ପୁଞ୍ଜିନିବେଶ ଆଣିବା ପ୍ରୟାସ; ପ୍ରକଳ୍ପ ବିକାଶ ସେଲ୍‌, ସଚିବ ସ୍ତରୀୟ ଗୋଷ୍ଠୀ ଗଠିତ

ନୂଆଦିଲ୍ଲୀ : ଦେଶକୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲାଗି ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟରେ କ୍ଷମତାପ୍ରାପ୍ତ ସଚିବ ଗୋଷ୍ଠୀ ଏବଂ ପ୍ରକଳ୍ପ ବିକାଶ ସେଲ୍‌ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ଦିଆଯାଇଛି। ୨୦୨୫ ସୁଦ୍ଧା ଦେଶକୁ ୫ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପରିଣତ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଉଭୟ ଘରୋଇ ନିବେଶ ଓ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆଣିବାକୁ ସରକାର ଚାହୁଛନ୍ତି। ପ୍ରକଳ୍ପ ବିକାଶ ସେଲ୍‌ ଓ ସଚିବ ଗୋଷ୍ଠୀ ଗଠନ କରାଯାଇଥିବାରୁ ନିବେଶକୁ ନେଇ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟ ରହିବ। ପ୍ରକଳ୍ପ ଲାଗି ଦରକାର ହେଉଥିବା ମଞ୍ଜୁରି ଶୀଘ୍ର ମିଳିବ। କରୋନା ସଙ୍କଟ ପରେ ବିଶ୍ବର ଅନେକ କଂପାନି ସେମାନଙ୍କ କାରଖାନା ଅନ୍ୟତ୍ର ନେବାକୁ ଚାହୁଛନ୍ତି। ଫଳରେ ଭାରତ ପାଇଁ ପୁଞ୍ଜିନିବେଶ ଓ ବିଶ୍ବସ୍ତରୀୟ କଂପାନି ହାସଲ କରିବାର ସୁଯୋଗ ସୃଷ୍ଟି ହୋଇଛି। ସେଥିରେ କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ସହାୟକ ହୋଇପାରିବ। ବିଶେଷ କରି ଚୀନ୍‌ରୁ ଅନେକ କଂପାନି ସେମାନଙ୍କ କାରଖାନା ଅନ୍ୟତ୍ର ନେବାକୁ ଉଦ୍ୟମ କରୁଥିବାରୁ ସେମାନଙ୍କୁ ଆକୃଷ୍ଟ କରିବା ଲାଗି ସରକାର ଚାହୁଛନ୍ତି।

ସଚିବମାନଙ୍କୁ ନେଇ ଯେଉଁ କ୍ଷମତାସମ୍ପନ୍ନ ଗୋଷ୍ଠୀ ଗଠନ କରାଯାଇଛି ସେଥିରେ କ୍ୟାବିନେଟ୍‌ ସଚିବ ଅଧ୍ୟକ୍ଷ ରହିବେ। ତାଙ୍କ ବ୍ୟତୀତ ସଦସ୍ୟ ଭାବେ ନିତି ଆୟୋଗ ସିଇଓ, ବାଣିଜ୍ୟ, ରାଜସ୍ବ, ଆର୍ଥିକ ବ୍ୟାପାର ଓ ବିଭିନ୍ନ ନିର୍ଦିଷ୍ଟ ବିଭାଗର ସଚିବ ରହିବେ। ସେହିପରି, ସମ୍ଭାବ୍ୟ ପ୍ରକଳ୍ପକୁ ନେଇ ପ୍ରକଳ୍ପ ବିକାଶ ସେଲ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା କାର୍ଯ୍ୟ କରିବ। ସଚିବଙ୍କ ମାର୍ଗଦର୍ଶନରେ ପ୍ରତ୍ୟେକ କେନ୍ଦ୍ରୀୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଊର୍ଦ୍ଧ୍ୱ ପାହ୍ୟାର ଜଣେ ଅଧିକାରୀ ପ୍ରକଳ୍ପ ବିକାଶ ସେଲ ଦାୟିତ୍ୱରେ ରହିବେ। ତାଙ୍କୁ ପ୍ରସଙ୍ଗ ନିର୍ଦ୍ଧାରଣ, ରଣନୀତି ପ୍ରସ୍ତୁତି, କ୍ରିୟାନ୍ବୟନ ଏବଂ ବିବରଣୀ ପ୍ରସାରଣ ଦାୟିତ୍ୱ ଦିଆଯିବ। ଏହି ସେଲ୍‌ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବ।

ସମ୍ବନ୍ଧିତ ଖବର