ନୂଆଦିଲ୍ଲୀ: ବଡ଼ ଧରଣର ଘୋଟାଲା କରିଥିବା ଇଲେକ୍ଟ୍ରିକ୍ ଯାନ (ଇଭି) ନିର୍ମାତା ଜେନ୍‌ସଲ୍ ଇଞ୍ଜିନିୟରିଂ ବିରୋଧରେ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିଛି। ଋଣ ଅର୍ଥ ହଡ଼ପ କରି ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିଥିବା କମ୍ପାନିର ଦୁଇ ପ୍ରତିଷ୍ଠାତା ଭ୍ରାତା ଅନମୋଲ ସିଂହ ଜଗି ଓ ପୁନୀତ ଜଗିଙ୍କ ଉପରେ ପ୍ରତିବଦ୍ଧକ ଲଗାଇବା ପରେ ମନ୍ତ୍ରଣାଳୟ ଏହି ତଦନ୍ତ କରୁଛି। ଜେନ୍‌ସଲ୍‌ ବିରୋଧରେ ସେବି କରିଥିବା ତଦନ୍ତରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। କମ୍ପାନିର ପୁଣେରେ ଥିବା କାରଖାନାରେ କୌଣସି ଉତ୍ପାଦନ ହେଉନାହିଁ। ସରଜମିନ ତଦନ୍ତ ପାଇଁ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ଅଧିକାରୀମାନେ କାରଖାନା ପରିଦର୍ଶନ କରିବା ବେଳେ ସେଠାରେ ମାତ୍ର ୨-୩ ଜଣ ଶ୍ରମିକଙ୍କୁ ଦେଖିବାକୁ ପାଇଥିଲେ। ଗତ ୧୨ ମାସ ଭିତରେ କାରଖାନାର ବିଦ୍ୟୁତ୍‌ ବିଲ ଥିଲା ମାତ୍ର ୧ ଲକ୍ଷ ୫୭ ହଜାର ଟଙ୍କା। ତେଣୁ କାରଖାନାରେ କୌଣସି ଉତ୍ପାଦନ ହେଉନଥିବା ସ୍ପଷ୍ଟ ହୋଇଥିବା ସେବି ଏହାର ରିପୋର୍ଟରେ କହିଛି। ନଅଟି ସଂସ୍ଥାକୁ ୨୯ହଜାର ଇଭି ଯୋଗାଇବା ଲାଗି କମ୍ପାନି ବୁଝାମଣାପତ୍ର ସ୍ବାକ୍ଷର କରିଥିବା‌ ନେଇ ଯେଉଁ ସୂଚନା ଦେଇଥିଲା ତାହା ମିଥ୍ୟା ପ୍ରମାଣିତ ହୋଇଛି। କାରଣ ଗାଡ଼ିର ଦାମ୍‌ କେତେ ଓ କେତେ ଡେଲିଭରି ଦିଆଯିବ, ତାହାର କୌଣସି ତଥ୍ୟ ବୁଝାମଣାପତ୍ରରେ ନାହିଁ। ତେଣୁ ମିଥ୍ୟା ତଥ୍ୟ ଦେଇ କମ୍ପାନି ନିବେଶକମାନଙ୍କୁ ବିଭ୍ରାନ୍ତ କରୁଥିବା ସେବି ଅଭିଯୋଗ କରିଛି। 

Advertisment

୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ଜେନ୍‌ସଲ୍‌ ପକ୍ଷରୁ ୬,୪୦୦ ଇଭି କିଣିବା ଲାଗି ଇରେଡା ଓ ପିଏଫ୍‌ସିଠାରୁ ୬୬୩.୮୯ କୋଟି ଟଙ୍କା ଋଣ ନିଆଯାଇଥିଲା। କମ୍ପାନି ୬୫୭.୭୩ କୋଟି ଟଙ୍କାରେ ୪୭୦୪ଟି ଇଭି କିଣିଥିବା ବେଳେ ଅବଶିଷ୍ଟ ରାଶିକୁ ଏହାର ଦୁଇ ପ୍ରତିଷ୍ଠାତା ଭ୍ରାତା ବ୍ୟକ୍ତିଗତ ଉଦ୍ଦେଶ୍ୟରେ ବିଳାସପୂର୍ଣ୍ଣ ଘର କିଣିବା ଓ ଅନ୍ୟାନ୍ୟ ଉପାୟରେ ବ୍ୟବହାର କରିଥିଲେ। ସେମାନେ ପ୍ରାୟ ୨୬୨ କୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗ ରହିଛି। ଜେନ୍‌ସଲ୍‌ ଘୋଟାଲା ସାମ୍ନାକୁ ଆସିବା ପରେ ଏହା ସହ ସମ୍ପର୍କିତ ଥିବା କ୍ୟାବ୍ କମ୍ପାନି ବ୍ଲୁସ୍ମାର୍ଟର ଅଡ଼ୁଆ ମଧ୍ୟ ବଢ଼ିଯାଇଛି। ଏହାର ବୁକିଂ ବନ୍ଦ ହୋଇଯାଇଛି।