ଭାରତୀୟ ରେଳ ୨୦୨୪-୨୫ରେ ପ୍ରତି ୧୦୦ ଟଙ୍କା ଆୟ କରିବା ଲାଗି ୯୮ ଟଙ୍କା ୨୨ ପଇସା ବ୍ୟୟ କରିବ। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥାପିତ କାମଚଳା ବଜେଟ୍ରେ ଏହି ତଥ୍ୟ ଦିଆଯାଇଛି। ରେଳବାଇର ପରିଚାଳନା ଅନୁପାତ ୯୮.୨୨ ପ୍ରତିଶତ ରହିବ। ୨୦୨୩-୨୪ରେ ତାହା ୯୮.୬୫%, ଓ ୨୦୨୨-୨୩ରେ ୯୮.୧୦ ପ୍ରତିଶତ ଥିଲା। ବଜେଟ୍ ଅନୁସାରେ ୨୦୨୪-୨୫ରେ ରେଳବାଇ ୨,୭୮,୫୦୦ କୋଟି ଟଙ୍କାର ରାଜସ୍ବ ହାସଲ କରିବ। ଯାତ୍ରୀ ପରିବହନରୁ ୮୦,୦୦୦ କୋଟି ଟଙ୍କା, ମାଲ ପରିବହନରୁ ୧,୮୦,୦୦୦ କୋଟି ଟଙ୍କା, ଅନ୍ୟାନ୍ୟ କୋଚିଂ ପ୍ରାପ୍ତି ବାବଦରେ ୭୫୦୦ କୋଟି ଟଙ୍କା, ଅନ୍ୟାନ୍ୟ ରାଜସ୍ବ ଭାବେ ୧୦,୫୦୦ କୋଟି ଟଙ୍କା ସଂଗ୍ରହ କରିବ ବୋଲି ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଭାରତ ସରକାରଙ୍କଠାରୁ ବଜେଟ୍ ସହାୟତା ଆକାରରେ ରେଳବାଇ ୨,୫୨,୨୦୦ କୋଟି ଟଙ୍କା ପାଇବ। ୧୦,୦୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ସମ୍ବଳ ମିଳିବ।
ଫଳରେ ମୋଟ ଉପରେ ରେଳବାଇ ୫,୪୦,୭୦୦ କୋଟି ଟଙ୍କା ପାଇବ ଯାହା ୨୦୨୩-୨୪ ବଜେଟ୍ରେ ମିଳିଥିବା ୫,୨୨,୨୦୦ କୋଟି ଟଙ୍କା ତୁଳନାରେ ଅଧିକ। ସାଧାରଣ କାର୍ଯ୍ୟକାରୀ ବ୍ୟୟ ଭାବେ ଏହା ୨,୦୫,୦୦୦ କୋଟି ଟଙ୍କା ବ୍ୟୟ କରିବ। ପେନ୍ସନ୍ ପାଣ୍ଠି ଲାଗି ୬୭,୦୦୦ କୋଟି ଟଙ୍କା ଦେବ। ରେଳବାଇ ରାଜସ୍ବରୁ ୨,୭୫,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବଜେଟ୍ ସହାୟତା ରାଶିରୁ ୨,୬୨,୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୋଟ ଉପରେ ରେଳବାଇ ୫,୩୭,୯୦୦ କୋଟି ଟଙ୍କା ଖର୍ଚ୍ଚ କରିବ।
ଅନ୍ୟପକ୍ଷରେ ବଜେଟ୍ ପରିପ୍ରେକ୍ଷୀରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ରେଳବାଇରେ ଆଧୁନିକୀକରଣ ଏବଂ ସଂପ୍ରସାରଣ ଅଗ୍ରଗତି ବ୍ୟାପକ ମାତ୍ରାରେ ଚାଲିଛି। ଗତବର୍ଷ ୫୨୦୦ କିମିର ନୂଆ ଟ୍ରାକ୍ ନିର୍ମାଣ ହୋଇଛି। ଅର୍ଥାତ୍ ଗୋଟିଏ ବର୍ଷରେ ସମଗ୍ର ସ୍ବିସ୍ ନେଟୱର୍କକୁ ସାମିଲ କରାଯାଇଛି। ବର୍ତ୍ତମାନ ଆମେ ଦିନକୁ ୧୫ କିମି ଟ୍ରାକ୍ ନିର୍ମାଣ ଲକ୍ଷ୍ୟ ରଖିଛୁ ବୋଲି ରେଳମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ପୁଣି କହିଛନ୍ତି, ୨.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିବ୍ୟୟ ମଧ୍ୟରୁ ଆଜି ସୁଦ୍ଧା ୭୭ ପ୍ରତିଶତ ବ୍ୟୟ ସଂପୂର୍ଣ୍ଣ ହୋଇଛି। ଏଥିସହିତ କବଚ ପ୍ରଯୁକ୍ତିରେ ସାମିଲ ହେବା ପାଇଁ ଅନ୍ତର୍ଜାତୀୟ ସ୍ତରର ସଂସ୍ଥାଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି। ଅନ୍ୟାନ୍ୟ ପ୍ରତିଷ୍ଠିତ ପ୍ରଯୁକ୍ତି ତୁଳନାରେ ଏହା ଭଲ ବୋଲି ସେମାନେ ବିବେଚନା କରୁଛନ୍ତି।
୩ ନୂଆ ରେଳ କରିଡର
ରେଳବାଇ କ୍ଷେତ୍ରରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିବ୍ୟୟ ଯୋଜନା
୨୦୨୩-୨୪ ତୁଳନାରେ ୧୫ ହଜାର କୋଟି ଅଧିକ
୩ ନୂଆ ରେଳ କରିଡର ଘୋଷଣା
ସେଗୁଡ଼ିକ ହେଲା (୧)ଶକ୍ତି, ଖଣିଜ ଏବଂ ସିମେଣ୍ଟ କରିଡର,(୨) ବନ୍ଦର ସଂଯୋଗୀକରଣ କରିଡର (୩) ଅଧିକ ଟ୍ରାଫିକ୍ ସାନ୍ଦ୍ରତା କରିଡର
ପିଏମ୍ ଗତିଶକ୍ତି ଯୋଜନାରେ ବହୁମୁଖୀ ଯୋଗାଯୋଗ ପାଇଁ ଏଗୁଡ଼ିକ ଚିହ୍ନଟ ହୋଇଛି। ଏହା ପରିବହନ ଖର୍ଚ୍ଚ କମାଇବ ଏବଂ ଦକ୍ଷତାରେ ଉନ୍ନତି ଆଣିବ
୪୦ ହଜାର ବଗିକୁ ବନ୍ଦେ ଭାରତ ମାନର କରାଯିବ। ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ଲାଗି ଏହା ହେବ
ପ୍ରତିରକ୍ଷାକୁ ୬.୨୧ ଲକ୍ଷ କୋଟି
ପ୍ରତିରକ୍ଷା ବାବଦରେ ୬.୨୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୨୦୨୩-୨୪ରେ ତାହା ୫.୯୪ ଲକ୍ଷ କୋଟି ଟଙ୍କା ଥିଲା। ଏଥର ବଜେଟରେ ୨୭ ହଜାର କୋଟି ଟଙ୍କାର ଅଧିକ ବ୍ୟୟବରାଦ କରାଯାଇଛି। ତେବେ ପ୍ରତିରକ୍ଷାରେ ‘ଡିପ୍-ଟେକ୍’ ପ୍ରଯୁକ୍ତିର ବ୍ୟବହାର ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଡିପ୍-ଟେକ୍ ପ୍ରଯୁକ୍ତିର ବ୍ୟବହାର ପାଇଁ ନୂଆ ଯୋଜନା ଘୋଷଣା ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ଡିପ୍-ଟେକ୍ ପ୍ରଯୁକ୍ତି ହେଉଛି ଏକାଧିକ ପ୍ରଯୁକ୍ତି ଯଥା ବାୟୋଟେକ୍, କ୍ବାଣ୍ଟମ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ଆଡଭାନ୍ସଡ ମ୍ୟାଟେରିଆଲ, ଗ୍ରିନ ଏନର୍ଜି, ଆଡଭାନ୍ସଡ କମ୍ପ୍ୟୁଟିଂ ଏବଂ ଏୟାରସ୍ପେସ ଭଳି ଉଦ୍ୟୋଗ। ଏହାଦ୍ବାରା ଦେଶ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭର ହେବା ସହିତ ଆଗକୁ ବଢ଼ିବ। ମୋଟ ବ୍ୟୟବରାଦରୁ ୧.୭୨ ଲକ୍ଷ କୋଟି ଟଙ୍କାରେ ନୂଆ ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧଜାହାଜ ଏବଂ ଅନ୍ୟାନ୍ୟ ସାମରିକ ହାର୍ଡୱେର ଆଦି କ୍ରୟ କରାଯିବ।
୨୦୨୩-୨୪ରେ ଏ ବାବଦରେ ୧.୬୨ ଲକ୍ଷ କୋଟି ଟଙ୍କା ରଖାଯାଇଥିଲା। ପ୍ରତିରକ୍ଷା ବଜେଟରେ ରାଜସ୍ବ ବ୍ୟୟକୁ ୪ ଲକ୍ଷ ୩୯ ହଜାର ୩୦୦ କୋଟି ଟଙ୍କା ରଖାଯାଇଛି। ଏଥିରୁ ୧ ଲକ୍ଷ ୪୧ ହଜାର ୨୦୫ କୋଟି ପେନସନ୍, ୨ ଲକ୍ଷ ୮୨ ହଜାର ୭୭୨ କୋଟି ଟଙ୍କା ପ୍ରତିରକ୍ଷା ସେବା ଏବଂ ୧୫୩୨୨ କୋଟି ଟଙ୍କା ପ୍ରତିରକ୍ଷା ମନ୍ତ୍ରାଳୟ (ବେସାମରିକ) ପାଇଁରଖାଯାଇଛି। ନୌସେନା ଜାହାଜ ପାଇଁ ୨୩୮୦୦ କୋଟି, ନୌସେନା ଡକୟାର୍ଡ ପାଇଁ ୬୮୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।ବଜେଟରେ ରଖାଯାଇଥିବା ମୋଟ ବ୍ୟୟବରାଦ ମଧ୍ୟରୁ ସ୍ଥଳସେନା ପାଇଁ ୧,୯୨,୬୮୦ କୋଟି ଟଙ୍କା, ନୌସେନା ପାଇଁ ୩୨୭୭୮ କୋଟି ଟଙ୍କା ଏବଂ ବାୟୁସେନା ପାଇଁ ୪୬୨୨୩ କୋଟି ଟଙ୍କା ରଖାଯାଇଛି।