ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ: ୫୦ ହଜାର କୋଟି ବିନିଯୋଗ

ଓଡ଼ିଶାର ୪ ଜିଲ୍ଲା ସାମିଲ, ୨୫ ପ୍ରକାରର କାର୍ଯ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରିଛନ୍ତି । କୋଭିଡ-୧୯ ମହାମାରୀ ଯୋଗୁଁ କ୍ଷତିଗ୍ରସ୍ତ ହୋଇ ନିଜ ଗ୍ରାମକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏହି ଯୋଜନାରେ ସେମାନଙ୍କ ନିଜ ଗ୍ରାମ ନିକଟରେ ଜୀବିକା ସୁଯୋଗ ମିଳିବ। ବିହାର ରାଜ୍ୟର ଖଗରିଆ ଜିଲ୍ଲା ବେଲଦାଉ ବ୍ଲକର ତେଲିହାର ଗ୍ରାମରୁ ଭିଡିଓ କନଫରେନ୍ସ ଦ୍ଵାରା ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ୬ଟି ରାଜ୍ୟର ପ୍ରତିନିଧି, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧୀନରେ ଗ୍ରାମାଞ୍ଚଳର ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ପାଇଁ ୫୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଗ୍ରାମାଞ୍ଚଳରେ କାମ ଯୋଗାଇଦେବା ପାଇଁ ୨୫ ପ୍ରକାରର କାର୍ଯ୍ୟ କରାଯିବା ଲାଗି ଚିହ୍ନଟ କରାଯାଇଛି । ଚିହ୍ନଟ କରାଯାଇଥିବା କାର୍ଯ୍ୟ ପ୍ରଣାଳୀଗୁଡିକ ମଧ୍ୟରେ ଗ୍ରାମାଞ୍ଚଳରେ ଗରିବମାନଙ୍କୁ ଗୃହ ଯୋଗାଣ, ବୃକ୍ଷ ରୋପଣ, ଜଳ ଜୀବନ ମିସନ ଅଧୀନରେ ପାନୀୟ ଜଳ ସୁବିଧା, ପଞ୍ଚାୟତ ଭବନ, ଗୋଷ୍ଠୀ ଶୌଚାଳୟ, ଗ୍ରାମାଞ୍ଚଳ ହାଟ, ଗ୍ରାମ ସଡ଼କ, ଗୋରୁ ଗୁହାଳ, ଅଙ୍ଗନୱାଡି କେନ୍ଦ୍ର ଆଦି ଅନ୍ତର୍ଭୁକ୍ତ ରହିଛି। ବିଭିନ୍ନ ପ୍ରକାରର କାର୍ଯ୍ୟ ଯୋଗୁଁ ପ୍ରତ୍ୟେକ ପ୍ରବାସୀ ଶ୍ରମିକ ଆସନ୍ତା ୧୨୫ ଦିନ ପାଇଁ ନିଜର କୌଶଳ ମୁତାବକ ରୋଜଗାର ସୁଯୋଗ ପାଇପାରିବ । ଏହି କାର୍ଯ୍ୟକ୍ରମ ଦୀର୍ଘକାଳୀନ ଭିତ୍ତିରେ ଲୋକଙ୍କ ପାଇଁ ଜୀବିକା ବିକାଶର ରାସ୍ତା ଖୋଲିବ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି ଅଭିଯାନ ଗ୍ରାମାଞ୍ଚଳରେ ଆଧୁନିକ ସୁବିଧା ସୁଯୋଗ ମଧ୍ୟ ଯୋଗାଇଦେବ। ପ୍ରତ୍ୟେକ ଘରକୁ ଦ୍ରୁତ ଗତି ଯୁକ୍ତ ଇଣ୍ଟରନେଟ ଯୋଗାଇ ଦେବା ଯୋଗୁଁ ଏହା ଯୁବକ, ଯୁବତୀ ଓ ପିଲାମାନକୁ ସହାୟକ ହେବ । ପ୍ରଥମଥର ପାଇଁ ଗ୍ରାମାଞ୍ଚଳ ସହରାଞ୍ଚଳ ତୁଳନାରେ ଅଧିକ ଇଣ୍ଟରନେଟ ବ୍ୟବହାର କରୁଛି ବୋଲି ସେ କହିଥିଲେ । ସେ ଦୃଷ୍ଟିରୁ ଫାଇବର କେବୁଲ ବିଛାଯାଇ ଇଣ୍ଟରନେଟ ସଂଯୋଗ ଦେବା ଏହି ଅଭିଯାନର ଏକ ଅଂଶବିଶେଷ ହେବ ବୋଲି ସେ କହିଛନ୍ତି । ନିଜ ଗ୍ରାମ ଓ ପରିବାର ସହିତ ରହି ପ୍ରବାସୀ ଶ୍ରମିକମାନେ ଏହି କାର୍ଯ୍ୟ କରିବେ । ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର କୃଷକଙ୍କର ମଧ୍ୟ ଆବଶ୍ୟକତା ରହିଛି । ସରକାର ନେଇଥିବା କେତେକ ବ୍ୟବସ୍ଥା ଯୋଗୁଁ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀଗୁଡିକୁ ଦେଶର ଯେକୌଣସି ସ୍ଥାନରେ ଏବଂ ବ୍ୟବସାୟୀ ମାନଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ କରି ବିକ୍ରି କରି ଅଧିକ ଲାଭବାନ ହୋଇପାରିବେ । ଚାଷୀମାନେ ବଜାର ସହିତ ଯେପରି ପ୍ରତ୍ୟକ୍ଷ ଯୋଗାଯୋଗରେ ରହିବେ ସେଥିପାଇଁ ସରକାର ୧ ଲକ୍ଷ କୋଟି ପୁଞ୍ଜି ବିନିଯୋଗ କରି ଶୀତଳ ଭଣ୍ଡାର ଇତ୍ୟାଦିର ବ୍ୟବସ୍ଥା କରିଛନ୍ତି । ୧୨୫ ଦିନିଆ ଏହି ଅଭିଯାନ ମିସନ ମୋଡରେ ଚାଲିବ ଓ ୧୧୬ଟି ଜିଲ୍ଲାରେ ପ୍ରବାସୀ ଶ୍ରମିକମାନେ ୨୫ଟି ଭିନ୍ନ ଭିନ୍ନ ପ୍ରକାର କାର୍ଯ୍ୟରେ ନିୟୋଜିତ ହେବେ। ସର୍ବାଧିକ ପ୍ରବାସୀ ଶ୍ରମିକ ଥିବା ଏହି ୬ଟି ରାଜ୍ୟ ଯଥା ଓଡ଼ିଶା, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଝାଡ଼ଖଣ୍ଡରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହି ଅଭିଯାନ କାଳରେ ହେଉଥିବା କାର୍ଯ୍ୟ ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଅଭିଯାନରେ ୧୨ଟି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସାମିଲ ରହିବେ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏହି ଅଭିଯାନର ମୁଖ୍ୟ ମନ୍ତ୍ରଣାଳୟ ଭାବେ କାର୍ଯ୍ୟ କରିବ।

ଦେଶର ୧୧୬ ଜିଲ୍ଲାରେ ହେବ କାର୍ଯ୍ୟକାରୀ
ଗଞ୍ଜାମ, ବାଲେଶ୍ବର, ବଲାଙ୍ଗୀର, ଭଦ୍ରକ ସାମିଲ
ମିସନ ମୋଡ୍‌ରେ ଚାଲିବ ଏହି ୧୨୫ ଦିନିଆ ଅଭିଯାନ
ସ୍ଥାୟୀ ଗ୍ରାମାଞ୍ଚଳ ଭିତ୍ତିଭୂମି ସହିତ ଇଣ୍ଟରନେଟ୍ ଭଳି ଆଧୁନିକ ସୁବିଧା ଯୋଗାଇବା ଏହି ଅଭିଯାନର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ

ଓଡ଼ିଶାର ୪ ଜିଲ୍ଲା ସାମିଲ
ବିହାରର ସର୍ବାଧିକ ୩୨ଟି ଜିଲ୍ଲାରେ ଏହି ଯୋଜନ‌ାରେ ଥିବାବେଳେ ଉତ୍ତର ପ୍ରଦେଶର ୩୧ଟି, ମଧ୍ୟପ୍ରଦେଶର ୨୪ଟି, ରାଜସ୍ଥାନର ୨୨ଟି, ଓଡ଼ିଶାର ୪ଟି ଏବଂ ଝାଡ଼ଖଣ୍ଡର ୩ଟି ଜିଲ୍ଲା ଏଥିରେ ରହିଛି। ‌ ଓଡ଼ିଶାର ୪ଟି ଜିଲ୍ଲା ମଧ୍ୟରୁ ଗୋଟିଏ ଆକାଂକ୍ଷୀ ଜିଲ୍ଲା ରହିଛି। ଓଡ଼ିଶାର ୪ ଜିଲ୍ଲା ହେଲା ଗଞ୍ଜାମ, ବାଲେଶ୍ବର, ବଲାଙ୍ଗୀର ଓ ଭଦ୍ରକ।

୨୫ ପ୍ରକାରର କାର୍ଯ୍ୟ
ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧୀନରେ ୨୫ ପ୍ରକାରର କାର୍ଯ୍ୟ ଯଥା ଗୋଷ୍ଠୀ ଶୌଚାଳୟ କେନ୍ଦ୍ର ନିର୍ମାଣ, ଗ୍ରାମ ପଞ୍ଚାୟତ ଭବନ ନିର୍ମାଣ, ଚତୁର୍ଦ୍ଦଶ ଅର୍ଥ କମିସନଙ୍କ କାର୍ଯ୍ୟ, ଜାତୀୟ ରାଜମାର୍ଗ ନିର୍ମାଣ, ଜଳ ସଂରକ୍ଷଣ ଓ ଅମଳ କାର୍ଯ୍ୟ, କୂଅ ଖନନ, ବୃକ୍ଷରୋପଣ, ଉଦ୍ୟାନ, ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ, ଗ୍ରାମୀଣ ଗୃହ ନିର୍ମାଣ, ଗ୍ରାମ ସଂଯୋଗୀକରଣ କାର୍ଯ୍ୟ, କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ, ଚାଷ ଉପଯୋଗୀ ପୋଖରୀ ନିର୍ମାଣ, ଗାଈ ଗୁହାଳ ନିର୍ମାଣ, କୁକୁଡ଼ା ଘର ନିର୍ମାଣ, ଛେଳି ଗୁହାଳ ନିର୍ମାଣ, ଭର୍ମି କମ୍ପୋଷ୍ଟ, ରେଳ, ରୁର୍ବାନ, ପିଏମ୍‌ କୁସୁମ, ଭାରତ ନେଟ, କାମ୍ପା ବୃକ୍ଷରୋପଣ, ପିଏମ୍‌ ଉର୍ଜା ଗଙ୍ଗା ପ୍ରକଳ୍ପ, ଜୀବନ ଜୀବିକା ପାଇଁ କେଭିକେ ଶିକ୍ଷା, ଜିଲ୍ଲା ଖଣିଜ ପ୍ରତିଷ୍ଠାନ କାର୍ଯ୍ୟ ସମ୍ପାଦନ ହେବ।

ସମ୍ବନ୍ଧିତ ଖବର