ଭୁବନେଶ୍ବର: ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ନୂଆ ସରକାର ଗଠନ ହେବା ପରେ ଓଡ଼ିଶାକୁ ବହୁମାତ୍ରାରେ ପୁଞ୍ଜିନିବେଶ ଆସୁଛି। ରାଜ୍ୟ ସରକାର ଗତ ୭ ମାସ ମଧ୍ୟରେ ୧୫୯ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହା ମାଧ୍ୟମରେ ୨ ଲକ୍ଷ ୭୫ ହଜାର କୋଟି ଟଙ୍କାର ନିବେଶ ରାଜ୍ୟକୁ ଆସିଛି। ଏଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨ ଲକ୍ଷ ୧୫ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶିଳ୍ପମନ୍ତ୍ରୀ ସଂପଦ ଚରଣ ସ୍ବାଇଁ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ନିବେଶ ପ୍ରସ୍ତାବ ଆଣିବା ସହିତ ସେଗୁଡ଼ିକର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେଉଛନ୍ତି। ନୂଆ ସରକାର ଆସିବା ପରେ ପୂର୍ବରୁ ଅଟକି ରହିଥିବା ଅନେକ ଶିଳ୍ପ ପ୍ରକଳ୍ପ କିଭଳି କାର୍ଯ୍ୟକାରୀ ହେବ ତାହା ଉପରେ ଧ୍ୟାନ ଦେଉଛନ୍ତି।
ଜଗତସିଂହପୁର ଜିଲ୍ଲାରେ ଖୁବଶୀଘ୍ର ଜେଏସ୍ଡବ୍ଲୁର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ପୂର୍ବରୁ ଦେଇଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ ଜେଏସ୍ଡବ୍ଲୁ ଏବଂ ପୋସ୍କୋ ମିଳିତ ଉଦ୍ୟୋଗରେ ଇସ୍ପାତ କାରଖାନା ସ୍ଥାପନ କରିବେ। ଏ ନେଇ ପ୍ରାରମ୍ଭିକ କାର୍ଯ୍ୟ ଚାଲିଛି। କେନ୍ଦୁଝରରେ ନିଶ୍ଚିତ ଭାବେ ଏହି ପ୍ରକଳ୍ପ ହେବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ରହିଛି। ପ୍ରକଳ୍ପ ଗୁଡ଼ିକ ଯେଭଳି କାର୍ଯ୍ୟକାରୀ ହେବ ତାହା ଉପରେ ସରକାର ଧ୍ୟାନ ଦେଉଛନ୍ତି। ଏଥିସହିତ ଚୌଦ୍ବାରରେ ୱେଲସ୍ପନ କାରଖାନା ଶୀଘ୍ର ଆରମ୍ଭ ହେବ ବୋଲି ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/26/2AOUAmmXaFM2JLcENFS7.jpg)