୫ ଦିନରେ ନିବେଶକ ହରାଇଲେ ୬ ଲକ୍ଷ କୋଟି

ନୂଆଦିଲ୍ଲୀ: ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ କ୍ରମାଗତ ପଞ୍ଚମ ଦିନ ପାଇଁ ହ୍ରାସା ପାଇଛି। ଏହାର ପ୍ରଭାବରେ ନିବେଶକମାନେ ପାଖାପାଖି ୬ ଲକ୍ଷ କୋଟି ଟଙ୍କା (୫.୮୫ ଲକ୍ଷ କୋଟି ଟଙ୍କା) ହରାଇଛନ୍ତି।
ବଜେଟ୍‌ରେ ଲାଗୁ କରାଯାଇଥିବା ଟିକସ ଯୋଗୁ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରିନେଉଛନ୍ତି। ସେହି ସମୟରେ ବିଭିନ୍ନ କଂପାନିର ଆର୍ଥିକ ଫଳାଫଳ ଖରାପ ରହିବା ଯୋଗୁ ନିବେଶକମାନେ ନିଜ ପାଖରେ ଥିବା ସେୟାରକୁ ବିକି ଦେଉଛନ୍ତି। ବିଗତ ୫ଟି କାରବାର ଦିନରେ ସେନ୍‌ସେକ୍ସରେ ମୋଟ ୧୩୬୮ ପଏଣ୍ଟ୍‌ର ହ୍ରାସ ହୋଇଛି। ଆଜି ସେନ୍‌ସେକ୍ସ ୧୩୫ ପଏଣ୍ଟ୍ ହ୍ରାସ ପାଇ ୩୭,୮୪୭ ପଏଣ୍ଟ୍‌ରେ ବନ୍ଦ ହୋଇଛି।
ଅନେକ କାରଣ ଯୋଗୁ ସେନ୍‌ସେକ୍ସ ହ୍ରାସ ପାଉଛି। କଂପାନିଗୁଡ଼ିକର ଦୁର୍ବଳ ଆର୍ଥିକ ଫଳାଫଳ ଓ ବୈଦେଶିକ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ) ଉପରେ ଟିକସକୁ ବାଦ ଦେଲେ ଅନ୍ୟ ଦେଶଗୁଡ଼ିକର ଷ୍ଟକ ବଜାରରେ ଦୁର୍ବଳ କାରବାରର ପ୍ରଭାବ ମଧ୍ୟ ବମ୍ବେ ଷ୍ଟକ ବଜାର ଉପରେ ପଡ଼ିଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ପକ୍ଷରୁ ଭାରତର ଅଭିବୃଦ୍ଧି ଆକଳନକୁ ୭%କୁ ହ୍ରାସ କରାଯିବା ପରେ ନିବେଶକମାନଙ୍କ ମନୋବଳ ଦୁର୍ବଳ ହୋଇଛି। ସେଥିପାଇଁ ସେମାନେ ସେୟାର ବିକ୍ରି କରୁଛନ୍ତି।

ସମ୍ବନ୍ଧିତ ଖବର