ପୁଣି ବଢ଼ିପାରେ ସୁଧ ହାର, ୬ରୁ ମୁଦ୍ରାନୀତି ବୈଠକ

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତି ଏବେ ଉଚ୍ଚସ୍ତରରେ ରହିଛି। ମୁଦ୍ରାସ୍ଫୀତିକୁ ତଳସ୍ତରକୁ ଆଣିବା ପାଇଁ ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ ପ୍ରଚେଷ୍ଟା ଚଳାଇଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଦ୍ବିମାସିକ ମୁଦ୍ରାସ୍ଫୀତି ବୈଠକ ଏପ୍ରିଲରେ ହୋଇଥିଲା। କିନ୍ତୁ ଉକ୍ତ ବୈଠକରେ ରେପୋ ହାରରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା। ତେବେ ମେ ମାସରେ ଅଚାନକ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୪୦ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲା। ଏହାପରେ ‌ବିଭିନ୍ନ ବ୍ୟାଙ୍କ ସେମାନଙ୍କ ଜମା ଓ ଋଣ ସୁଧ ହାର ବୃଦ୍ଧି କରିଛନ୍ତି। ଫଳରେ ଗ୍ରାହକଙ୍କ ପାଇଁ ଋଣର ମାସିକ କିସ୍ତି ରାଶି ବୃଦ୍ଧି ପାଇଛି। ସେହିଭଳି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କକୁ ହ୍ରାସ କରିଛନ୍ତି।

ଏହାଫଳରେ ଦୀର୍ଘଦିନର ବ୍ୟବଧାନ ପରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ତେବେ ବିଶେଷଜ୍ଞମାନେ କହୁଛନ୍ତି ମୁଦ୍ରାସ୍ଫୀତିକୁ କାବୁ ମଧ୍ୟକୂ ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ‌ରେପୋ ହାରରେ ଆହୁରି ୦.୪୦ ପ୍ରତିଶତ ବୃଦ୍ଧି ଘୋଷଣା କରିପାରେ। ତେଣୁ‌ ରେପୋ ହାର ବୃଦ୍ଧି କେବଳ ଆସନ୍ତା ମୁଦ୍ରାନୀତି ବୈଠକରେ ବି ସୀମିତ ରହିବ ନାହିଁ। ଅଗଷ୍ଟରେ ହେବାକୁ ଥିବା ମୁଦ୍ରାନୀତି ବୈଠକରେ ମଧ୍ୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୩୫ ପ୍ରତିଶତରୁ ୦.୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘୋଷଣା କରିପାରନ୍ତି। ଏହାହେଲେ ଇଏମଆଇ ପୁଣି ଥରେ ବଢ଼ିବା ଆଶଙ୍କା ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ହାରାହାରି ୬.୮ ପ୍ରତିଶତ ସ୍ତରରେ ରହିବା ସମ୍ଭାବନା ରହିଛି। କିନ୍ତୁ ମୁଦ୍ରାସ୍ଫୀତିକୁ ୨ ପ୍ରତିଶତରୁ ୬ ପ୍ରତିଶତ ମଧ୍ୟରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ଏହା ଅଧିକ ହେବ। ରେପୋ ହାର ଏବେ ୪.୪୦ ପ୍ରତିଶତ ରହିଛି। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ଏହାକୁ ୫.୬୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର