ଅନ୍ତଃ ରାଜ୍ୟ ଗାଡ଼ି ସ୍ଥାନାନ୍ତର ସହଜ ହେବ: ଆସିଲା ‘ଭାରତ-ସିରିଜ୍‌’ ପଞ୍ଜୀକରଣ ମାର୍କ

ଭୁବନେଶ୍ବର: ଚାକିରିରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବଦଳି ହେଲେ ସର୍ବାଧିକ ସମସ୍ୟା ସେହି ଲୋକମାନେ ‌ଭୋଗନ୍ତି ଯେଉଁମାନଙ୍କ ପାଖରେ ଗାଡ଼ି ଥାଏ। ଅନ୍ୟ ସବୁ ଜିନିଷପତ୍ର ସହିତ ଗାଡ଼ିକୁ ମଧ୍ୟ ନେବାକୁ ପଡ଼େ। ଯେହେତୁ ଗାଡ଼ିଟି ଅନ୍ୟ ଏକ ରାଜ୍ୟର ପରିବହନ କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜୀକୃତ ହୋଇଥାଏ ତେଣୁ ତାହାକୁ ନୂଆ ରାଜ୍ୟରେ ପୁନଃ ପଞ୍ଜୀକରଣ ନକରି ଗାଡ଼ି ଚଲାଇଲେ ଅସୁବିଧା ଭୋଗିବାକୁ ପଡ଼ିଥାଏ। ଏଭଳି ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଭାରତ ସିରିଜ୍ ବା ବିଏଚ୍‌ ସିରିଜ୍ ପଞ୍ଜୀକରଣ ମାର୍କ ଘୋଷଣା କରାଯାଇଛି। ଯେଉଁ ଗାଡ଼ିଗୁଡ଼ିକ ଏହି ମାର୍କରେ ପଞ୍ଜୀକରଣ ହୋଇଥିବ ତାହା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଲେ ଆଉ ପଞ୍ଜୀକରଣ ବଦଳାଇବାକୁ ପଡ଼ିବ ନାହିଁ। ଏହି ଗାଡ଼ିଗୁଡ଼ିକର ନମ୍ବର ‘ପଞ୍ଜୀକରଣ ବର୍ଷ-ଭାରତ ସିରିଜ୍ କୋଡ୍‌ ବା ବିଏଚ୍‌-ଗାଡ଼ି ନମ୍ବର (୦୦୦୦-୯୯୯୯ ପର୍ଯ୍ୟନ୍ତ)-ଇଂରାଜି ଅକ୍ଷର (ଏରୁ ଜେଡ୍ ପର୍ଯ୍ୟନ୍ତ)’ ହିସାବରେ ରହିବ। ଲୋକମାନେ ବ୍ୟକ୍ତିଗତ ବ୍ୟବହାର ଲାଗି କିଣିଥିବା ଗାଡ଼ି ଅନ୍ୟ ରାଜ୍ୟକୁ ନେବା ବେଳେ ଏହି ସୁବିଧା ପାଇବେ।

ପ୍ରତିରକ୍ଷା କର୍ମଚାରୀ, କେନ୍ଦ୍ର ସରକାରଙ୍କ କର୍ମଚାରୀ, ରାଜ୍ୟ ସରକାରଙ୍କ କର୍ମଚାରୀ, କେନ୍ଦ୍ରୀୟ ପିଏସ୍‌ୟୁ, ରାଜ୍ୟ ପିଏସ୍‌ୟୁର କର୍ମଚାରୀ କିମ୍ବା ଘରୋଇ କଂପାନି ଓ ସଂସ୍ଥା ଯାହାର ଚାରି କିମ୍ବା ତା’ଠାରୁ ଅଧିକ ରାଜ୍ୟରେ କାର୍ଯ୍ୟାଳୟ ଥିବ ସେହି ସଂସ୍ଥାଗୁଡ଼ିକର କର୍ମଚାରୀମାନଙ୍କ ପାଇଁ ଭାରତ ସିରିଜ୍ ଗାଡ଼ି ପଞ୍ଜୀକରଣ ସୁବିଧା ସ୍ବେଚ୍ଛାଧୀନ ରହିବ। ମୋଟ ଗାଡ଼ି ଟିକସ ଦୁଇ ବର୍ଷ ପାଇଁ ଲାଗୁ ହେବ ଏବଂ ଏହା ପରେ ପ୍ରତି ଦୁଇ ବର୍ଷର ଗୁଣିତକ ହିସାବରେ ଆଗକୁ ବଢ଼ିବ। ଏହି ବ୍ୟବସ୍ଥା ଯୋଗୁଁ ବାରମ୍ବାର ବଦଳି ହେବା ଭଳି ଚାକିରି କରିଥିବା କର୍ମଚାରୀମାନେ ଗାଡ଼ିର ପଞ୍ଜୀକରଣ ବଦଳାଇବାକୁ ନେଇ ଆଉ ଚିନ୍ତା କରିବେ ନ‌ାହିଁ। ଏଭଳି ଗାଡ଼ି ୧୪ ବର୍ଷ ପୁରୁଣା ହୋଇଯିବା ପରେ ପ୍ରତିବର୍ଷ ମୋଟର ଗାଡ଼ି ଟିକସ ଦେବାକୁ ପଡ଼ିବ ଯାହା ପୂର୍ବରୁ ଦିଆଯାଉଥିବା ଟିକସର ଅଧା ରହିବ।

ପୂର୍ବରୁ ଅନ୍ତଃ ରାଜ୍ୟ ଗାଡ଼ି ସ୍ଥାନାନ୍ତର ଏକ ଜଟିଳ ବ୍ୟାପାର ଥିଲା। ମୋଟର ଯାନ ନିୟମ ୧୯୮୮ର ଧାରା ୪୭ ଅନୁସାରେ ଗାଡ଼ି ଯେଉଁ ରାଜ୍ୟରେ ପଞ୍ଜୀକରଣ ହୋଇଛି ସେଠାରୁ ତାହାକୁ ଅନ୍ୟ ଏକ ରାଜ୍ୟକୁ ନେ‌ଲେ ୧୨ ମାସରୁ ଅଧିକ ସମୟ ରଖିହେବ ନାହିଁ। ଗାଡ଼ି ମାଲିକଙ୍କୁ ୧୨ ମାସ ଭିତରେ ନୂଆ ରାଜ୍ୟର ପରିବହନ କର୍ତ୍ତୃପକ୍ଷଙ୍କ ନିକଟରେ ଗାଡ଼ିକୁ ପଞ୍ଜୀକରଣ କରିବାକୁ ପଡ଼ିବ। ଏହି ସୁବିଧା ହାସଲ କରିବା ଲାଗି ଗାଡ଼ି ମାଲିକଙ୍କୁ ପଞ୍ଜୀକରଣ ହୋଇଥିବା ରାଜ୍ୟର ପରିବହନ କର୍ତ୍ତୃପକ୍ଷଙ୍କ ଠାରୁ ଏନ୍‌ଓସି ଆଣିବାକୁ ପଡ଼ିବ। ନୂଆ ରାଜ୍ୟରେ ସଡ଼କ ଟିକସ ଦେବା ପରେ ନୂଆ ପଞ୍ଜୀକରଣ ମାର୍କ ଜାରି ହେବ। ଏହା ପରେ ଯେଉଁ ରାଜ୍ୟରେ ପୂର୍ବରୁ ଗାଡ଼ିର ପଞ୍ଜୀକରଣ ହୋଇଥିଲା ସେଠାକାର ପରିବହନ କର୍ତ୍ତୃପକ୍ଷଙ୍କ ଠାରୁ ସଡ଼କ ଟିକସ ଫେରସ୍ତ ପାଇବା ଲାଗି ଆବେଦନ କରିବାକୁ ପଡ଼ିଥାଏ। ଏହା ଏକ ଅତ୍ୟନ୍ତ ଜଟିଳ ବ୍ୟାପାର ଥିଲା ଯାହାକୁ ଭାରତ ସିରିଜ୍ ପଞ୍ଜୀକରଣ ମାର୍କ ଜରିଆରେ ସହଜ କରାଯାଇଛି।

ସମ୍ବନ୍ଧିତ ଖବର