ନିବେଶକ ହରାଇଲେ ୨ ଲକ୍ଷ କୋଟି

ସେନ୍‌ସେକ୍ସ ଖସିଲା ୪୬୮ ପଏଣ୍ଟ୍‌

ମୁମ୍ବାଇ: ଦଲାଲ୍‌ ଷ୍ଟ୍ରିଟ୍‌ର ନିବେଶକମାନେ ଆଜି ବିପୁଳ ପରିମାଣର କ୍ଷତି ସହିଛନ୍ତି। ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି, ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ସହିତ ଚଳନ୍ତି ଖାତା ନିଅଣ୍ଟ ରାଶି ବୃଦ୍ଧି ଘଟିବାର ପ୍ରତିକୂଳ ପ୍ରଭାବ ଆଜି ଷ୍ଟକ ବଜାର ଉପରେ ପଡ଼ିଛି। ଏଥିଯୋଗୁ ସେନ୍‌ସେକ୍ସରେ ୪୬୮ ପଏଣ୍ଟ ଏବଂ ନିଫ୍‌ଟିରେ ୧୫୧ ପଏଣ୍ଟ ହ୍ରାସ ଘଟିଛି। ଫଳରେ ସେନ୍‌ସେକ୍ସ ୩୮ ହଜାର ପଏଣ୍ଟ ତଳକୁ ଖସିଆସି ୩୭,୯୨୨ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍‌ଟି ୧୧,୪୩୮ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସ ଦେଖା ଦେଇଥିବା ଏହି ହ୍ରାସ ଯୋଗୁ ପୁଞ୍ଜି ବଜାରର ନିବେଶକମାନେ ଆଜି ଗୋଟିଏ ଦିନରେ ୧ ଲକ୍ଷ ୯୬ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ବଜାରପୁଞ୍ଜି ୧୫୭.୪୦ ଲକ୍ଷ କୋଟି ଟଙ୍କା ଥିବାବେଳେ ଆଜି ଏହା ୧୫୫.୪୪ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି।
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର ଭାବେ ହ୍ରାସ ଘଟିବାର ପ୍ରଭାବ ଏବେ ଅନ୍ୟ ଶ୍ରେଣୀର ସମ୍ପତ୍ତିକୁ ପ୍ରଭାବିତ କରିଛି। ଇକ୍ୱିଟି ଏଥିରୁ ବି ବାଦ୍‌ ପଡ଼ିନାହିଁ। ବର୍ତ୍ତମାନ ପରିସ୍ଥିତିରେ ନିବେଶକମାନେ ଅତି ଯତ୍ନର ସହିତ ପୁଞ୍ଜି ବଜାରରେ କାରବାର କରିବା ଆବଶ୍ୟକ। ଆସନ୍ତାବର୍ଷ ପ୍ରଥମାର୍ଦ୍ଧରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଅଛି। ତେଣୁ ନିର୍ବାଚନୀ ତାତି ଓ ରାଜନୈତିକ ଅସ୍ଥିରତାର ପ୍ରଭାବ ପୁଞ୍ଜି ବଜାରକୁ ଆଗାମୀ ଦିନରେ ଅସ୍ଥିର ରଖିପାରେ। ସେହିଭଳି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଉଥିବା ବେଳେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ କମିଚାଲିଛି। ଏଥିସହିତ ଦେଶର ଚଳନ୍ତି ଖାତା ନିଅଣ୍ଟ ରାଶି ଗତ ଏପ୍ରିଲ-ଜୁନ୍‌ ତ୍ରୟମାସରେ ୧୫.୮ ବିଲିଅନ ଡଲାରକୁ ବୃଦ୍ଧି ଘଟିଛି। ଏହାର ପ୍ରଭାବ ପୁଞ୍ଜି ବଜାରର ନିବେଶକଙ୍କ ମନୋବଳକୁ ଦୁର୍ବଳ କରିଦେଇଛି। ତେବେ ଦୀର୍ଘମିଆଦିରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଅନ୍ୟାନ୍ୟ ଦେଶ ଗୁଡ଼ିକ ତୁଳନାରେ ଭଲ ରହିବ। ପୁଞ୍ଜି ବଜାରର ନିବେଶକମାନେ ଦୀର୍ଘମିଆଦି ନିବେଶରୁ ଭଲ ଲାଭ ପାଇବେ ବୋଲି ବଜାର ବିଶ୍ଳେଷକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର