ଅନ୍ତରୀଣ ବଜେଟ୍‌ ୨୦୨୪: ବଦଳିଗଲା ଜିଡିପି, ଏଫ୍‌ଡିଆଇର ପରିଭାଷା

ଅର୍ଥନୀତିରେ ବ‌ିଶେଷ ଗୁରୁତ୍ବ ବହନ କରୁଥିବା ଦୁଇଟି ଶବ୍ଦ ଏଫ୍‌ଡିଆଇ ଓ ଜିଡିପିକୁ ନୂଆ ସଂଜ୍ଞାରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସାଧାରଣତଃ ଜିଡିପି ହେଉଛି ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ ବା ମୋଟ ଘରୋଇ ଉତ୍ପାଦ। କିନ୍ତୁ ଆଜି ବଜେଟ୍ ଉପସ୍ଥାପନ ବେଳେ ନିର୍ମଳା କହିଥିଲେ ଯେ ଜିଡିପି ହେଉଛି ଗଭର୍ଣ୍ଣାସ୍, ଡେଭଲପ୍‌ମେଣ୍ଟ୍ ଆଣ୍ଡ୍ ପରଫରମାନ୍ସ (ପ୍ରଶାସନ, ବିକାଶ ଓ ପ୍ରଦର୍ଶନ)। ଏହା ଜରିଆରେ ସେ ଏହି ସଙ୍କେତ ଦେବାକୁ ପ୍ରୟାସ କରିଛନ୍ତି ଯେ ସରକାର କେବଳ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାକୁ ଚାହୁନାହାନ୍ତି। ବିକାଶର ଏହି ଯାତ୍ରାକୁ ସେ ଦେଶର ‌ସବୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହୁଛନ୍ତି। ଉତ୍ତମ ପ୍ରଶାସନ, ଚାରିଆଡ଼େ ବିକାଶ ଏବଂ ସବୁ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ଉପରେ ସରକାର ଜୋର ଦେବେ। କେନ୍ଦ୍ର ସରକାର ଏକ ସ୍ବଚ୍ଛ, ଉତ୍ତରଦାୟୀ ଓ ଜନକୈନ୍ଦ୍ରିକ ବିଶ୍ବାସ ଭିତ୍ତିକ ପ୍ରଶାସନ ଜରିଆରେ ଲୋକଙ୍କ ସେବା କରିବା ସହ ସବୁ କଥାରେ ପ୍ରଥମେ ନାଗରିକମାନଙ୍କ ପ୍ରତି ସରକାର ପ୍ରତିବଦ୍ଧ ରହିଛନ୍ତି। ସର୍ବନିମ୍ନ ସରକାର ଓ ସର୍ବାଧିକ ପ୍ରଶାସନକୁ ସେ ପୁଣି ଦୋହରାଇଛନ୍ତି।

କେବଳ ଜିଡିପି ନୁହେଁ ଏଫ୍‌ଡିଆଇର ମଧ୍ୟ ସେ ଏକ ନୂଆ ସଂଜ୍ଞା ବାହାର କରିଛନ୍ତି। ଏଫ୍‌ଡିଆଇ କହିଲେ ସାଧାରଣତଃ ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ୍ (ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ)କୁ ବୁଝାଇଥାଏ। ଯେତେବେଳେ କୌଣସି ବିଦେଶୀ ସଂସ୍ଥା ସିଧାସଳଖ ଦେଶରେ କୌଣସି ପ୍ରକଳ୍ପରେ ପୁଞ୍ଜିନିବେଶ କରିଥାଏ ତାହାକୁ ଏଫ୍‌ଡିଆଇ କୁହାଯାଉଛି। କିନ୍ତୁ ଆଜିର ବଜେଟ୍‌ରେ ନିର୍ମଳା କହିଛନ୍ତି ଯେ ଏଫ୍‌ଡିଆଇ ହେଉଛି ‘ଫାଷ୍ଟ୍‌ ଡେଭେଲପ୍ ଇଣ୍ଡିଆ’। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତ‌‌ାହାକୁ ସାକାର କରିବା ଲାଗି ସରକାର ଉଦ୍ୟମ କରୁଥିବା ନିର୍ମଳା ପରୋକ୍ଷରେ ଜଣାଇଛନ୍ତି। ବଜେଟ୍ ଅଭିଭାଷଣ ବେଳେ ସେ କହିଛନ୍ତି ଯେ ଭାରତକୁ ବିକଶିତ ଦେଶରେ ପରିଣତ କରିବା ଲାଗି ସରକାର ବିଭିନ୍ନ ଦେଶ ସହିତ ଦ୍ବିପାକ୍ଷିକ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷର କରିବାକୁ କଥାବାର୍ତ୍ତା ଚଳାଇଛନ୍ତି। ୨୦୧୪ରୁ ୨୦୨୩ ମଧ୍ୟରେ ଦେଶକୁ ୫୯,୬୦୦ କୋଟି ଡଲାରର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ ଆସିଥିବା ସେ କହିଛନ୍ତି। ୨୦୦୫ରୁ ୨୦୧୪ ଭିତରେ ଯେତିକି ବିଦେଶୀ ପୁଞ୍ଜି ଆସିଥିଲା ତା’ଠାରୁ ଏହା ହେଉଛି ଦୁଇ ଗୁଣା ଅଧିକ। ସେଥିପାଇଁ ଏହି ସମୟକୁ ସେ ସୁବର୍ଣ୍ଣ ଯୁଗ ବୋଲି କହିଛନ୍ତି। ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌ସ, ଷ୍ଟାର୍ଟଅପ୍ ଇଣ୍ଡିଆ ଓ ଷ୍ଟାର୍ଟଅପ୍ କ୍ରେଡିଟ୍‌ ଗ୍ୟାରେଣ୍ଟି ସ୍କିମ୍‌ର ଉଦ୍ଦେଶ୍ୟ ହେଉଛି ‌ଦେଶର ଯୁବିପିଢ଼ିଙ୍କୁ ‘ରୋଜଗାରଦାତା’ରେ ପରିଣତ କରିବା। ଗରିବ, ମହିଳା, ଯୁବବର୍ଗ ଓ ଅନ୍ନଦାତାଙ୍କ ଉପରେ ସରକାରଙ୍କ ଗୁରୁତ୍ବ ରହୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଚାହୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର