ମୁମ୍ବାଇ: ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ କମ୍ କରିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସେହି ପଥରେ ଆଗକୁ ବଢ଼ିବ ବୋଲି ଯେଉଁ ଆଶା କରାଯାଉଥିଲା। କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ମୁଦ୍ରା ନୀତି କମିଟି ସୁଧ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ତେବେ କମିଟି ଏହା ଜଣାଇ ଦେଇଛି ଯେ ଆଗାମୀ ଦିନରେ ସୁଧ କମ୍ ହେବାର ସମ୍ଭାବନା ରହିଛି। ରେପୋ ହାର ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଥିବାରୁ ବ୍ୟକ୍ତିଗତ ଋଣ, ଗୃହ ଋଣ ଓ ଗାଡ଼ି ଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି ବା ଇଏମ୍‌ଆଇରେ କୌଣସି ପରିବର୍ତ୍ତନ ହେବନାହିଁ। 

Advertisment

ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ। ଭଲ ମୌସୁମୀ ବର୍ଷା ହୋଇଥିବା ବେଳେ କଳ କାରଖାନାରେ ଉତ୍ପାଦନ ଉତ୍ସାହଜନକ ରହିବା ସହ ସେବା କ୍ଷେତ୍ରରେ ମଧ୍ୟ ଉତ୍ସାହ ରହିଛି। ସେଥିପାଇଁ କୃଷି କ୍ଷେତ୍ରର ଅଭିବୃଦ୍ଧି ତ୍ବରାନ୍ବିତ ହେବ ଯାହା ସାମଗ୍ରିକ ଭାବେ ଅର୍ଥନୀତିର ଗତିକୁ ଆଗକୁ ବଢ଼ାଇବ ‌ବୋଲି ରିଜର୍ଭ ବ୍ୟାଙ୍କ କହିଛି। କେବଳ ସେତିକି ନୁହେଁ, ନିବେଶ ଦୃଢ଼ ରହିଥିବା ବେଳେ ବ୍ୟାଙ୍କ ଋଣରେ ମଧ୍ୟ ବୃଦ୍ଧି ଘଟିଛି, କଳ କାରଖାନାଗୁଡ଼ିକର କ୍ଷମତା ଠିକ୍ ଭାବେ ଉପଯୋଗ ହେଉଥିବା ବେଳେ ଭିତ୍ତିଭୂମିରେ ସରକାରୀ ବ୍ୟୟ ମଧ୍ୟ ବଢ଼ିବାରେ ଲାଗିଛି। ତାହା ଅଭିବୃଦ୍ଧିକୁ ସୁହାଇବ ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛି। ମୁଦ୍ରାସ୍ଫୀତି ସମ୍ପର୍କ ରିଜର୍ଭ ବ୍ୟାଙ୍କ କହିଛି ଯେ ରବି ଋତୁରେ ଚାଷ ଭଲ ହୋଇଥିବା ବେଳେ ଖରିଫ ଫସଲ ଭଲ ରହିଲେ ଖାଦ୍ୟ ସାମଗ୍ରୀର ଦରଦାମ୍‌ ନିୟନ୍ତ୍ରଣରେ ରହିବ। ୨୦୨୪-୨୫ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।

ୟୁପିଆଇ ଲାଇଟ୍‌ ୱାଲେଟ୍‌, ୟୁପିଆଇ୧୨୩ପେ‌’ କାରବାର ସୀମା ବଢ଼ିଲା
ମୁମ୍ବାଇ: ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଗ୍ରହଣୀୟତା ବୃଦ୍ଧି ପାଉଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟୁପିଆଇ ଲାଇଟ୍‌ ୱାଲେଟ୍‌ର ସୀମାକୁ ୨୦୦୦ ଟଙ୍କାରୁ ବଢ଼ାଇ ୫୦୦୦ ଟଙ୍କା କରାଯାଇଛି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ସେହିପରି କାରବାର ପିଛା ସୀମାକୁ ୫୦୦ ଟଙ୍କାରୁ ବଢ଼ାଇ ୧୦୦୦ ଟଙ୍କା କରାଯାଇଛି। ଏହାବ୍ୟତୀତ ୟୁପିଆଇ୧୨୩ପେ’ର କାରବାର ପିଛା ସୀମାକୁ ୫୦୦୦ ଟଙ୍କାରୁ ବଢ଼ାଇ ୧୦,୦୦୦ ଟଙ୍କା କରାଯାଇଛି। ଏହି ବ୍ୟବସ୍ଥା ଏବେ ୧୨ଟି ଭାଷାରେ ଉପଲବ୍ଧ ହୋଇଛି। ୨୦୨୨ ମାର୍ଚ୍ଚରେ ୟୁପିଆଇ୧୨୩ପେ ଆରମ୍ଭ କରାଯାଇଥିଲା। ଏହା ପୂର୍ବରୁ ଅଗଷ୍ଟ ମାସରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟୁପିଆଇରେ କାରବାର ପିଛା ସୀମାକୁ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇଥିଲା। ଏଥି ପ୍ରାଥମିକ ୟୁପିଆଇ ବ୍ୟବହାରକାରୀ ଜଣେ ମାଧ୍ୟମିକ ବ୍ୟବହାରକାରୀଙ୍କ ଲାଗି କାରବାର ସୀମା ନିର୍ଧାରଣ କରିବାର ସୁବିଧା ମଧ୍ୟ ପ୍ରଦାନ କରାଯାଇଥିଲା। ୟୁପିଆଇ କାରବାରକୁ ଆହୁରି ସହଜ କରିବା ଏବଂ ପେମେଣ୍ଟ ପାଇଁ ତାହାକୁ ପ୍ରମୁଖ ମାଧ୍ୟମରେ ପରିଣତ କରିବା ଲାଗି ଏହି ପଦକ୍ଷେପଗୁଡ଼ିକ ଗ୍ରହଣ କରାଯାଇଛି।