ଆନ୍ତର୍ଜାତିକ ଶ୍ରମ ସଂଗଠନ ରିପୋର୍ଟ: ୫୦% ଯୁବପିଢ଼ି ଅବସାଦଗ୍ରସ୍ତ, ଚାକିରି ହରାଇ ଚିନ୍ତାରେ ୧୭%

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ବିଶ୍ବର ଯୁବପିଢ଼ିଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଛି। ବିଶ୍ବର ୫୦ ପ୍ରତିଶତ ଯୁବକଯୁବତୀ ଅବସାଦଗ୍ରସ୍ତ ହୋଇପଡ଼ିଛନ୍ତି। ଶିକ୍ଷା ଓ କର୍ମରେ ବିଭ୍ରାଟ ଦେଖାଦେବା ସହ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ବିଗିଡ଼ି ଯାଇଛି ବୋଲି ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ) ଜାରି କରିଥିବା ରିପୋର୍ଟରେ କୁହାଯାଇଛି। ଆଇଏଲ୍‌ଓ ଅନୁଯାୟୀ, କରୋନା ମହାମାରୀ ପାଇଁ ଭବିଷ୍ୟତର କ୍ୟାରିଅର ସମ୍ଭାବନା ଅନିଶ୍ଚିତ ହୋଇପଡ଼ିଛି ବୋଲି ଅନେକ ଯୁବକଯୁବତୀ ଭାବୁଛନ୍ତି। ସେମାନେ ଉଦବିଗ୍ନ ଅଛନ୍ତି। ପରିସ୍ଥିତିର ଚାପରେ ଅଧିକାଂଶ ଅବସାଦଗ୍ରସ୍ତ ହୋଇପଡ଼ିଛନ୍ତି। ଯଦି ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାନଯିବ ତେବେ ଯୁବପିଢ଼ି ଉପରେ କରୋନା ମହାମାରୀର ଗୁରୁତର ପ୍ରଭାବ ଦୀର୍ଘଦିନ ପର୍ଯ୍ୟନ୍ତ ରହିବ ବୋଲି ଆଇଏଲ୍‌ଓ ସତର୍କ କରାଇ ଦେଇଛି।

ବିଶେଷ କରି ୧୯ରୁ ୨୯ ବର୍ଷ ବୟସର ଯୁବକଯୁବତୀଙ୍କ ନିଯୁକ୍ତି, ଶିକ୍ଷା, ମାନସିକ ସ୍ବାସ୍ଥ୍ୟ, ଅଧିକାର ଓ ସାମାଜିକ କାର୍ଯ୍ୟକଳାପ ଉପରେ କରୋନା ମହାମାରୀର କ’ଣ ପ୍ରଭାବ ରହିଛି ତାହା ଜାଣିବା ଲାଗି ଆଇଏଲ୍‌ଓ ଏକ ସର୍ଭେ କରିଥିଲେ। ବିଶ୍ବର ୧୧୨ଟି ଦେଶର ୧୨ ହଜାରରୁ ଅଧିକ ଯୁବକଯୁବତୀ ଏଥିରେ ଅଂଶଗ୍ରହଣ କରିଥିଲେ। ଯେଉଁମାନେ ଚାକିରି ହରାଇଛନ୍ତି କିମ୍ବା ଯେଉଁମାନଙ୍କ ପାଠପଢ଼ା ଅଟକିଯାଇଛି ସେମାନେ ଚାକିରିରେ ଥିବା କିମ୍ବା ପାଠପଢ଼ା ଜାରି ରଖିଥିବା ଯୁବପିଢ଼ିଙ୍କ ତୁଳନାରେ ଦୁଇ ଗୁଣା ଅଧିକ ଅବସାଦଗ୍ରସ୍ତ ହୋଇଛନ୍ତି। ଏହି ସର୍ଭେରେ ଭାଗ ନେଇଥିବା ୨୮% ଯୁବକଯୁବତୀ କହିଛନ୍ତି ଯେ ସେମାନେ ନିଜର ଭବିଷ୍ୟତ କ୍ୟାରିଅରକୁ ନେଇ ଅନିଶ୍ଚିତ ଅଛନ୍ତି। କରୋନା ସଙ୍କଟ ପ୍ରଭାବରେ ପ୍ରତି ଛଅ ଜଣରୁ ଅତିକମ୍‌ରେ ଜଣେ ଜୀବିକା ହରାଇଛନ୍ତି। ଏବେ ୧୩ ପ୍ରତିଶତ ଯୁବପିଢ଼ି ପାଠପଢ଼ା କିମ୍ବା ପ୍ରଶିକ୍ଷଣ ସୁବିଧା ପାଉନଥିବା କହିଛନ୍ତି। ନିମ୍ନ ଆୟ ବର୍ଗର ଦେଶଗୁଡ଼ିକରେ ଏହି ସଙ୍କଟ ଆହୁରି ଉତ୍କଟ ସ୍ତରରେ ରହିଛି। ଅନ୍‌ଲାଇନ୍‌ରେ ପାଠପଢ଼ାଇବା ଲାଗି ଶିକ୍ଷାନୁଷ୍ଠାନଗୁଡ଼ିକ ବହୁତ ଉଦ୍ୟମ କରୁଥିଲେ ମଧ୍ୟ ସର୍ଭେରେ ଭାଗ ନେଇଥିବା ୬୫ ପ୍ରତିଶତ ପିଲା କହିଛନ୍ତି ଯେ ସେମାନଙ୍କ ପାଠପଢ଼ା ପୂର୍ବାପେକ୍ଷା ହ୍ରାସ ପାଇଛି। ପ୍ରାୟ ୯ ପ୍ରତିଶତ ପିଲାଙ୍କ ମନରେ ଫେଲ୍‌ ହେବାର ଭୟ ସୃଷ୍ଟି ହୋଇଛି। କରୋନା ସଙ୍କଟ ପୂର୍ବରୁ କାମ କରୁଥିବା ପିଲାଙ୍କ ମଧ୍ୟରୁ ୧୭% ଚାକିରି ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୧୮-୨୪ ବର୍ଷ ଭିତରେ ରହିଛି।

ଏହି ରିପୋର୍ଟ ସମ୍ପର୍କରେ ଆଇଏଲ୍‌ଓର ଡାଇରେକ୍ଟର ଜେନେରାଲ୍ ଗାୟ ରାଇଡର୍‌ କହିଛନ୍ତି ଯେ କରୋନା ମହାମାରୀ କେବଳ ଯୁବପିଢ଼ିଙ୍କ ପେସା କିମ୍ବା ଜୀବିକା ଛଡ଼ାଇ ନାହିଁ, ଏହା ସେମାନଙ୍କ ପାଠପଢ଼ା ଓ ପ୍ରଶିକ୍ଷଣକୁ ପ୍ରଭାବିତ କରିଛି। ତେଣୁ ସେମାନଙ୍କ ମାନସିକ ସ୍ଥିତି ଗୁରୁତର ଭାବେ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର