ସ୍ବଳ୍ପ ସଞ୍ଚୟ ସ୍କିମ୍ ସୁଧ ବଢ଼ିଲା: ସୁକନ୍ୟା ସମୃଦ୍ଧିରେ ମିଳିବ ୮% ସୁଧ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ବର୍ଷର ଏପ୍ରିଲ୍‌-ଜୁନ୍ ତ୍ରୈମାସିକ ପାଇଁ ସ୍ବଳ୍ପ ସଞ୍ଚୟ ସ୍କିମ୍‌ଗୁଡ଼ିକର ସୁଧରେ ୦.୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ଅର୍ଥ ମନ୍ତ୍ରାଳୟ ଏକ ସର୍କୁଲାର ଜାରି କରିଛି। ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍, ମାସିକ ଆୟ ସଞ୍ଚୟ ସ୍କିମ୍‌, ଜାତୀୟ ସଞ୍ଚୟ ସାର୍ଟିଫିକେଟ୍, କିସାନ ବିକାଶ ପତ୍ର, ସମସ୍ତ ଡାକ ଘର ଜମା ଓ ସୁକନ୍ୟା ସମୃଦ୍ଧି ଯୋଜନା ସ୍କିମ୍‌ର ସୁଧ ବୃଦ୍ଧି କରାଯାଇଛି। ତେବେ ପବ୍ଲିକ୍ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ (ପିପିଏଫ୍‌) ସୁଧ ପୁଣି ଥରେ ୭.୧ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି।

ଅର୍ଥ ମନ୍ତ୍ରାଳୟ ଅନୁଯାୟୀ, ଡାଘ ଘର ସଞ୍ଚୟ ସ୍କିମ୍‌ ସୁଧ ୪ ପ୍ରତିଶତ ରହିଥିବା ବେଳେ ଏକ ବର୍ଷିଆ ଜମା ସୁଧ ୬.୮ ପ୍ରତିଶତ, ଦୁଇ ବର୍ଷିଆ ଜମା ସୁଧ ୬.୯ ପ୍ରତିଶତ, ୩ ବର୍ଷିଆ ଜମା ସୁଧ ୭ ପ୍ରତିଶତ, ପାଞ୍ଚ ବର୍ଷିଆ ଜମା ସୁଧ ୭.୫ ପ୍ରତିଶତ, ୫ ବର୍ଷିଆ ରିକରିଂ ଜମା ସୁଧ ୫.୮ ପ୍ରତିଶତ , ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍ ସୁଧ ୮.୨ ପ୍ରତିଶତ, ମାସିକ ଆୟ ଖାତା ସୁଧ ୭.୪ ପ୍ରତିଶତ, ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ ସୁଧ ୭.୭ ପ୍ରତିଶତ, କିସାନ ବିକାଶ ପତ୍ର ସୁଧ ୭.୫ ପ୍ରତିଶତ ଓ ସୁକନ୍ୟା ସମୃଦ୍ଧି ଯୋଜନା ସୁଧ ୮ ପ୍ରତିଶତ ରହିଛି। ନୂଆ ସୁଧ ହାର ଏପ୍ରିଲ୍‌ ୧ରୁ ଲାଗୁ ହେବ। ଶ୍ୟାମଳା ଗୋପୀନାଥ କମିଟି ନିର୍ଧାରଣ କରିଥିବା ଫର୍ମୁଲା ଅନୁସାରେ ପ୍ରତି ତ୍ରୈମାସିକରେ ସ୍ବଳ୍ପ ସଞ୍ଚୟ ସ୍କିମ୍‌ ସୁଧର ସମୀକ୍ଷା କରି ସେଥିରେ ସଂଶୋଧନ କରାଯାଉଛି। ଚଳିତ ବର୍ଷର ଜାନୁଆରି-ମାର୍ଚ୍ଚ ତ୍ରୈମାସିକ ପାଇଁ ସ୍ବଳ୍ପ ସଞ୍ଚୟ ସ୍କିମ୍ ସୁଧରେ ୦.୨୦ରୁ ୧.୧୦ ପ୍ରତିଶତ ପର୍ଯ୍ୟନ୍ତର ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧିତ ଖବର