ନିର୍ମଳାଙ୍କ ବଜେଟ୍‌ରେ ଖୁସି ନାହାନ୍ତି ନିବେଶକ, ଦୁଇ ଦିନରେ ବୁଡ଼ିଗଲା ୫.୫ ଲକ୍ଷ କୋଟି

ମୁମ୍ବାଇ: ନିର୍ମଳା ସୀତାରମଣଙ୍କ କେନ୍ଦ୍ର ବଜେଟ୍‌ରେ ଦଲାଲ ଷ୍ଟ୍ରିଟ୍ ଖୁସି ନାହିଁ। ଫଳରେ କ୍ରମାଗତଭାବେ ଗତ ଦୁଇ ଦିନ ହେଲା ସେନସେକ୍ସ ଓ ନିଫ୍ଟି ତଳକୁ ଖସିବାରେ ଲାଗିଛି। ବଜେଟ୍ ଉପସ୍ଥାପନ ଦିନ ସେନସେକ୍ସ ୩୯୫ ପଏଣ୍ଟ ତଳକୁ ଖସିଥିବା ବେଳେ ଆଜି ଆହୁରି ୭୯୩ ପଏଣ୍ଟ ଖସିଯାଇଛି। ୨୦୧୯ର ଏହା ସର୍ବବୃହତ୍ ହ୍ରାସ। କେବଳ ସେତିକି ନୁହେଁ ପ୍ରତିଶତ ହିସାବରେ ୨୦୧୬ ଏପ୍ରିଲଠାରୁ ଆଜିର ହ୍ରାସ ମଧ୍ୟ ସର୍ବବୃହତ। ଗତ ଶୁକ୍ରବାର ଏବଂ ଆଜିର ହ୍ରାସକୁ ବିଚାରକୁ ନେଲେ ଦୁଇ ଦିନରେ ସେ‌ନସେକ୍ସ ପାଖାପାଖି ୧୨୦୦ ପଏଣ୍ଟ ହ୍ରାସ ପାଇଛି। ନିବେଶକମା‌ନଙ୍କର ୫.୫ ଲକ୍ଷ କୋଟି ଟଙ୍କାରୁ ଊର୍ଧ୍ବ ସମ୍ପତ୍ତି ଧୋଇ ଯାଇଛି।

ଦେଶର ଅର୍ଥନୈତିକ ଅଭିବୃଦ୍ଧି ଗତ ୫ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଚାଲିଯାଇଛି। ଅର୍ଥନୀତିର ଗତିକୁ ତ୍ବରାନ୍ବିତ କରିବା ପାଇଁ ସରକାର ବଜେଟରେ କିଛି ପ୍ରସ୍ତାବ କିମ୍ବା ପ୍ରୋତ୍ସାହନ ଘୋଷଣା କରିବେ ବୋଲି ଆଶା ରହିଥିଲା। କିନ୍ତୁ ଅର୍ଥମନ୍ତ୍ରୀ ଏ ନେଇ କିଛି ଘୋଷଣା ନକରିବାରୁ ନିବେଶକମାନେ ନିରାଶ ହୋଇଛନ୍ତି। କେବଳ ସେତିନି ନୁହେଁ, ବଜେଟରେ ସେୟାର ବାଏବ୍ୟାକ୍ ଉପରେ ଟିକସ ଲାଗୁ ପ୍ରସ୍ତାବ, ଧନୀଙ୍କଠାରୁ ଅଧିକ ଟିକସ ଆଦାୟ କରିବା ଏବଂ ଅନ୍ୟାନ୍ୟ ପ୍ରସ୍ତାବକୁ ନିବେଶକମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ପ୍ରଥମତଃ ତାଲିକାଭୁକ୍ତ କମ୍ପାନି ଗୁଡ଼ିକରେ ସରକାରୀ ଅଂଶଧନ ବର୍ତ୍ତମାନର ୨୫ ପ୍ରତିଶତରୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ଲାଗି ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏତଦବ୍ୟତୀତ ସେୟାର ବାଏବ୍ୟାକ୍ ବା ପୁନଃକ୍ରୟ ଉପରେ ୨୦ ପ୍ରତିଶତ ଟିକସ ଲାଗୁ ପ୍ରସ୍ତାବ ମଧ୍ୟ ରହିଛି। ୨ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ସରଚାର୍ଜ ବଢ଼ାଇ ଦେଇଛନ୍ତି। ଏସବୁର ପ୍ରଭାବ ନିବେଶକମାନଙ୍କ ଉପରେ ପଡ଼ିବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଫଳରେ ସେନସେକ୍ସ ଏବଂ ନିଫଟି ନିମ୍ନମୁଖୀ ହୋଇଛି। ସେନସେକ୍ସ ୭୯୨.୮୨ ପଏଣ୍ଟ ବା ୨.୦୧ ପ୍ରତିଶତ ହ୍ରାସ ଘଟି ୩୮,୭୨୦.୫୭ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫଟି ୨୪୭.୧୫ ପଏଣ୍ଟ ବା ୨.୦୯ ପ୍ରତିଶତ ହ୍ରାସ ଘଟି ୧୧,୫୬୪ ପଏଣ୍ଟରେ ବନ୍ଦ ହୋଇଛି। କେବଳ ଭାରତ ନୁହେଁ ଏସିଆର ଅନ୍ୟ ପ୍ରମୁଖ ଷ୍ଟକ ମାର୍କେଟ ଗୁଡ଼ିକ ମଧ୍ୟ ଆଜି ନିମ୍ନମୁଖୀ ହୋଇଛନ୍ତି। ଆମେରିକାର ଫେଡେରାଲ ରିଜର୍ଭ ପକ୍ଷରୁ ସୁଧ ହାର ହ୍ରାସ ସମ୍ଭାବନା ନଥିବାରୁ ସାଂଘାଇ କମ୍ପୋଜିଟ୍ ଇଣ୍ଡେକ୍ସ ୨.୫୮ ପ୍ରତିଶତ, ହ୍ୟାଙ୍ଗ ‌ସେଙ୍ଗ ୧.୫୪ ପ୍ରତିଶତ, ନିକେଇ ୦.୯୮ ପ୍ରତିଶତ ଏବଂ କୋସ୍‌ପି ୨.୨୦ ପ୍ରତିଶତ ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର