ମହିଳା ଉଦ୍ୟୋଗୀ ରଶ୍ମୀ ସାହୁଙ୍କୁ ଆନ୍ତର୍ଜାତିକ ସମ୍ମାନ

କଟକ: ରୁଚି ଫୁଡ୍‌ଲାଇନ୍‌ ତଥା ଏହାର ସହଯୋଗୀ ଉଦ୍ୟୋଗ ବିଶ୍ବେଶ୍ବର ଫୁଡ୍‌ସର ନିର୍ଦ୍ଦେଶିକା ରଶ୍ମୀ ସାହୁଙ୍କୁ ମିଳିଛି ଆନ୍ତର୍ଜାତିକ ସମ୍ମାନ। ସ୍ପେନ୍‌ର ରାଜଧାନୀ ମାଦ୍ରିଦ୍‌ଠାରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଔଦ୍ୟୋଗିକ ଚ୍ୟାଲେଞ୍ଜ (ଆଇଡବ୍ଲୁଇସି)ର ପଞ୍ଚଦଶତମ ବିଶ୍ବ ସମ୍ମିଳନୀରେ ଓଡ଼ିଶାର ଏକମାତ୍ର ମହିଳା ଉଦ୍ୟୋଗୀ ଭାବେ ତାଙ୍କୁ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ନେତୃତ୍ବ ସମ୍ମାନ ମିଳିଛି। ଦେଶବିଦେଶରୁ ଅନେକ ପ୍ରତିଷ୍ଠିତ ମହିଳା ଉଦ୍ୟୋଗୀ, ମହିଳା ରାଷ୍ଟ୍ରଦୂତ ଓ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବ୍ୟକ୍ତିତ୍ବ ଏଥିରେ ଯୋଗ ଦେଇଥିଲା ବେଳେ ସମଗ୍ର ଭାରତରୁ ୩ଜଣ ମହିଳା ଉଦ୍ୟୋଗୀ ଏଥିରେ ଯୋଗ ଦେଇଥିଲେ।

ଆଇଡବ୍ଲୁଇସିର ଅଧ୍ୟକ୍ଷା ଇବୁକୁନ ଆୱାସିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ସ୍ପାନିସ୍‌ ଚ୍ୟାମ୍ବର ଅଫ୍‌ କମର୍ସର ନିର୍ଦ୍ଦେଶିକା ମାରିଆ ତୋସ୍କା ବ୍ଲୁମବର୍ଗର ବ୍ୟୁରୋ ଚିଫ୍‌ ରୋଡ୍ରିଗୋ ଓରିହୁଏଲା, ମାଦ୍ରିଦ୍‌ ମେଟ୍ରୋପଲିଟାନ୍‌ ବ୍ୟାଙ୍କର ନିର୍ଦ୍ଦେଶିକା ମାର୍‌ ସାନ୍‌ତାନା ଓ ବାର୍ସିଲୋନା ଚାମ୍ବର ଅଫ କମର୍ସର ଉପାଧ୍ୟକ୍ଷା ରୋଜେର ସ୍କାଲାବାର୍ଡର ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ରଶ୍ମୀଙ୍କୁ ପୁରସ୍କୃତ କରିଥିଲେ। ରୁଚି ଶିଳ୍ପୋଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁଙ୍କ କନ୍ୟା ହେଉଛନ୍ତି ରଶ୍ମୀ। ଗତ ୨୦ ବର୍ଷ ମଧ୍ୟରେ ୧୫ରୁ ଉର୍ଦ୍ଧ୍ବ ଦେଶରେ ଆୟୋଜିତ ଆନ୍ତର୍ଜାତିକ ସମ୍ମିଳନୀ ଓ ଫୁଡ୍‌ ଫେଷ୍ଟିଭାଲ୍‌ରେ ସେ ଅଂଶଗ୍ରହଣ କରିଛନ୍ତି। ମାଦ୍ରିଦ୍‌ଠାରେ ଆନ୍ତର୍ଜାତିକ ମହିଳା ଉଦ୍ୟୋଗୀ ନେତୃତ୍ବ ସମ୍ମିଳନୀରେ ତାଙ୍କୁ ସମ୍ମାନିତ କରାଯିବା ସଫଳତାର ମାଇଲଖୁଣ୍ଟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର