ନିବେଶକଙ୍କୁ ଘାରିଲା ଅର୍ଥନୀତି ଚିନ୍ତା

ସେନ୍‌ସେକ୍ସ ୭୭୦ ପଏଣ୍ଟ୍‌ ଖସିଲା, ନିବେଶକ ହରାଇଲେ ଅଢ଼େଇ ଲକ୍ଷ କୋଟି

ମୁମ୍ବାଇ: ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଜୁନ୍ ତ୍ରୟମାସରେ ୫%କୁ ଖସିଯିବା ଏବଂ ମାନୁଫାକ୍‌ଚରିଂ କ୍ଷେତ୍ରର ଅଭିବୃଦ୍ଧି ୧୫ ମାସ ଭିତରେ ସବୁଠୁ କମ୍ ରହିବା ବିଷୟକୁ ଷ୍ଟକ ବଜାର ନିବେଶକମା‌ନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅର୍ଥନୀତିକୁ ନେଇ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଥିବା ନିବେଶକମାନେ ଆଜି ନିଜ ପାଖରେ ଥିବା ଅନେକ କଂପାନିର ବିପୁଳ ସେୟାର ବିକ୍ରି କରିଦେଇଛନ୍ତି। ଏହାର ପ୍ରଭାବରେ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସରେ ୭୭୦ ପଏଣ୍ଟ୍‌ ଭଳି ବଡ଼ ଧରଣର ହ୍ରାସ ଘଟିଛି। ସେନ୍‌ସେକ୍ସ ୩୬,୫୬୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆଜି ନିବେଶକମାନେ ଅଢ଼େଇ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ସେନ୍‌ସେକ୍ସରେ ଆଜି ଚଳିତ ବର୍ଷର ସର୍ବବୃହତ ଦିନିକିଆ ହ୍ରାସ ଘଟିଛି। ଜାତୀୟ ଷ୍ଟକ ବଜାରର ନିଫ୍‌ଟି ମଧ୍ୟ ୨୨୫ ପଏଣ୍ଟ୍‌ ହ୍ରାସ ପାଇ ୧୦,୭୯୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆଜି ଦିନ ସାରା ଉଭୟ ବମ୍ବେ ଷ୍ଟକ ବଜାର ଓ ଜାତୀୟ ଷ୍ଟକ ବଜାରରେ ନିବେଶକମାନେ ବିପୁଳ ସେୟାରକୁ ବିକିଥିଲେ। ଏକ ସମୟରେ ସେନ୍‌ସେକ୍ସ ୩୬,୪୬୬ ପଏଣ୍ଟ୍‌ ଓ ନିଫ୍‌ଟି ୧୦,୯୬୭ ପଏଣ୍ଟ୍‌ ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ତେବେ କାରବାର ଶେଷ ହେବାକୁ ଆଉ କିଛି ମିନିଟ୍ ବାକି ଥିବା ବେଳେ ନିବେଶକମାନେ କମ୍ ଦାମ୍‌ରେ କେତେକ କଂପାନିର ସୟୋର କିଣିବା ଯୋଗୁ‌ ସେନ୍‌ସେକ୍ସରେ କିଛିଟା ସୁଧାର ହୋଇଥିଲା।

ଯେଉଁ ୩୦ଟି କଂପାନିର ସେୟାର ମୂଲ୍ୟ ଉପରେ ସେନ୍‌ସେକ୍ସର ହ୍ରାସ କିମ୍ବା ବୃଦ୍ଧି ନିର୍ଭର କରୁଛି, ସେଥି ମଧ୍ୟରୁ ୨୮ଟି କଂପାନିର ସେୟାର ମୂଲ୍ୟ କମିଥିଲା। ମାତ୍ର ଦୁଇଟି କଂପାନିର ସେୟାର ଦର ବଢ଼ିଛି। ସେହିପରି ଜାତୀୟ ଷ୍ଟକ ବଜାରର ନିଫ୍‌ଟି ପାଇଁ ଗୁରୁତ୍ବ ରଖୁଥିବା ୫୦ଟି କଂପାନି ମଧ୍ୟରୁ ୪୮ଟି କଂପାନିର ସେୟାର ମୂଲ୍ୟ କମିଥିବା ବେଳେ ୨ଟି କଂପାନିର ସେୟାର ଦର ବଢ଼ିଥିଲା। ଆଜି ନିବେଶକମାନେ ଆର୍ଥିକ ସଂସ୍ଥା ଓ ଗାଡ଼ି କଂପାନିଗୁଡ଼ିକର ସେୟାରକୁ ଅଧିକ ବିକିଥିଲେ। ଆଇସିଆଇସିଆଇ ବ୍ୟାଙ୍କ, ଟାଟା ମୋଟର୍ସ, ଟାଟା ଷ୍ଟିଲ୍, ଏଚ୍‌ଡିଏଫ୍‌ସି ଓ ଅଲ୍‌ଟ୍ରାଟେକ୍ ସିମେଣ୍ଟ୍‌ର ସେୟାର ମୂଲ୍ୟ କମିଥିବା ବେଳେ ମହିନ୍ଦ୍ରା ଓ ଏଚ୍‌ସିଏଲ୍‌ର ସେୟାର ମୂଲ୍ୟ ବଢ଼ିଥିଲା।

ନିବେଶକଙ୍କ ଚିନ୍ତାର କାରଣ
ଜିଡିପି ଅଭିବୃଦ୍ଧି ୫%କୁ ଖସିବା
ମାନୁଫାକ୍‌ଚରିଂ ଅଭିବୃଦ୍ଧି ୧୫ ମାସରେ ସବୁଠୁ କମ୍ ରହିବା
ଜୁଲାଇରେ ୮ଟି ମୌଳିକ କ୍ଷେତ୍ରର ଅଭିବୃଦ୍ଧି କମିଯିବା
ଗାଡ଼ି ବିକ୍ରି ମାନ୍ଦା ରହିବା
ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା
ଆମେରିକା-ଚୀନ୍ ବାଣିଜ୍ୟ ଲଢ଼େଇ ଥମୁନି
ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ମାନ୍ଦାବସ୍ଥାର ପ୍ରଭାବ
ବିସ୍କୁଟ ବଜାରରେ ସଙ୍କଟ

ସମ୍ବନ୍ଧିତ ଖବର