ନିବେଶକ ହରାଇଲେ ୨.୩ ଲକ୍ଷ କୋଟି, ସେନ୍‌ସେକ୍ସରେ ୫୪୦ ପଏଣ୍ଟ୍‌ ହ୍ରାସ

ମୁମ୍ବାଇ: ଆଜି ବମ୍ବେ ଷ୍ଟକ ବଜାରରେ କାରବାର ଆରମ୍ଭ ହେବା ବେଳକୁ ନିବେଶକମାନେ ସତର୍କତାର ସହ କାରବାର କରିଥିଲେ। ମାତ୍ର ସମୟ ଗଡ଼ିବା ସହିତ ସେୟାର ବିକ୍ରି ବୃଦ୍ଧି ପାଇଥିଲା। ଏହାର ପ୍ରଭାବରେ ଆଜି ସେନ୍‌ସେକ୍ସରେ ୫୪୦ ପଏଣ୍ଟ୍‌ର ହ୍ରାସ ଘଟିଛି। ଫଳରେ ଷ୍ଟକ ବଜାର ନିବେଶକମାନେ ୨.୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ସେୟାର ବଜାରରେ ଆଜି ସବୁ କ୍ଷେତ୍ରରେ ସେୟାର ବିକ୍ରି ହୋଇଥିଲା। ଆଇଟି ଠାରୁ ଆରମ୍ଭ କରି ଆର୍ଥିକ ସେବା, ବ୍ୟାଙ୍କ ଓ ଫାର୍ମା ପର୍ଯ୍ୟନ୍ତ ସବୁ କ୍ଷେତ୍ରର ସେୟାରକୁ ନିବେଶକମାନେ ବିକ୍ରି କରିଥିଲେ। ଆଜିର କାରବାର ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଥିବା ବେଳେ ନେସ୍‌ଲେ ଇଣ୍ଡିଆ, କୋଟାକ୍ ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ପାୱାରଗ୍ରିଡ୍ ଓ ହିନ୍ଦୁସ୍ତାନ ୟୁନିଲିଭର୍‌ର ସେୟାର ମୂଲ୍ୟ ବୃଦ୍ଧି ପାଇଛି।

ଆଜି କାରବାର ବେଳେ ଏକ ସମୟରେ ସେନ୍‌ସେକ୍ସରେ ୭୩୭ ପଏଣ୍ଟ୍‌ର ହ୍ରାସ ଘଟିଥିଲା। ମାତ୍ର ଶେଷ ଆଡ଼କୁ କିଛି ନିବେଶକ ସେୟାର କିଣିବା ଯୋଗୁଁ ସେଥିରେ ସୁଧାର ଘଟିଥିଲା। କାରବାର ଶେଷ ବେଳକୁ ସେନ୍‌ସେକ୍ସ ୫୪୦ ପଏଣ୍ଟ୍‌ ହ୍ରାସ ପାଇ ୪୦,୧୪୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି ଜାତୀୟ ଷ୍ଟକ ବଜାରର ନିଫ୍‌ଟି ଆଜି ୧୬୩ ପଏଣ୍ଟ୍‌ ହ୍ରାସ ପାଇ ୧୧,୭୬୭ ପଏଣ୍ଟ୍‌ରେ ବନ୍ଦ ‌ହୋଇଛି। ଯେଉଁ କେତେକ କଂପାନିର ସେନ୍‌ସେକ୍ସ ପ୍ରତି ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି ସେଥି ମଧ୍ୟରୁ ବଜାଜ ଅଟୋ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଟାଟା ଷ୍ଟିଲ୍, ଟେକ୍ ମହିନ୍ଦ୍ରା, ଷ୍ଟେଟ୍‌ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ଆଜି ଅଧିକ କ୍ଷତି ସହିଛନ୍ତି। ଫ୍ୟୁଚର୍‌ ଗ୍ରୁପ୍‌ର ରିଟେଲ୍‌ ବ୍ୟବସାୟକୁ ରିଲାଏନ୍ସ ଅଧିଗ୍ରହଣ କରିବା ବିରୋଧରେ କୋର୍ଟ ଆବେଦନ କରି ଆମାଜନ ବିଜୟ ହାସଲ କରିବା ପରେ ଅନେକ ନିବେଶକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ବିକ୍ରି କରିଥିଲେ। ଫ୍ୟୁଚର୍‌ ଗ୍ରୁପ୍‌ର ରିଟେଲ୍‌ କାରବାରକୁ ୨୪,୧୭୩ କୋଟି ଟଙ୍କାରେ କିଣିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଘୋଷଣା କରିଥିଲା। ଆଜି ସେନ୍‌ସେକ୍ସରେ ଘଟିଥିବା ହ୍ରାସର କାରଣ ସମ୍ପର୍କରେ ଇକ୍ବିଟି ରିସର୍ଚ ମୁଖ୍ୟ ନରେନ୍ଦ୍ର ସୋଲାଙ୍କି କହିଛନ୍ତି ଯେ ୟୁରୋପରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ସେଠାରେ ଆଉ ଥରେ ଲକ୍‌ଡାଉନ୍ ଘୋଷଣା କରିବା ବିଷୟରେ ବିଭିନ୍ନ ଦେଶ ବିଚାର କରୁଛନ୍ତି। ସେହି ଖବର ପ୍ରଚାରିତ ହେବା ପରେ ଆଜି ଭାରତୀୟ ଷ୍ଟକ ବଜାରରେ କାରବାର ଆରମ୍ଭ ହେବା ବେଳକୁ ନିବେଶକମା‌ନେ ସତର୍କ ରହିଥିଲେ। ମଧ୍ୟାହ୍ନ ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଘଟିନଥିଲା। ଧାତବ, ରିଅଲ ଇଷ୍ଟେଟ୍‌ ଓ ଆର୍ଥିକ ଷ୍ଟକଗୁଡ଼ିକର ମୂଲ୍ୟ ହ୍ରାସ ପାଇଥିଲା। ବିଶ୍ବ ସ୍ତରରେ ସାଂଘାଇ, ଟୋକିଓ ଓ ସିଓଲର ଷ୍ଟକ ବଜାରରେ ମଧ୍ୟ ମାନ୍ଦା କାରବାର ରହିଥିଲା। ୟୁରୋପରେ କାରବାର ମଧ୍ୟ ଏତେଟା ଭଲ ରହିନଥିଲା। ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ମଧ୍ୟ ୨ ପ୍ରତିଶତ ହ୍ରାସ ୪୧.୧୪ ଡଲାରରେ ପହଞ୍ଚିିଥିଲା। ମୁଦ୍ରା ବିନିମୟ ବଜାରରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆଜି ଆଉ ୨୩ ପଇସା ଦୁର୍ବଳ ହୋଇଥିଲା। ଏକ ଡଲାର କିଣିବା ପାଇଁ ୭୩ ଟଙ୍କା ୮୪ ପଇସା ଗଣିବାକୁ ପଡ଼ିଥିଲା। ଷ୍ଟକ ବଜାର କାରବାରକୁ ସୁହାଇବା ଭଳି କୌଣସି ଗୋଟିଏ ବି ଭଲ ଖବର ମିଳିନଥିବାରୁ ନିବେଶକମାନେ ହତାଶ ହୋଇ ଆଜି ସେୟାର ବିକିଥିଲେ।

ସମ୍ବନ୍ଧିତ ଖବର