ଇଣ୍ଟରନେଟ୍‌ ବେଗ ନେଇ ଚିନ୍ତା, ଘରେ ରହି କାର୍ଯ୍ୟ କରିବାରେ ଅସୁବିଧା

ଅନ୍‌ଲାଇନ୍ କ୍ଲାସେସ୍‌ ଅଧିକ ଚାପ ସୃଷ୍ଟି କରିଛି, ଉଭୟ ଅପଲୋଡ୍‌, ଡାଉନ୍‌ଲୋଡ୍‌ ବେଗ କମିଛି

ଭୁବନେଶ୍ବର: କରୋନା ବିଶ୍ବ ମହାମାରୀର ମୁକାବିଲା ଲାଗି ଦେଶରେ ୪୦ ଦିନିଆ ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ଅଧିକାଂଶ କମ୍ପାନି ଓ ସଂସ୍ଥାର କର୍ମଚାରୀମାନେ ଘରେ ରହି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଯେକୌଣସି ପ୍ରକାରେ ବ୍ୟବସାୟ ଜାରି ରଖିବାକୁ ଶିଳ୍ପସଂସ୍ଥାଗୁଡ଼ିକ ଉଦ୍ୟମ କରୁଥିବା ବେଳେ ଅଧିକାଂଶ କାର୍ଯ୍ୟ ଇଣ୍ଟରନେଟ୍‌ ଉପରେ ନିର୍ଭରଶୀଳ ହୋଇପଡ଼ିଛି। ଲୋକମାନେ ଘରେ ରହି ମୋବାଇଲ୍‌ରେ ଅଧିକ ସମୟ ଭିଡିଓ ଦେଖିବା, ଘରେ ରହି କାର୍ଯ୍ୟ କରୁଥିବା ଲୋକମାନେ ଅଧିକ ଡାଟା ବ୍ୟବହାର କରିବା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଅନ୍‌ଲାଇନ୍ କ୍ଲାସେସ୍‌ ଆରମ୍ଭ ହେବା ପରେ ଡାଟାର ଚାହିଦା ବହୁତ ବଢ଼ିଯାଇଛି। ଫଳରେ ଇଣ୍ଟରନେଟର ବେଗ ଧିମା ହୋଇଯାଇଛି। ଯେଉଁ କାର୍ଯ୍ୟ ଗତ ଫେବ୍ରୁଆରିରେ ଶୀଘ୍ର ଅନଲାଇନ୍‌ରେ ହୋଇପାରୁଥିଲା ଲକଡାଉନ୍ ପରେ ସେଥିପାଇଁ ଅଧିକ ସମୟ ଲାଗୁଛି। ବ୍ରଡବ୍ୟାଣ୍ଡ ସଂଯୋଗ ନେଇଥିବା ଗ୍ରାହକମାନେ ଅପେକ୍ଷାକୃତ ଭଲ ସ୍ଥିତିରେ ଅଛନ୍ତି। କିନ୍ତୁ ଦିନର କେତେକ ନିର୍ଦିଷ୍ଟ ସମୟରେ ଓୟାର‌ଲେସ୍‌ ଡାଟା ବ୍ୟବହାରକାରୀଙ୍କ ଇଣ୍ଟରନେଟ ବେଗ ବହୁତ କମିଯାଉଛି, ଯଦ୍ବାରା ସେମାନେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବାରେ ଅସୁବିଧାର ସାମ୍ନା କରୁଛନ୍ତି। ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ଚଳମାନ ରଖିବାକୁ ହେଲେ ଏହି ଦିଗ ପ୍ରତି ସରକାରଙ୍କୁ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମ‌ାନେ କହିଛନ୍ତି। ‌ଗତ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍ ଆରମ୍ଭ ହେବା ପରଠାରୁ ରାଜ୍ୟରେ ଡାଟା ଚାହିଦା ୨୦-୨୨ ପ୍ରତିଶତ ବଢ଼ିଛି ବୋଲି ଏକ ଟେଲିକମ୍ କଂପାନିର ଜଣେ ଅଧିକାରୀ କହିଛନ୍ତି। ଯେହେତୁ ତଥ୍ୟ ଦେବାର ଅଧିକାର ତାଙ୍କୁ କଂପାନି ତରଫରୁ ଦିଆଯାଇନାହିଁ ତେଣୁ ସେ ନିଜ ନାମ ଗୋପନ ରଖିବାକୁ ଅନୁରୋଧ କରିଛନ୍ତି।

ଲକ୍‌ଡାଉନ୍ ପ୍ରଭାବରେ ଲୋକମାନେ ଘର ଭିତରେ ବାନ୍ଧି ହୋଇ ରହିଯାଇଥିବା ବେଳେ ଅଧିକାଂଶ କାର୍ଯ୍ୟକୁ ଇଣ୍ଟରନେଟ୍‌ ଜରିଆରେ କରିବାକୁ ବାଧ୍ୟ ହେଉଛନ୍ତି। ସରକାର ମଧ୍ୟ ଅନଲାଇନ୍ ଓ ଡିଜିଟାଲ୍ ସେବାକୁ ଅଧିକ ବ୍ୟବହାର କରିବାକୁ ଆହ୍ବାନ ଦେଉଛନ୍ତି। ଓଡ଼ିଶାରେ ଡାଟା ଚାହିଦାରେ ହଠାତ୍‌ ବୃଦ୍ଧି ହୋଇଥିବାରୁ ପ୍ରାୟ ସବୁ କଂପାନିର ଅପ୍‌‌ଲୋଡ୍‌ ଓ ଡାଉନ୍‌ଲୋଡ୍‌ ସ୍ପିଡ୍ କମିଯାଇଛି। ଗତ ଫେବ୍ରୁଆରି ତୁଳନାରେ ମାର୍ଚ୍ଚରେ ଉଭୟ ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ବେଗ କମିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତଥ୍ୟ ଅନୁଯାୟୀ, ଗତ ଫେବ୍ରୁଆରିରେ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୧୧.୬ ଏମ୍‌ବିପିଏସ୍‌ ଥିଲା। ମାର୍ଚ୍ଚରେ ତାହା ୭ ଏମ୍‌ବିପିଏସ୍‌କୁ ହ୍ରାସ ପାଇଛି। ମାସକ ଭିତରେ ଆଇଡିଆର ଡାଉନ୍‌ଲୋଡ୍‌ ସ୍ପିଡ୍‌ ୭ ଏମ୍‌ବିପିଏସ୍‌ରୁ ହ୍ରାସ ପାଇ ୫.୮ ଏମ୍‌ବିପିଏସ୍‌ ହୋଇଛି। ‌ରିଲାଏନ୍ସ ଜିଓ ଏକମାତ୍ର କଂପାନି ଯାହାର ଡାଉନ୍‌ଲୋଡ୍‌ ସ୍ପିଡ୍‌ ଗତ ଫେବ୍ରୁଆରିରେ ୨୨.୭ ଏମ୍‌ବିପିଏସ୍‌ ଥିଲା। ମାର୍ଚ୍ଚ ମାସରେ ତାହା ୨୬.୮ ଏମ୍‌ବିପିଏସ୍‌କୁ ବୃଦ୍ଧି ପାଇଛି। ସରକାରୀ ଟେଲିକମ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ) ରାଜ୍ୟରେ ୩ଜି ମୋବାଇଲ୍‌ ସେବା ପ୍ରଦାନ କରୁଛି। ଏହାର ଇଣ୍ଟରନେଟ ବେଗ ସମ୍ପର୍କିତ ତଥ୍ୟ ହସ୍ତଗତ ହୋଇପାରିନାହିଁ।

ବେଗ କମିବାର ପ୍ରମୁଖ କାରଣ
ଭିଡିଓ କନଫରେନ୍ସିଂରେ ହେଉଥିବା ବୈଠକ
ୱାର୍କ ଫ୍ରମ୍‌ ହୋମ୍‌ ବା ଘରେ ରହି ଇଣ୍ଟରନେଟ୍‌କୁ ବ୍ୟବହାର କରି କାର୍ଯ୍ୟ କରିବା
ଶିକ୍ଷାନୁଷ୍ଠାନଗୁଡ଼ିକର ଅନଲାଇନ୍‌ କ୍ଲାସେସ୍‌
ଲୋକମାନେ ଘରେ ରହି ପୂର୍ବାପେକ୍ଷା ଅଧିକ ଭିଡିଓ ଦେଖୁଛନ୍ତି
ହ୍ବାଟସଆପ ଓ ଇ-ମେଲ୍‌ରେ ଅଧିକ ପରିମାଣର ତଥ୍ୟ ଆଦାନପ୍ରଦାନ ହେଉଛି

ଅଧିକାରୀ ଜଣକ କହିଛନ୍ତି ଯେ, ରାଜ୍ୟରେ ଟେଲିକମ୍ କଂପାନିଗୁଡ଼ିକର ୨୦ ହଜାରରୁ ଅଧିକ ମୋବାଇଲ୍‌ ଟାୱାର ରହିଛି। ସାଧାରଣତଃ ଚାହିଦା ଅନୁସାରେ କଂପାନିଗୁଡ଼ିକ ନୂଆ ଟାୱାର ସ୍ଥାପନ କରନ୍ତି କିମ୍ବା ଅନ୍ୟ କଂପାନିର ଟାୱାରକୁ ସେୟାରିଂ ଭିତ୍ତିରେ ବ୍ୟବହାର କରିଥାନ୍ତି। ଯେହେତୁ ଟାୱାର ସ୍ଥାପନ କରିବା ଏକ ବ୍ୟୟବହୁଳ ବ୍ୟାପାର ସେଥିପାଇଁ ବ୍ୟାବସାୟିକ ଦୃଷ୍ଟିରୁ ଲାଭଜନକ ବୋଲି ମନେ ହେବା ପରେ କଂପାନିଗୁଡ଼ିକ ଟାୱାର ବସାଇବାକୁ ଆଗ୍ରହ ପ୍ରକାଶ କରନ୍ତି। କିଛି ବର୍ଷ ହେଲା ଏକ ନିର୍ଦିଷ୍ଟ ସମୟର ଚାହିଦାର (ଯଥା ରଥଯାତ୍ରା ସମୟର ଭିଡ଼) ମୁକାବିଲା କରିବା ଲାଗି କଂପାନିଗୁଡ଼ିକ ଭ୍ରାମ୍ୟମାଣ ଟାୱାରର ସହାୟତା ନେଉଛନ୍ତି। ଲକ୍‌ଡାଉନ ପରେ ‌ଡାଟା ଚାହିଦାରେ ଯେଉଁଭଳି ଭାବେ ବୃଦ୍ଧି ଘଟିଛି ତାହାର ମୁକାବିଲା କରିବା ଲାଗି କଂପାନିଗୁଡ଼ିକ ପ୍ରସ୍ତୁତ ହୋଇନାହାନ୍ତି। ଦ୍ବିତୀୟରେ ସ୍ପେକ୍ଟ୍ରମ୍ ମଧ୍ୟ ବଡ଼ ଭୂମିକା ନିର୍ବାହ କରୁଛି। ଯେଉଁ କଂପାନି ଯେଉଁ ମେଗାହର୍ଚ୍ଚର ‌ସ୍ପେକ୍ଟ୍ରମ୍ ପାଇଛି ତାହା କେବଳ ସେହି ଧରଣର ଟାୱାର ବସାଇ ପାରିବ। ତେଣୁ ବୈଷୟିକ ଦୃଷ୍ଟିକୋଣରୁ ବର୍ତ୍ତମାନ ସମୟରେ ହଠାତ୍‌ ବ୍ୟାଣ୍ଡ୍‌ୱିଡ୍‌ଥ ବଢ଼ାଇବା ଏକ ଜଟିଳ ବ୍ୟାପାର ବୋଲି ସେ କହିଛନ୍ତି। 

କେନ୍ଦ୍ର ସରକାର ଟେଲିକମକୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ କରିଥିବାରୁ ତାହା ଯେଭଳି ସୁରୁଖୁରୁରେ ଚାଲିବ ସେଥିପ୍ରତି କଂପାନିଗୁଡ଼ିକ ବିଶେଷ ଧ୍ୟାନ ଦେଉଛନ୍ତି। ‌‌କୌଣସି ପରିସ୍ଥିତିରେ ଯେଭଳି ଟେଲିଫୋନ ଯୋଗାଯୋଗ ବିଚ୍ଛିନ୍ନ ନହୁଏ ସେଥିପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ପ୍ରାୟ ସବୁ କଂପାନି ‘ୱାର୍କ ଫ୍ରମ ହୋମ୍‌’ ପାଇଁ ସ୍ବତନ୍ତ୍ର ରିଚାର୍ଜ ଅଫର ଘୋଷଣା କରିଥିବା ବେଳେ ଡିଜିଟାଲ ମାଧ୍ୟମରେ ଗ୍ରାହକମାନେ ଯେଭଳି ସୁବିଧାରେ ନିଜ ଫୋନକୁ ରିଚାର୍ଜ କରିପାରିବେ ସେହି ସୁବିଧା ଯୋଗାଇ ଦେଉଛନ୍ତି। ଗତବର୍ଷ ଡିସେମ୍ବର ମାସ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୩ କୋଟି ୯୧ ଲକ୍ଷ ୪ ହଜାର ୪୯୦ ଜଣ ମୋବାଇଲ ଗ୍ରାହକ ଅଛନ୍ତି। ସେଥି ମଧ୍ୟରୁ ଜିଓର ସର୍ବାଧିକ ୧ କୋଟି ୧୮ ଲକ୍ଷ ୨ ହଜାର ୮୮ ଜଣ, ଏୟାରଟେଲର ଦ୍ବିତୀୟ ସର୍ବାଧିକ ୧ କୋଟି ୧୭ ଲକ୍ଷ ୫୬ ହଜାର ୩୮୧ ଜଣ, ଭୋଡାଫୋନ ଆଇଡିଆର ୩୪ ଲକ୍ଷ ୩୦ ହଜାର ୬୨୧ ଜଣ ଓ ବିଏସଏନଏଲର ୬୦ ଲକ୍ଷ ୨୩ ହଜାର ୭୪୮ ଜଣ ମୋବାଇଲ ଗ୍ରାହକ ଅଛନ୍ତି। ଏହା ବ୍ୟତୀତ ଏହି କଂପାନିଗୁଡ଼ିକର ଲ୍ୟାଣ୍ଡଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ୍‌ ଗ୍ରାହକମାନେ ମଧ୍ୟ ଅଛନ୍ତି। ସର୍ବଭାରତୀୟ ସ୍ତରରେ ମାର୍ଚ୍ଚ ମାସରେ ଡାଉନଲୋଡ ବେଗ ୨୨.୫ ପ୍ରତିଶତ ଓ ଅପଲୋଡ୍ ବେଗ ୧୩ ପ୍ରତିଶତ ହ୍ରାସ ପାଇଛି। ଓଡ଼ିଶାରେ ମଧ୍ୟ ସମାନ ଧରଣର ସ୍ଥିତି ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର