ଗତ ୫ ବର୍ଷରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ବୃଦ୍ଧି

ନୂଆଦିଲ୍ଲୀ : ପ୍ରୋଜେକ୍ଟ ଟୁଡେ ପକ୍ଷରୁ ଅନୁଷ୍ଠିତ ୭୪ତମ ଭାରତୀୟ ନିବେଶ ପ୍ରକଳ୍ପ ସର୍ଭେକ୍ଷଣ ଅନୁଯାୟୀ ୨୦୧୫ରୁ ୨୦୧୯ ଆର୍ଥିକ ବର୍ଷ ମଧ୍ୟରେ ଭାରତରେ ୪୭,୯୧୧ଟି ପ୍ରକଳ୍ପରେ ମୋଟ ୬୦,୫୧,୨୮୧ କୋଟି ଟଙ୍କା ପୁଞ୍ଜି ନିବେଶ ହୋଇଛି । ପୂର୍ବ ୫ ବର୍ଷରେ ୪୩,୮୭୬ଟି ପ୍ରକଳ୍ପରେ ୨୯,୨୮,୧୨୫ କୋଟି ଟଙ୍କା ପୁଞ୍ଜି ନିବେଶ କରାଯାଇଥିଲା । ଫଳରେ ପୁଞ୍ଜିନିବେଶ କ୍ଷେତ୍ରରେ ୧୦୬.୭% ବୃଦ୍ଧି ଘଟିଛି ।
କେବଳ ବିଦ୍ୟୁତ କ୍ଷେତ୍ରକୁ ବାଦ ଦେଲେ ଅନ୍ୟ ସମସ୍ତ କ୍ଷେତ୍ରରେ ପୁଞ୍ଜି ନିବେଶ ବୃଦ୍ଧି ପାଇଛି । ବିଦୁ୍ୟତ କ୍ଷେତ୍ରରେ ନୂଆ ପ୍ରକଳ୍ପ ଓ ପୁଞ୍ଜି ନିବେଶ ପରିମାଣ ହ୍ରାସ ପାଇଛି । ଉତ୍ପାଦନ, ଖଣି, ଭିତ୍ତିଭୂମି, ଜଳସେଚନ ପୁଞ୍ଜିନିବେଶ ୧୦୦% ବୃଦ୍ଧି ପାଇଛି । ତେବେ ଗତ ୫ ବର୍ଷରେ ଉତ୍ପାଦନ ଓ ଜଳସେଚନ କ୍ଷେତ୍ରରେ ନୂଆ ପ୍ରକଳ୍ପ ସଂଖ୍ୟା କମ୍ ରହିଛି ।
ନିର୍ମାଣ କ୍ଷେତ୍ରରେ ୧୩୨୫ କମ୍ ପ୍ରକଳ୍ପ ରହିଥିଲେ ମଧ୍ୟ ବୃହତ୍ତ ପ୍ରକଳ୍ପ ସଂଖ୍ୟାରେ ବୃଦ୍ଧି ପାଇଛି । ଏକ୍ଷେତ୍ରରେ ପୁଞ୍ଜିନିବେଶ ୧୩୦.୫%କୁ ବୃଦ୍ଧି ପାଇଛି । ଫଳରେ ପୁଞ୍ଜି ନିବେଶ କ୍ଷେତ୍ରରେ ଉତ୍ପାଦନ ଶିଳ୍ପର ଅଂଶ ୨୩.୯% ରୁ ୨୬.୭%କୁ ବୃଦ୍ଧି ପାଇଛି । ସେହିପରି ସାର, ଇସ୍ପାତ, ସିମେଣ୍ଟ, ବିଶୋଧନାଗାର ଓ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ପୁଞ୍ଜି ନିବେଶ ବୃଦ୍ଧି ପାଇଛି ।
୨୦୧୫ରୁ ୨୦୧୯ ଆର୍ଥିକ ବର୍ଷ ମଧ୍ୟରେ ୨୫୩ଟି ବୃହତ ପ୍ରକଳ୍ପ ଘୋଷଣା କରାଯାଇଛି । ଏଥିମଧ୍ୟରୁ ୨୧୮ଟି ଘରୋଇ କ୍ଷେତ୍ରରେ ରହିଛି । ସେହିପରି ବର୍ତ୍ତମାନର ସରକାରଙ୍କ ନୀତି ଅନୁଯାୟୀ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜି ନିବେଶ ତିନିଗୁଣ ବୃଦ୍ଧି ପାଇଛି । ପରିବହନ ଓ ସାମାଜିକ ଭିତ୍ତିଭୂମି କ୍ଷେତ୍ରରେ ୩୯,୫୦୯ଟି ନୂଆ ପ୍ରକଳ୍ପ ଘୋଷଣା କରାଯାଇଛି । ରାଜପଥ ନିର୍ମାଣ କ୍ଷେତ୍ରରେ ସରକାରୀ ପୁଞ୍ଜି ନିବେଶ ପ୍ରାୟତଃ ୩ ଗୁଣ ବୃଦ୍ଧି ପାଇଛି ।
ଶିଳ୍ପ ପାର୍କ, ବ୍ୟବସାୟିକ କଂପ୍ଲେକ୍ସ ଓ ଗୃହ ନିର୍ମାଣ କ୍ଷେତ୍ରରେ ଗତ ୫ ବର୍ଷରେ ଏକାଧିକ ନୂଆ ପ୍ରକଳ୍ପ ଘୋଷିତ ହୋଇଛି । ଏକ୍ଷେତ୍ରରେ ପୁଞ୍ଜି ନିବେଶ ମଧ୍ୟ ବୃଦ୍ଧି ପାଇଛି । ତେବେ ତାପଜ ବିଦ୍ୟୁତ କେନ୍ଦ୍ର କ୍ଷେତ୍ରରେ ୨୦୧୦ରୁ ୨୦୧୪ ମସିହା ମଧ୍ୟରେ ୬୩୯ଟି ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଥିବାବେଳେ ପରବର୍ତ୍ତୀ ୫ ବର୍ଷରେ ମାତ୍ର ୯୮ଟି ନୂଆ ଶକ୍ତି ପ୍ରକଳ୍ପ ବିଷୟ ଘୋଷଣା କରାଯାଇଛି ।
ଜଳସେଚନ କ୍ଷେତ୍ରରେ ପୁଞ୍ଜି ନିବେଶ ପରିମାଣ ୫୭,୯୩୪ କୋଟି ଟଙ୍କାରୁ ୧,୯୮,୮୬୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ସର୍ବାଧିକ ପୁଞ୍ଜି ନିବେଶ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ୨୧୪ଟି କୋଇଲା ଖଣି ଆବଣ୍ଟନ ରଦ୍ଦ ହୋଇଥିବାରୁ ଏକ୍ଷେତ୍ରରେ ପୁଞ୍ଜିନିବେଶ ବାଧାପ୍ରାପ୍ତ ହୋଇଛି ଓ ଶକ୍ତି ପ୍ରକଳ୍ପକୁ କୋଇଲା ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ସମ୍ବନ୍ଧିତ ଖବର