ଆଗାମୀ ୫ ବର୍ଷରେ ଭାରତର ଆଲୁମିନିୟମ ଚାହିଦା ୨ ଗୁଣ ବଢିବ : କେନ୍ଦ୍ର ଖଣି ସଚିବ
ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମେଳନ ଇନକାଲ ୨୦୧୯ ଉଦଘାଟିତ
ଭୁବନେଶ୍ୱର : ଆସନ୍ତା ୫ ବର୍ଷରେ ଭାରତର ଆଲୁମିନିୟମ ବ୍ୟବହାର ଦୁଇଗୁଣିତ ହୋଇ ପ୍ରାୟ ୭.୨ ନିୟୁତ ଟନରେ ପହଞ୍ଚିବ । ଏବେ ଭାରତର ବାର୍ଷିକ ଅଲୁମିନିୟମ ଚାହିଦା ୩.୬ ନିୟୁତ ଟନ ଥିବାବେଳେ ଉତ୍ପାଦନ ୩.୪ ନିୟୁତ ଟନ ରହିଛି ବୋଲି କେନ୍ଦ୍ର ଖଣି ସଚିବ ଅନୀଲ ମୁକିମ କହିଛନ୍ତି । ଏଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମେଳନ ଇନକାଲ ୨୦୧୯ କୁ ଉଦଘାଟନ କରି ସେ କହିଛନ୍ତି ଯେ ଭାରତୀୟ ଆଲୁମିନିୟମ ଶିଳ୍ପ ସଂସ୍ଥାମାନେ ନିଜର ଶକ୍ତି ବ୍ୟବହାର ହ୍ରାସ କରି ନିଜର ଆଲୁମିନିୟମ ଉତ୍ପାଦନ ବ୍ୟୟ କମାଇବା ଆବଶ୍ୟକ । ଏପରି କରି ସେମାନେ ବିଶ୍ବ ବଜାରରେ ପ୍ରତିଯୋଗିତା କରିପାରିବେ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସମ୍ମିଳନୀ ପାଇଁ ଅଗ୍ରଣୀ ଉଦ୍ୟୋଗୀ ତଥା ଦେଶବିଦେଶରୁ ଅନେକ ପ୍ରତନିଧିବୃନ୍ଦ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ଏହି ତିନିଦିନିଆ ପ୍ରଦର୍ଶନୀ ଓ ସମ୍ମେଳନ ଜାନୁୟାରୀ ୩୧ ରୁ ଫେବୃୟାରୀ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ।
ବୁଲେଟ୍ ଟ୍ରେନ୍, ଏରୋସ୍ପେସ୍, ବିଦୁ୍ୟତଚାଳିତ ଯାନ ଓ ସ୍ମାର୍ଟ୍ ସିଟୀ ଆଦିର ବିକାଶ ସହ ଆଲୁମିନିୟମ୍କୁ ଭବିଷ୍ୟର ଧାତୁ ଭାବେ ଉପସ୍ଥାପିତ କରୁଛି ଇନ୍କାଲ୍-୨୦୧୯ । ଏସିଆର ଅନ୍ୟତମ ବୃହତ୍ କାର୍ଯ୍ୟକ୍ରମ ଭାବେ ମାନ୍ୟତା ଲାଭ କରିଥିବା ଇନ୍କାଲ୍-୨୦୧୯ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଏହି ଉଦ୍ୟୋଗରେ ବିକାଶକୁ ଉପସ୍ଥାପିତ କରୁଛି ।
ଏହି କାର୍ଯ୍ୟକ୍ରମରେ, ୨୦ଟି ଦେଶରୁ ୧୫୦ ଜଣ ବୈଦେଶିକ ପ୍ରତିନିଧିଙ୍କ ସମେତ ୮୫୦ ରୁ ଉର୍ଦ୍ଧ୍ୱ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ମଧ୍ୟରେ, ଭିଏତ୍ନାମ ଓ ମ୍ୟାଁମାରର ରାଷ୍ଟ୍ରଦୂତ, ଇଟାଲୀ, ନର୍ୱେ ଓ ଥାଇଲାଣ୍ଡ୍ର କନ୍ସୁଲ୍ ଜେନେରାଲ୍, ବିଭିନ୍ନ ଦେଶର ହାଇ କମିଶନର୍ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି । ଏଥିରେ ସମଗ୍ର ବିଶ୍ୱରୁ ଆଲୁମିନିୟମ୍ ଉତ୍ପାଦନକାରୀ, ବୈଷୟିକବିତ୍, ଯନ୍ତ୍ରାଂଶ ଯୋଗାଣକାରୀ, କଞ୍ଚାମାଲ ଯୋଗାଣକାରୀ ଅଂଶଗ୍ରହଣ କରି ଆଲୁମିନିୟମ୍ ଉଦ୍ୟୋଗର ବିକାଶ ଓ ନିରନ୍ତର ପ୍ରଗତି ପାଇଁ ଖସଡ଼ା ପ୍ରସ୍ତୁତି ପାଇଁ ଆଲୋଚନା ଓ ପର୍ଯାଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ, ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଲେ ଯେ ଆନ୍ତର୍ଜାତୀୟ ସ୍ତରରେ ଆଲୁମିନିୟମ୍ ଭବିଷ୍ୟର ଧାତୁ ଭାବେ ଉପସ୍ଥାପିତ ତଥା ପ୍ରସାରିତ କରିବା, ଜାତୀୟ ସ୍ତରରେ, ଏହି ଧାତୁର ଘରୋଇ ଉପଯୋଗ ବୃଦ୍ଧି କରିବା ତଥା ଓଡ଼ିଶାକୁ ଭାରତର ଆଲୁମିନିୟମ୍ ରାଜଧାନୀ ଭାବେ ବିକଶିତ କରିବା ଏହି ସମ୍ମେଳନର ମୁଖ୍ୟ ଲକ୍ଷ୍ୟ ବୋଲି ଡଃ ଚାନ୍ଦ ସୂଚନା ଦେଇଥିଲେ ।