ଜିଓରେ ପୁଞ୍ଜିନିବେଶ ସୁଅ, ୮ ସପ୍ତାହରେ ମିଳିଲାଣି ଲକ୍ଷେ କୋଟିରୁ ଅଧିକ

ମୁମ୍ବାଇ: ଡିଜିଟାଲ୍‌ କଂପାନି ଜିଓ ପ୍ଲାଟଫର୍ମସ୍‌ର ୨୨ ପ୍ରତିଶତରୁ ଅଧିକ ଅଂଶଧନକୁ ମୁକେଶ ଅମ୍ବାନି ବିକ୍ରି କରି ୧ ଲକ୍ଷ ୪ ହଜାର ୩୨୬ କୋଟି ଟଙ୍କାର ପୁଞ୍ଜିନିବେଶ ହାତେଇ ସାରିଲେଣି। ଫେସବୁକ୍‌ ଠାରୁ ଆରମ୍ଭ କରି ସିଲ୍‌ଭର୍‌ ଲେକ୍ ପର୍ଯ୍ୟନ୍ତ ବିଶ୍ବର ଅନେକ ପ୍ରମୁଖ ସଂସ୍ଥା ଠାରୁ ମୁକେଶ ନିବେଶ ହାସଲ କରିବାରେ ସଫଳ ହୋଇଛନ୍ତି।ଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପରେ ଜିଓର ଅଂଶଧନ ବିକ୍ରି ଆରମ୍ଭ ହୋଇଥିଲା। ଗତ ଏପ୍ରିଲ୍ ୨୨ରେ ପ୍ରଥମ ବୁଝାମଣା ହୋଇଥିଲା। ଫେସବୁକ୍‌ ୪୩,୫୭୩ କୋଟି ଟଙ୍କାରେ ଜିଓର ୧୦ ପ୍ରତିଶତ ଅଂଶଧନ କିଣିଥିଲା। ଏହାପରେ ସିଲ୍‌ଭର୍‌ ଲେକ୍‌ ୫୬୬୫ କୋଟଇ ଟଙ୍କା, ଭିଷ୍ଟା ୧୧,୩୬୭ କୋଟି ଟଙ୍କା, ଜେନେରାଲ୍ ଆଟଲାଣ୍ଟିକ୍ ୬୫୯୮ କୋଟି ଟଙ୍କା, କେକେଆର୍‌ ୧୧,୩୬୭ କୋଟି ଟଙ୍କା, ମୁବାଦଳା ୯୦୯୩ କୋଟି ଟଙ୍କା, ସିଲ୍‌ଭର୍‌ ଲେକ୍ ଆଉ ୪୫୪୬ କୋଟି ଟଙ୍କା, ଆବୁ ଧାବି ଇନଭେଷ୍ଟମେଣ୍ଟ୍‌ ଅଥରିଟି ୫୬୮୩ କୋଟି ଟଙ୍କା, ଟିପିଜି ୪୫୪୬ କୋଟି ଟଙ୍କା ଓ ସି କ୍ୟାଟର୍‌ଟନ୍‌ ୧୮୯୪ କୋଟି ଟଙ୍କା ଜିଓରେ ନିବେଶ କରିଛନ୍ତି। ଫେସବୁକ୍‌କୁ ବାଦ ଦେଳେ ଅନ୍ୟ ସବୁ କଂପାନି ୧-୨.୫ ପ୍ରତିଶତ ଭିତରେ ଅଂଶଧନ କିଣିଛନ୍ତି। ଗତକାଲି ଏକକାଳୀନ ଦୁଇଟି ବୁଝାମଣା ହୋଇଥିଲା। ଟିପିଜି ପୁଞ୍ଜିନିବେଶ କରିବ ବୋଲି ଘୋଷଣା କରିବାର କିଛି ଘଣ୍ଟା ପରେ ଏଲ୍‌ କ୍ୟା‌ଟର୍‌ଟନ୍ ମଧ୍ୟ ଜିଓରେ ନିବେଶ କରିବ ବୋଲି କହିଥିଲା।

ମୁକେଶଙ୍କ ପ୍ରମୁଖ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଉପରେ ଥିବା ଋଣ ବୋଝ ହାଲୁକା କରିବା ଲାଗି ପାଣ୍ଠି ଯୋଗାଡ଼ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ଡିସେମ୍ବର ସୁଦ୍ଧା ରିଲାଏନ୍ସକୁ ସେ ଋଣମୁକ୍ତ କଂପାନିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଜିଓ ଅଂଶଧନ ବିକ୍ରିରୁ ମିଳୁଥିବା ରାଶିକୁ ଋଣ ବୋଝ ହାଲୁକା କରିବାରେ ସେ ବ୍ୟବହାର କରିବେ ବୋଲି ଚର୍ଚ୍ଚା ହେଉଛି। ଗତ ମାର୍ଚ୍ଚ ସୁଦ୍ଧା ରିଲାଏନ୍ସ ମୁଣ୍ଡରେ ୨,୩୬,୨୯୪ କୋଟି ଟଙ୍କାର ଋଣ ଥିଲା। ଏହା ବ୍ୟତୀତ କଂପାନି ପାଖରେ ୧,୭୫,୨୫୯ କୋଟି ଟଙ୍କାର ନଗଦ ରାଶି ରହିଛି।

ସମ୍ବନ୍ଧିତ ଖବର