ଘରୋଇ ବିମାନ ଚଳାଚଳ ୫୦% ହେଲେ ଆନ୍ତର୍ଜାତିକ ବିମାନ ଚଳାଚଳ ଆରମ୍ଭ ହେବ: ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ: ଅନ୍ୟ ଦେଶମାନେ ବିମାନକୁ ପ୍ରବେଶାଧିକାର ଦେବା ପାଇଁ ଉନ୍ମୁକ୍ତ ହେ‌ବା ଉପରେ ଆନ୍ତର୍ଜାତିକ ବିମାନର ପୁନଃ ଚଳାଚଳ ବିଷୟରେ ଭାରତର ନିଷ୍ପତ୍ତି ନିର୍ଭର କରେ ବୋଲି ପୁଣି ଥରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶନିବାର ଦିନ ସ୍ପଷ୍ଟ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆମ ଘରୋଇ ବିମାନ ଚଳାଚଳ ୫୦%-୬୦% ହେଲେ ଏବଂ ଅନ୍ୟ ଦେଶମାନେ ସାମ୍ପତିକ ସର୍ତ୍ତାବଳୀ ବିନା ଦେଶମାନେ ଆନ୍ତର୍ଜାତିକ ବିମାନ ଚଳାଚଳ ପ୍ରତି ଉନ୍ମୁକ୍ତ ରହିଲେ ଯାଇ ଆମେ ନିୟମିତ ଆନ୍ତର୍ଜାତିକ ବିମାନ ଚଳାଚଳ ଆରମ୍ଭ କରିବୁ। ସେ ଦିଗରେ ପରିସ୍ଥିତିର ଉନ୍ନତି ଘଟିଲେ ଆମେ ସାବଧାନ ସହକାରେ ଚଳାଚଳ ଆରମ୍ଭ କରିବୁ। ସମ୍ପ୍ରତି ଭାରତରେ ୩୩% ଘରୋଇ ବିମାନ ଉଡ଼ାଣ କରୁଛି। ୫୦%-୬୦% ହେଲେ ଅଧିକ ରୁଟ୍ ଏବଂ ଅଧିକ ବିମାନ ଚଳାଚଳ କରିବ।

Image Courtesy of Justdial

ସାମ୍ବାଦିକମାନଙ୍କୁ ପୁରୀ କହିଛନ୍ତି, ନିଜ ଦେଶର ନାଗରିକମାନଙ୍କ ଛଡ଼ା ବିଦେଶୀ ନାଗରିକଙ୍କୁ ‌ଆପଣା ଦେଶକୁ ଆସିବାକୁ ଅନୁମତି ଦେବେ ନାହିଁ ବୋଲି ଅନେକ ଦେଶ ସ୍ଥିର କରିଛନ୍ତି। ଆମର ପରିସ୍ଥିତି ମଧ୍ୟ ‌ସେହିଭଳି। ଏହାଛଡ଼ା ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍, ଫ୍ରାନ୍‌ସ୍ , ଚୀନ୍, ୟୁଏଇ ଏବଂ ସିଙ୍ଗାପୁର ଆଦି ଦେଶରେ ସର୍ତ୍ତମୂଳକ ପ୍ରବେଶ ବ୍ୟବସ୍ଥା କରାଯାଇଛି। ଏ ଭଳି ପରିସ୍ଥିତିରେ ସ୍ବାଭାବିକ ବେସାମରିକ ବିମାନ ଚଳାଚଳ କରାଯାଇ ପାରିବ ନାହିଁ। କେବଳ ବନ୍ଦେ ଭାରତ ମିସନ୍‌ରେ ଆନ୍ତର୍ଜାତିକ ବିମାନ ଚଳାଚଳ କରୁଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, କରୋନାଭାଇରସ୍ ସଂକ୍ରମଣ ଦମନ ଲାଗି ମାର୍ଚ ୨୨ ତାରିଖ ଠାରୁ ଭାରତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉଡ଼ାଣ ସ୍ଥଗିତ ରଖିଛି। ମେ ୨୫ ତାରିଖ ଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର