ନୂଆଦିଲ୍ଲୀ: ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି ଗ୍ରୁପ୍ର ବିଭିନ୍ନ ସଂସ୍ଥାର ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଲେଣି। ନିକଟରେ ଆଦାନି କଂପାନିର ସେୟାରରେ ୫୮ ପ୍ରତିଶତ ଭଳି ହ୍ରାସ ଘଟିଛି। ସେଥିପାଇଁ ନିବେଶକମାନଙ୍କ ସମ୍ପତ୍ତି ହ୍ରାସ ପାଇଛି। ଆଦାନି ଗ୍ରୁପ୍ ଷ୍ଟକ ମୂଲ୍ୟରେ ହେରଫେର ଓ ଆକାଉଣ୍ଟ୍ ଜାଲିଆତି କରୁଥିବା ନେଇ ହିଣ୍ଡେନ୍ବର୍ଗ ରିପୋର୍ଟ ଅଭିଯୋଗ କରିବା ପରେ ଭାରତୀୟ ଷ୍ଟକ ବଜାର ଅସ୍ଥିର ହୋଇପଡ଼ିଛି। ନିବେଶକମାନେ ଆଦାନିର ବିଭିନ୍ନ କଂପାନିର ସେୟାରକୁ ବିକ୍ରି କରୁଥିବାରୁ ସେଗୁଡ଼ିକର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ହିଣ୍ଡେନ୍ବର୍ଗର ସମସ୍ତ ଅଭିଯୋଗକୁ ଆଦାନି ଗ୍ରୁପ୍ ଦୃଢ଼ ଭାବେ ଖଣ୍ଡନ କରିବା ସତ୍ତ୍ବେ ନିବେଶକମାନଙ୍କୁ ତାହା ଶାନ୍ତ କରିପାରୁନାହିଁ। ଷ୍ଟକ ବଜାରରେ ସ୍ଥିରତା ବଜାୟ ରଖିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଦାନିର ସେୟାରଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିଛି।
ଆଦାନି ଘଟଣାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ଏହା ଏକ ନିର୍ଦିଷ୍ଟ କଂପାନି ମାମଲା। ଏହି ଘଟଣା ଭାରତର ଭାବମୂର୍ତ୍ତିକୁ ପ୍ରଭାବିତ କରିବ ନାହିଁ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଷ୍ଟକ ବଜାରରେ ସ୍ଥିରତା ବଜାୟ ରଖିବା ଲାଗି କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ବଜାରରେ ସ୍ଥିରତା ବଜାୟ ରଖିବା ପାଇଁ ଆମେ କାର୍ଯ୍ୟ କରୁଛୁ ବୋଲି ସେବି କହିଥିବା ବେଳେ ରିଜର୍ଭ ବ୍ୟାଙ୍କ କହିଛି ଯେ ଭାରତୀୟ ବ୍ୟାଙ୍କ ଶିଳ୍ପ ବେଶ ଦୃଢ଼ ରହିଛି। ଆଦାନି କଂପାନିର ସେୟାର ମୂଲ୍ୟରେ ହେଉଥିବା ହ୍ରାସ ଦ୍ବାରା ବ୍ୟାଙ୍କ ଶିଳ୍ପ ବିଶେଷ ପ୍ରଭାବିତ ହେବ ନାହିଁ ବୋଲି ପରୋକ୍ଷରେ ଏହା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଆଦାନିର ଏକ ଯୌଥ ଉଦ୍ୟୋଗ ସହଯୋଗୀ ଟୋଟାଲ ଏନର୍ଜି ପକ୍ଷରୁ କୁହାଯାଇଛି ଯେ ସାଧାରଣ ଅଡିଟ୍ କରାଇବା ଲାଗି ଆଦାନି ଗ୍ରୁପ୍ ଚାରିଟି ବଡ଼ ସଂସ୍ଥା ସହ କଥାବାର୍ତା କରିଛି। ଡେଲଏଟ୍, କେପିଏମ୍ଜି, ପିଡବ୍ଲୁସି ଓ ଆର୍ନଷ୍ଟ୍ ଆଣ୍ଡ୍ ୟଙ୍ଗ୍ ସହ ଆଲୋଚନା ହେଉଛି। ଏଥିରୁ େଯକୌଣସି ଗୋଟିଏ ସଂସ୍ଥାକୁ ଅଡିଟ୍ ଦାୟିତ୍ବ ଦିଆଯିବ।