଥର ପାଇଁ ୨୦୨୩ ଫେବ୍ରୁଆରିରେ ରେପୋ ହାରରେ ପରିବର୍ତ୍ତନ କରାଯାଇଥିଲା। ଏଥିସହିତ ଷ୍ଟାଣ୍ଡିଂ ଡିପୋଜିଟ୍ ଫାସିଲିଟି (ଏସ୍‌ଡିଏଫ୍‌) ୬.୨୫ ପ୍ରତିଶତରେ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି (ଏମ୍‌ଏସ୍‌ଏଫ୍‌) ଓ ବ୍ୟାଙ୍କ ରେଟ୍‌କୁ ୬.୭୫ ପ୍ରତିଶତ ହାରରେ ସ୍ଥିର ରଖାଯାଇଛି।

Advertisment

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବାସ୍ତବ ଅଭିବୃଦ୍ଧି ହାରକୁ ୭.୨ ପ୍ରତିଶତରେ ସ୍ଥିର ରଖାଯାଇଛି। ତେବେ ପ୍ରଥମ ତ୍ରୟମାସର ଅଭିବୃଦ୍ଧି ପୂର୍ବ ଆକଳନ ୭.୨ ପ୍ରତିଶତ ତୁଳନାରେ ସାମାନ୍ୟ କମି ୭.୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଦେଶର ଖୁଚୁରା ମୁଦ୍ରାସ୍ଫୀତିରେ ପ୍ରାୟ ୪୬ ପ୍ରତିଶତ ଯୋଗଦାନ ଥିବା ଖାଦ୍ୟ ମୁଦ୍ରାସ୍ଫୀତି ଏବେ ବି ଚିନ୍ତାଜନକ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ମେ ଏବଂ ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପଛର ପ୍ରମୁଖ କାରଣ ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି। ଜୁନ୍‌ ମାସରେ ପନିପରିବାର ଦର ହିଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଖୁଚୁରା ମୁଦ୍ରାସ୍ଫୀତିକୁ ରିଜର୍ଭ ବ୍ୟାଙ୍କ ୪.୫ ପ୍ରତିଶତରେ ରହିବା ନେଇ ଆକଳନ କରିଛି।

କିଛି ଘଣ୍ଟାରେ କ୍ଲିୟର ହେବ ଚେକ୍‌
ଚେକ୍‌ କ୍ଲିୟର ପାଇଁ ଏବେ ଦୁଇଟି କାର୍ଯ୍ୟଦିବସ ପର୍ଯ୍ୟନ୍ତ ସମୟ ଲାଗୁଛି। ଏହି ସମୟ ହ୍ରାସ ପାଇଁ ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ରଖିଛି। ଚେକ୍‌ ଯେଉଁଦିନ ଦାଖଲ ହେବ ସେହିଦିନର କିଛି ଘଣ୍ଟା ମଧ୍ୟରେ ତାହାକୁ କ୍ଲିୟର କରାଯିବ। ଏହାଦ୍ବାରା ଚେକ୍‌ କାରବାର ସହ ଜଡ଼ିତ ଉଭୟ ପକ୍ଷ ଉପକୃତ‌ ହେବେ।

ୟୁପିଆଇରେ ଜଣଙ୍କ ଆକାଉଣ୍ଟରୁ ଅନ୍ୟ ଜଣେ ଅର୍ଥ ପଠାଇ ପାରିବ
ଏଥିସହିତ ୟୁପିଆଇ ପାଇଁ ‘ଡେଲିଗେଟେଡ ପେମେଣ୍ଟ୍‌ସ’ ସୁବିଧା ଆରମ୍ଭ ପାଇଁ ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ରଖିଛି। ଏହାଦ୍ବାରା ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ରାଶି ମୂଳ ବ୍ୟବହାରକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଜଣେ ବ୍ୟକ୍ତି ୟୁପିଆଇ ଜରିଆରେ ପଠାଇପାରିବେ। ୟୁପିଆଇ ଏବଂ ଚେକ୍‌ କାରବାର କ୍ଷେତ୍ରରେ ହେଉଥିବା ପରିବର୍ତ୍ତନକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ସିଇଓ ଦୀଲିପ ଆସ୍‌ବେ ସ୍ବାଗତ କରିଛନ୍ତି।

ଡିଜିଟାଲ ଆପ୍‌ ପାଇଁ ଆସିବ ରିପୋଜିଟୋରି
ଦେଶରେ ଡିଜିଟାଲ ଋଣ ଆପ୍‌ ଜରିଆରେ ଠକେଇ ବଢ଼ୁଛି। ଏଭଳି ସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଡିଜିଟାଲ ଆପ୍‌ ରିପୋଜିଟୋରି ଅଣାଯିବ ବୋଲି ମୁଦ୍ରାନୀତି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ଡିଜିଟାଲ ଋଣ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଏହ ଅଧୀନରେ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ଉପଯୋଗ କରୁଥିବା ଡିଜିଟାଲ ଋଣ ଆପ୍‌ର ତାଲିକା ଏହି ପବ୍ଲିକ ଡିପୋଜିଟୋରିରେ ରହିବ। ନିୟନ୍ତ୍ରିତ ସଂସ୍ଥା ସେମାନଙ୍କ ଡିଜିଟାଲ ଋଣ ଆପ୍‌ ସଂପର୍କରେ କରୁଥିବା ପରିବର୍ତ୍ତନ ସଂପର୍କରେ ରିଜର୍ଭ ବ୍ୟାଙ୍କକୁ ସୂଚନା ପ୍ରଦାନ କରିବେ। ଏହାଫଳରେ ଅଣସ୍ବୀକୃତ ଋଣ ଆପ୍‌ ସଂପର୍କରେ ଗ୍ରାହକମାନେ ଜାଣିପାରିବେ ବୋଲି ଶ୍ରୀ ଦାସ କହିଛନ୍ତି।

ୟୁପିଆଇରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ପୈଠ କରିହେବ

ଦେଶରେ ଡିଜିଟାଲ କାରବାର ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ୟୁପିଆଇ ଜରିଆରେ ହେଉଥିବା ଟିକସ ପୈଠ ସୀମାକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। କେତେକ ବର୍ଗର କାରବାରକୁ ବାଦ୍‌ଦେଲେ ୟୁପିଆଇ ଜରିଆରେ ବର୍ତ୍ତମାନ ୧ ଲକ୍ଷ ଟଙ୍କା କାରବାର କରି ହେଉଛି। ବର୍ତ୍ତମାନ ଉକ୍ତ ସୀମାକୁ ଟିକସ ପୈଠ ପାଇଁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଦ୍ରନୀତି କମିଟିର ୫୦ତମ ‌ବୈଠକରେ ନି‌ଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ବଡ଼ ଟିକସଦାତାମାନେ ୟୁପିଆଇରେ ଟିକସ ପୈଠ କରିବାକୁ ଉତ୍ସାହିତ ହେବେ। ଉଲ୍ଲେଖଯୋଗ୍ୟ, ୨୦୨୩ ଡିସେମ୍ବରରେ ହସ୍ପିଟାଲ ଏବଂ ଶିକ୍ଷାନୁଷ୍ଠାନ ଭଳି କେତେକ ସଂସ୍ଥାକୁ ଅର୍ଥ ପ୍ରଦାନ କ୍ଷେତ୍ରରେ ଉକ୍ତ ସୀମାକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଥିଲା।