ସୁଧରେ କାହାର କିଛି କ୍ଷତି ହେବନି: ଇପିଏଫ୍‌ଓ

ସୁଧ ଜମା କରିବା କାମ ଜାରି ରହିଛି, ଶୀଘ୍ର ଖାତାରେ ପ୍ରତିଫଳିତ ହେବ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ୨୦୨୧-୨୨ ଆର୍ଥିକ ବର୍ଷର ସୁଧ ଜମା‌ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ବହୁ ଗ୍ରାହକଙ୍କ ଖାତାରେ ତାହା ପ୍ରଦର୍ଶିତ ହେଉନାହିଁ। ସେଥିପାଇଁ ସଦସ୍ୟମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ଖାତାରେ ସୁଧ ଜମା ହୋଇଛି ନା ନାହିଁ ତାହା ଜାଣିବା ଲାଗି ସେମାନେ ନିୟମିତ ବ୍ୟବଧାନରେ ଆକାଉଣ୍ଟ୍‌ ଷ୍ଟେଟ୍‌ମେଣ୍ଟ୍‌ ଦେଖୁଛନ୍ତି। ସୁଧ ପଡ଼ିନଥିବାରୁ ନିରାଶ ମଧ୍ୟ ହେଉଛନ୍ତି। ସେଭଳି ସଦସ୍ୟମାନଙ୍କ ମନରେ ରହିଥିବା ଭୟକୁ ଦୂର କରିବା ଲାଗି ଇପିଏଫ୍‌ଓ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ଦିଆଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସୁଧ ଜମା କରିବା ପ୍ରକ୍ରିୟା ଜାରି ରହିଛି। ଖୁବ୍‌ଶୀଘ୍ର ତାହା ଆପଣମାନଙ୍କ ଖାତାରେ ପ୍ରତିଫଳିତ ହେବ। ଯେତେବେଳେ ବି ସୁଧ ଜମା କରାଯାଏ, ତାହା ସମ୍ପୂର୍ଣ୍ଣ ଦିଆଯାଏ। ସୁଧରେ କୌଣସି କ୍ଷତି ହେବ ନାହିଁ। କୌଣସି ସଦସ୍ୟ ସୁଧ ହରାଇବେ ନାହିଁ ବୋଲି ଇପିଏଫ୍ଓ ସ୍ପଷ୍ଟ କରିଛି।

ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଇପିଏଫ୍ଓର କୌଣସି ସଦସ୍ୟଙ୍କ ସୁଧରେ କୌଣସି କ୍ଷତି ହେବନାହିଁ। ସମସ୍ତ ସଦସ୍ୟଙ୍କ ଖାତାରେ ସୁଧ ଜମା କରାଯିବ। ସଫ୍ଟୱେର ଅପ୍‌ଗ୍ରେଡ୍‌ ହୋଇଥିବାରୁ ତାହା ‌ଏବେ ଖାତାରେ ପ୍ରଦର୍ଶିତ ହେଉନାହିଁ। ଟିକସ ହିସାବ ଲାଗି ସଫ୍ଟୱେର ଅପ୍‌ଗ୍ରେଡ୍‌ କରାଯାଇଛି। କିଛି ଦିନ ତଳେ ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ମୋହନଦାସ ପାଇ ଏହି ପ୍ରସଙ୍ଗରେ ଟ୍ବିଟ୍‌ କରି ସୁଧ ମିଳିବାରେ ହେଉଥିବା ବିଳମ୍ବକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ତାଙ୍କୁ ଉତ୍ତର ଦେଇ ଅର୍ଥ ମନ୍ତ୍ରାଳୟ ଏହା କହିଥିଲା। ଯେଉଁ ସଦସ୍ୟମାନେ ଟଙ୍କା ଉଠାଇବାକୁ ଚାହୁଛନ୍ତି କିମ୍ବା ଖାତାର ଚୂଡ଼ାନ୍ତ ଫଇସଲା କରିବାକୁ ଚାହୁଛନ୍ତି ସେମାନଙ୍କୁ ମଧ୍ୟ ସୁଧ ସମ୍ପୂର୍ଣ୍ଣ ମିଳିବ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୮.୧% ସୁଧ ମଞ୍ଜୁର କରାଯାଇଛି। ୧୯୭୭-୭୮ ପରେ ଏହା ସୁଧର ସର୍ବନିମ୍ନ ହାର। ସାଧାରଣତଃ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ସୁଧ ନିଷ୍ପତ୍ତି ଗ୍ରହଣ କରାଯାଏ। ଅର୍ଥ ମନ୍ତ୍ରାଳୟ ତାହାର ବିଜ୍ଞପ୍ତି ଜାରି କରିବା ପରେ ସଦସ୍ୟଙ୍କ ଖାତାରେ ସୁଧ ଜମା କରାଯାଏ। ଗତବର୍ଷ କିନ୍ତୁ ଏହି ପ୍ରକ୍ରିୟା ବିଳମ୍ବ ହୋଇଥିଲା। ସଦସ୍ୟଙ୍କ ଖାତାରେ ସୁଧ ଜମା ହେବା ବେଳକୁ ଡିସେମ୍ବର ହୋଇଯାଇଥିଲା। ଚଳିତ ବର୍ଷ ମଧ୍ୟ ସେଭଳି ବିଳମ୍ବ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର