ଭୁବନେଶ୍ବର: ବୟନ କ୍ଷେତ୍ରର ନିବେଶ ହାସଲ କରୁଥିବା କିଛି ଆଗଧାଡ଼ିର ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ନାମୀଦାମୀ କମ୍ପାନିଗୁଡ଼ିକ ଯେଭଳି ରାଜ୍ୟର ବୟନ କ୍ଷେତ୍ରରେ ନିବେଶ କରିବେ, ସେଥିପାଇଁ ସେମାନଙ୍କ ସହ ଆଲୋଚନା କରାଯାଉଛି। ଅରବିନ୍ଦ ଲିମିଟେଡ୍ ଓ ସ୍ପୋର୍ଟକିଙ୍ଗ ଭଳି ସଂସ୍ଥା ସହ ଏନେଇ ଆଲୋଚନା ହୋଇଛି।
ଦୁଇଦିନ ପୂର୍ବେ ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ଷ୍ଟିଲ୍ ସମ୍ମିଳନୀ ୨୦୨୫ରେ ଅନୁଷ୍ଠିତ ଓଡ଼ିଶା ରାଉଣ୍ଡଟେବୁଲ୍ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁମ୍ବାଇ ଗସ୍ତ କରିଥିଲେ। ସେଠାରେ ତାଙ୍କୁ ଅରବିନ୍ଦ ଲିମିଟେଡ୍ର ପବ୍ଲିକ୍ ଆଫେୟାର୍ସ ମୁଖ୍ୟ ଅଙ୍କୁର ତ୍ରିବେଦୀ ସାକ୍ଷାତ କରି ଓଡ଼ିଶାରେ ବୟନ ଶିଳ୍ପରେ ରହିଥିବା ନିବେଶ ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ସେହିପରି ବୟନ କ୍ଷେତ୍ରର ଅନ୍ୟତମ ପ୍ରମୁଖ ନାମ ସ୍ପୋର୍ଟକିଙ୍ଗ ଲିମିଟେଡ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁନିଷ ଅବସ୍ତି ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭେଟି ବୟନ ଓ ପୋଷାକ କ୍ଷେତ୍ରରେ ରହିଥିବା ନିବେଶ ବିଷୟରେ ଆଲୋଚନା କରିଥିଲେ।
କେବଳ ବୟନ ନୁହେଁ, ଅନ୍ୟ କିଛି କ୍ଷେତ୍ରର ପ୍ରତିନିଧି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସେହିଦିନ ଭେଟିଥିଲେ। ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ର ସରକାରୀ ବ୍ୟାପାର ମୁଖ୍ୟ କଞ୍ଚନା ଟି କେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭେଟି ସମ୍ପ୍ରସାରଣ ଯୋଜନା ଓ ସିଏସ୍ଆର୍ ଅଭିଯାନ ସମ୍ପର୍କରେ କଥାବାର୍ତ୍ତା ହୋଇଥିଲେ। ଆକ୍ରୋମା ଗ୍ରୁପ୍ର ସିଇଓ ଅଞ୍ଜନି ପ୍ରସାଦ ସ୍ପେସାଲିଟି କେମିକାଲ୍ ୟୁନିଟ୍ ସ୍ଥାପନ କରିବା ଲାଗି ରହିଥିବା ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ। କ୍ଲାସିକ୍ ପ୍ରଡକ୍ଟସ୍ର ସିଏମ୍ଡି ସୁରେଶ ମୁତନେଜା, ସର୍ବେଶ ରିଫ୍ରାକ୍ଟରିଜ୍ର ଏମ୍ଡି କୁଶାଲ ଅଗ୍ରୱାଲ୍ ଓ ଶ୍ୟାମ ଷ୍ଟିଲ୍ ୱାର୍କସ୍ର ନିର୍ଦ୍ଦେଶକ ସିଦ୍ଧାର୍ଥ ବେରିୱାଲ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭେଟିଥିଲେ।