୬ ଦିନରେ ନିବେଶକଙ୍କ ୧୧.୩୧ ଲକ୍ଷ କୋଟି କ୍ଷତି

ମୁମ୍ବାଇ: ବମ୍ବେ ଷ୍ଟକ ବଜାର ପାଇଁ ଆଜି ଥିଲା ଏକ ଖରାପ ଦିନ। ସେନ୍‌ସେକ୍ସରେ ଆଜି ଗୋଟିଏ ଦିନରେ ୧୧୧୫ ପଏଣ୍ଟ୍‌ ଭଳି ବଡ଼ ଧରଣର ହ୍ରାସ ଘଟିବାରୁ ନିବେଶକମାନେ ୩.୧୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। କରୋନା ସଂକ୍ରମଣକୁ ନେଇ ସାରା ବିଶ୍ବରେ ଭୟର ବାତାବରଣ ସୃ୍ଷ୍ଟି ହୋଇଥିବା ବେ‌ଳେ ଅନେକ ଦେଶ ପୁଣି ଥରେ ଲକ୍‌ଡାଉନ୍ ଘୋଷଣା କରିବା ବିଷୟରେ ବିଚାର କରୁଥିବାରୁ ନିବେଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ୟୁରୋପରେ କରୋନା ସଂକ୍ରମଣଏବେ ପୁନର୍ବାର ବେଲଗାମ ହୋଇପଡ଼ିଛି। ବ୍ରିଟେନ୍ ଆଉ ଏକ ଲକ୍‌ଡାଉନ୍ ଘୋଷଣା କରିବା ଉପରେ ବିଚାର କରୁଛି। ସେଥିପାଇଁ ସାରା ବିଶ୍ବର ଷ୍ଟକ ବଜାର ନିବେଶକମାନେ ସେୟାର ବିକ୍ରି କରୁଛନ୍ତି। ତାହାର ପ୍ରଭାବ ବମ୍ବେ ଷ୍ଟକ ବଜାର ଉପରେ ପଡ଼ିଛି। ସେଥିପାଇଁ ଏଠାରେ ମଧ୍ୟ ନିବେଶକମାନେ ବିପୁଳ ପରିମାଣର ସେୟାର ବିକ୍ରି କରିବାରୁ ଆଜି ୧୧୧୫ ପଏଣ୍ଟ୍‌ ହ୍ରାସ ସହ ସେନ୍‌ସେକ୍ସ ୩୬,୫୫୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଜାତୀୟ ଷ୍ଟକ ବଜାରର ନିଫ୍‌ଟି ମଧ୍ୟ ଆଜି ୩୨୬ ପଏଣ୍ଟ୍‌ ହ୍ରାସ ପାଇ ୧୦,୮୦୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। କ୍ରମାଗତ ଛଅଟି କାରବାର ହୋଇଥିବା ଦିନରେ ସେନ୍‌ସେକ୍ସ ହ୍ରାସ ପାଇଛି। ବିଗତ ଛଅ ମାସ ମଧ୍ୟରେ ଏଭଳି ଖରାପ ସ୍ଥିିତି ଦେଖିବାକୁ ମିଳିନଥିଲା। ଗତ ୬ ଦିନରେ ସେନ୍‌ସେକ୍ସରେ ୨୭୪୯ ପଏଣ୍ଟ୍‌ ହ୍ରାସ ହୋଇଛି। ନିବେଶକମାନେ ମୋଟ ଉପରେ ୧୧.୩୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

ଆଜି ନିବେଶକମାନେ ସୂଚନା ପ୍ରଯୁକ୍ତି କଂପାନିଗୁଡ଼ିକର ସେୟ‌ାର ଅଧିକ ମାତ୍ରାରେ ବିକ୍ରି କରିଥିଲେ। ଇନ୍‌ଫୋସିସ୍‌, ଟିସିଏସ୍‌, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଆଇସିଆଇସିଆଇ ବ୍ୟାଙ୍କ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଅଧିକ କ୍ଷତି ସହିଛନ୍ତି। ଷ୍ଟକ ବଜାରରେ ନିବେଶକମାନେ ଆଜି ୩.୯୧ କୋଟି ଟଙ୍କା ହରାଇଥିବାରୁ ତାଲିକାଭୁକ୍ତ ଥିବା ସମସ୍ତ କଂପାନିର ମୋଟ ବଜାର ପୁଞ୍ଜି ୧୪୮.୭୯ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର