ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ୪୦.୨ କୋଟି ଲୋକ କାମ କରିବାକୁ ଚାହୁଛନ୍ତି, କିନ୍ତୁ ସେମାନଙ୍କୁ କାମ ମିଳୁନାହିଁ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ) ଏହାର ରିପୋର୍ଟରେ ଏକଥା ଜଣାଇଛି। ୧୮.୬ କୋଟି ଲୋକ ସମ୍ପୂର୍ଣ୍ଣ ବେକାର ହୋଇ ବୁଲୁଥିବା ବେଳେ ୧୩.୭ କୋଟି ଲୋକ କାମ ପାଇଁ ନିଜକୁ ଉପଲବ୍ଧ କରିପାରିନାହାନ୍ତି। ୭.୯ କୋଟି ଲୋକ କାମ ଖୋଜିଖୋଜି ହତାଶ ହୋଇପଡ଼ିଛନ୍ତି। ତେଣୁ ସେମାନେ କାମ ଖୋଜିବା ବନ୍ଦ କରିଦେଇଛନ୍ତି। କରୋନା ମହାମାରୀ ପରେ କାମ ଖୋଜୁଥିବା ଲୋକଙ୍କ ସଂଖ୍ୟା ବଢ଼ିଥିଲା। ମହାମାରୀ ଦୂର ହେବା ପରେ ସ୍ଥିତିରେ ଧୀରେ ଧୀରେ ସୁଧାର ଘଟୁଛି। ଚାକିରି ଅଭାବ ସ୍ଥିତି ସ୍ବାଭାବିକ ହେବା ଲାଗି ଆହୁରି ଦୁଇ ବର୍ଷ ସମୟ ଲାଗିପାରେ ବୋଲି ଆଇଏଲ୍ଓ ଆକଳନ କରିଛି। ବିଶ୍ବସ୍ତରରେ ବେକାରି ହାର ୫ ପ୍ରତିଶତ ରହିଛି। କିନ୍ତୁ ଯୁବପିଢ଼ିଙ୍କ ମଧ୍ୟରେ ସେହି ହାର ୧୨.୬ ପ୍ରତିଶତ ଭଳି ଚିନ୍ତାଜନକ ସ୍ତରରେ ରହିଛି।
ବେକାରୀ ଦୂରୀକରଣରେ ଦୁଇଟି କ୍ଷେତ୍ର ବଡ଼ ଭୂମିକା ଗ୍ରହଣ କରିପାରିବ ବୋଲି ଆଇଏଲ୍ଓ ଜଣାଇଛି। ତାହା ହେଉଛି ଅକ୍ଷୟ ଶକ୍ତି ଓ ଡିଜିଟାଲ୍ ପ୍ରଯୁକ୍ତି। ସୋଲାର ଓ ହାଇଡ୍ରୋଜେନ୍ ପ୍ରକଳ୍ପରେ ନିବେଶ ବଢ଼ିବାରୁ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିଯୁକ୍ତି ୧.୬୨ କୋଟିକୁ ବୃଦ୍ଧି ପାଇଛି। କିନ୍ତୁ ସେଥିରୁ ଅଧା ଚାକିରି କେବଳ ପୂର୍ବ ଏସିଆରେ ସୃଷ୍ଟି ହୋଇଛି। ଡିଜିଟାଲ୍ ପ୍ରଯୁକ୍ତି ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। କିନ୍ତୁ ତାହାର ଲାଭ ଉଠାଇବା ଲାଗି ଅଧିକାଂଶ ଦେଶ ପାଖରେ ଭିତ୍ତିଭୂମି ଓ ଦକ୍ଷତାର ଅଭାବ ରହିଛି।
ଆଇଏଲ୍ଓ ମହାନିର୍ଦ୍ଦେଶକ ଗିଲ୍ବର୍ଟ ଏଫ୍ ହୋଙ୍ଗବୋ କହିଛନ୍ତି ଯେ ସାମାଜିକ ନ୍ୟାୟ ଓ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଭଲ କାମ ଓ ଉତ୍ପାଦନକ୍ଷମ ନିଯୁକ୍ତି ନିହାତି ଜରୁରୀ। ସାମାଜିକ ଅସ୍ଥିରତା, ଜଳବାୟୁ ପରିବର୍ତ୍ତନ ଓ ଋଣ ବୋଝ ଆହ୍ବାନ ସ୍ଥିତିକୁ ଜଟିଳ କରିଥିବା ବେଳେ ଶ୍ରମ ବଜାର ଆହ୍ବାନର ମୁକାବିଲା ଲାଗି ଆମକୁ ଶୀଘ୍ର ପଦକ୍ଷେପ ନେବାକୁ ହେବ ବୋଲି ସେ କହିଛନ୍ତି। ଦକ୍ଷତା ବିକାଶ, ଶିକ୍ଷା ଓ ଭିତ୍ତିଭୂମିରେ ନିବେଶ ବଢ଼ାଇବା, ଅସମାନତା କମ୍ କରିବା ଲାଗି ସାମାଜିକ ସୁରକ୍ଷା ପ୍ରଦାନ କରିବା ଏବଂ ଘରୋଇ ପାଣ୍ଠିକୁ ଉପଯୁକ୍ତ ଢଙ୍ଗରେ ନିବେଶ କରିବାକୁ ସେ କହିଛନ୍ତି।