ଭୁବନେଶ୍ବର: ପବିତ୍ର ରଥଯାତ୍ରା ଦିନଠାରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ନିବେଶ ରଥ ଇତି ମଧ୍ୟରେ ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ଶହ ଶହ ଲୋକଙ୍କୁ ମ୍ୟୁଚୁଆଲ୍ ଫଣ୍ଡ୍ ବିଷୟରେ ସଚେତନ କରିସାରିଲାଣି। ପ୍ରତିଦିନ ଏହା ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ନିକଟରେ ପହଞ୍ଚୁଛି। ଆର୍ଥିକ ସଶକ୍ତୀକରଣର ଏହି ଅଭିନବ ଅଭିଯାନରେ ଲୋକମାନେ ସ୍ବତଃସ୍ଫୂର୍ତ ଭାବେ ଯୋଡ଼ି ହେଉଛନ୍ତି। ରଥରେ ଥିବା ତିନି ଠାକୁରଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଏବଂ ନିଜ ଭବିଷ୍ୟତ ପାଇଁ ପାଣ୍ଠି ଯୋଗାଡ଼ କରିବାର ବାଟ ବିଷୟରେ ଜାଣି ସେମାନେ ବେଶ୍ ଖୁସି ହେଉଛନ୍ତି।
‘ମ୍ୟୁଚୁଆଲ୍ ଫଣ୍ଡ୍ ଠିକ୍ କଥା’ ଅଭିଯାନର ଏକ ଅଂଶ ସ୍ବରୂପ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଏହି ନିବେଶ ରଥ ଭୁବନେଶ୍ବରର ରସୁଲଗଡ଼, ସହିଦନଗର, ଜୟଦେବ ବିହାର, ଆଇଆର୍ସି ଭିଲେଜ, ଗୋପବନ୍ଧୁ ନଗର, ଚନ୍ଦକା-ନନ୍ଦନକାନନ ରୋଡ୍ର ଯୁଝଗଡ଼, ମଞ୍ଚେଶ୍ବର ରେଳ ଷ୍ଟେସନ, ଚନ୍ଦକା ଶିଳ୍ପାଞ୍ଚଳ, ଜାଗମରା-ସୁନ୍ଦରପଦା ରୋଡ୍ର ଭକ୍ତମଧୁ ନଗର, ଗୋପବନ୍ଧୁନଗର, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଆଦି ଅଞ୍ଚଳ ପରିଦର୍ଶନ କରି ଲୋକମାନଙ୍କୁ ମ୍ୟୁଚୁଆଲ୍ ଫଣ୍ଡ୍ ବିଷୟରେ ସଚେତନ କରିଛି। ସେହିପରି, କଟକର ରିଙ୍ଗ ରୋଡ୍, ସିଡିଏ-ସେକ୍ଟର ୭, ରାଣୀହାଟର ପ୍ରଫେସର କଲୋନି, ଏଲ୍ଆଇସି କଲୋନି ଆଦି ଅଞ୍ଚଳରେ ନିବେଶ ରଥ ଗଡ଼ିଛି। ସେଠାରେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ଜରିଆରେ ଯୋଡ଼ିବାକୁ ପ୍ରୟାସ କରାଯାଇଥିଲା। ଏହି ଅଭିଯାନ ସହ ଯୋଡ଼ି ହେଉଥିବା ଲୋକମାନଙ୍କୁ ମ୍ୟୁଚୁଆଲ୍ ଫଣ୍ଡ୍ ଠିକ୍ କଥାର ବାର୍ତ୍ତା ଦେବା ଲାଗି ଛତା, ଟୋପି, ଟି-ସାର୍ଟ ଆଦି ପ୍ରଦାନ କରାଯାଇଥିଲା।
ଘର, ଗାଡ଼ି କିଣିବା, ପିଲାଙ୍କୁ ପାଠପଢ଼ାଇବା, ବିଦେଶ ଭ୍ରମଣ କରିବା ଭଳି ଲୋକଙ୍କ ଅନେକ ସ୍ବପ୍ନ ରହିଛି। ନିଜ ସୀମିତ ରୋଜଗାରରେ ମଧ୍ୟ ସେହି ସବୁ ସ୍ବପ୍ନ ପୂରଣ କରିହେବ। ସେଥିପାଇଁ ଏକ ବାଟ ହେଉଛି ମ୍ୟୁଚୁଆଲ୍ ଫଣ୍ଡ୍। ପ୍ରତି ସ୍ବପ୍ନ ଲାଗି ଗୋଟିଏ ଗୋଟିଏ ଲେଖାଏଁ ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନ୍ (ଏସ୍ଆଇପି) ଖୋଲି ଲୋକମାନେ ସେହି ସ୍ବପ୍ନଗୁଡ଼ିକୁ ପୂରଣ କରିପାରିବେ। ନିବେଶ ରଥ ସେହି ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଉଛି। ଏଥିରେ ଲାଗିଥିବା ଏଲ୍ଇଡି ସ୍କ୍ରିନ୍ରେ ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦିଆଯାଉଛି।