ଭୁବନେଶ୍ବର: ପୁଞ୍ଜି ବଜାର ଲାଭକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ବଳିଷ୍ଠ ମାଧ୍ୟମ ହେଉଛି ମ୍ୟୁଚୁଆଲ୍ ଫଣ୍ଡ୍‌। ସିଷ୍ଟମେଟିକ୍ ଇନ୍‌ଭେଷ୍ଟମେଣ୍ଟ୍‌ ପ୍ଲାନ୍ (ଏସ୍‌ଆଇପି) ଜରିଆରେ ବହୁ ସଂଖ୍ୟାରେ ଲୋକ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରୁଛନ୍ତି। ସେଥିପାଇଁ ଓଡ଼ିଶା ଏହି ନିବେଶର ଅନ୍ୟତମ ପ୍ରମୁଖ ବଜାର ଭାବେ ଉଭା ହୋଇଛି। ଏହାର ଲାଭକୁ ଘରେ ଘରେ ପହଞ୍ଚାଇବା ଲାଗି ଏକ ବୃହତ୍‌ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ତାହାର ଅଂଶସ୍ବରୂପ ପବିତ୍ର ରଥଯାତ୍ରା ଅବସରରେ ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ‘ନିବେଶ ରଥ’ ଅଭିଯାନ। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଏହି ନିବେଶ ରଥକୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ କମ୍ପାନିର ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଅନ୍ୟମ‌ାନେ ଉପସ୍ଥିତ ଥିଲେ।
‘ନିବେଶ ରଥ’ ହେଉଛି ଆଧ୍ୟାତ୍ମିକତା ଓ ଅନୁଶାସନ ଆଧାରିତ ନିବେଶ ବାର୍ତ୍ତା ଦେବାର ଏକ ଚମତ୍କାର ମିଶ୍ରଣ। ଏହା ଏକ ଭ୍ରାମ୍ୟମାଣ ଯାନ ଯେଉଁଥିରେ ଏକ ରଥ ପ୍ରତିକୃତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ରହିଛି। ତାହା ଲୋକଙ୍କ ଧାର୍ମିକ ଭାବନାକୁ ଆକର୍ଷିତ କରୁଥିବା ବେଳେ ସେଥିରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନ୍‌ ମ୍ୟୁଚୁଆଲ୍ ଫଣ୍ଡ୍‌ ସମ୍ପର୍କରେ ସଚେତନ କରୁଛି। ମ୍ୟୁଚୁଆଲ୍ ଫଣ୍ଡ୍‌ କେବଳ ଧନୀ ଲୋକଙ୍କ ପାଇଁ ନୁହେଁ। ପାଖରେ ୫୦୦ ଟଙ୍କା ଥିବା ଲୋକ ବି ଏଥିରେ ନିବେଶ ଆରମ୍ଭ କରିପାରିବେ। ଛୋଟ ହୁଅନ୍ତୁ କିମ୍ବା ବଡ଼, ସମସ୍ତେ ନିବେଶ କରିପାରିବେ। ସେହି ବାର୍ତ୍ତା ବାଣ୍ଟୁଛି ଏହି ନିବେଶ ରଥ। ଲୋକଙ୍କ ଜୀବନରେ ‌ଅନେକ ‌ଛୋଟ ବଡ଼ ସ୍ବପ୍ନ ରହିଛି ଯାହାକୁ ପୂରଣ କରିବା ଲାଗି ପାଣ୍ଠି ଦରକାର। ମ୍ୟୁଚୁଆଲ୍ ଫଣ୍ଡ୍‌ ଏଭଳି ଏକ ନିବେଶ ଯାହାକୁ ଲୋକମାନେ ନିଜର ପ୍ରତିଟି ସ୍ବପ୍ନ ପୂରଣ କରିବା ଲାଗି ବ୍ୟବହାର କରିପାରିବେ। ଗାଡ଼ି କିଣିବା, ଘର କିଣିବା, ପିଲାଙ୍କୁ ପାଠ ପଢ଼ାଇବା, ଅବସର ପାଇଁ ଟଙ୍କା ରଖିବା, ଏଭଳି ଅନେକ ପ୍ରକାର ସ୍ବପ୍ନ ଲାଗି ନିବେଶ କରିହେବ। ସେଥିପାଇଁ ନିବେଶ ରଥ ବାର୍ତ୍ତା ଦେଉଛି ‘ପ୍ରତିଟି ସ୍ବପ୍ନ ପାଇଁ ଗୋଟିଏ ଏସ୍‌ଆଇପି ଠିକ୍ କଥା’। 
ଶ୍ରଦ୍ଧାରେ ଚାଲେ ରଥ, ଅନୁଶାସନରେ ଚାଲେ ନିବେଶ। ଏହି ମୂଳମନ୍ତ୍ରକୁ ନେଇ ମ୍ୟୁଚୁଆଲ୍ ଫଣ୍ଡ୍‌ ସଚେତନତା ଆଗକୁ ବଢ଼ୁଛି। ଶୃଙ୍ଖଳିତ ଭାବେ ଅନୁଶାସନ ରକ୍ଷା କରି ନିବେଶ କଲେ ତାହାର ଲାଭ ନିଶ୍ଚିତ ମିଳିବ ବୋଲି ଏହା ଦର୍ଶାଉଛି। ନିବେଶ ଲାଗି ଏକାଥରେ ମେଞ୍ଚାଏ ଟଙ୍କା ଦରକାର ବୋଲି ଲୋକମାନଙ୍କ ମନରେ ଯେଉଁ ଧାରଣା ରହିଛି, ତାହାକୁ ନିବେଶ ରଥ ବଦଳାଇବାକୁ ଚାହୁଛି। ଅଳ୍ପ ଅଳ୍ପ କରି ମଧ୍ୟ ନିବେଶ କରିହେବ। ସେହି ବାର୍ତ୍ତାକୁ ଏହା ଲୋକମାନଙ୍କ ପାଖରେ ପହଞ୍ଚାଉଛି। ନିବେଶ ରଥ ଆଜି ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛି। ଏହା ପ୍ରମୁଖ ଅଞ୍ଚଳଗୁଡ଼ିକରେ ରହି ଲୋକଙ୍କୁ ଅଭିନବ ଉପାୟରେ ନିଜ ଆଡ଼କୁ ଆକର୍ଷିତ କରିଥିଲା। କଟକରେ ମଧ୍ୟ ନିବେଶ ରଥ ଗଡ଼ିବ ଓ ଲୋକମାନଙ୍କୁ ସମାନ ଢଙ୍ଗରେ ସଚେତନ କରିବ। ‘ମ୍ୟୁଚୁଆଲ୍ ଫଣ୍ଡ୍‌, ଠିକ୍ କଥା’ ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଟୋପି, ଛତା ଆଦି ଜରିଆରେ ମଧ୍ୟ ଲୋକମାନଙ୍କୁ ମ୍ୟୁଚୁଆଲ୍ ଫଣ୍ଡ୍‌, ଠିକ୍ କଥା ବୋଲି ଅବଗତ କରାଯାଉଛି। ଏହି ରଥକୁ ନେଇ ଲୋକମାନଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଯେଉଁ ବାଟ ଦେଇ ନିବେଶ ରଥ ଅତିକ୍ରମ କରୁଥିଲା, ତାହାକୁ ଦେଖିବା ଲାଗି ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁବର୍ଗର ଲୋକଙ୍କ ଭିଡ଼ ଜମୁଥିଲା। ସମସ୍ତେ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ଚମତ୍କାର ଅନ୍ତର୍ନିହିତ ଶକ୍ତିକୁ ଜାଣି ଉଲ୍ଲସିତ ହୋଇଥିଲେ। ଖୁବ୍‌ଶୀଘ୍ର ନିବେଶ ଆରମ୍ଭ କରିବେ ବୋଲି ସେମାନେ ଜଣାଇଥିଲେ।