ନୂଆଦିଲ୍ଲୀ: ଓମିକ୍ରନ ଭୟରେ ଆଜି ଭାରତୀୟ ସେୟାର ବଜାର ଦୋହଲି ଯାଇଛି । ଗୋଟିଏ ଦିନରେ ୭ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକ । ଆଜି ସେନସେକ୍ସ ୧୧ଶହ ୯୦ପଏଣ୍ଟ ତଳକୁ ଖସିଛି । ନିଫଟିରେ ମଧ୍ୟ ୩୭୧ପଏଣ୍ଟ ହ୍ରାସ ହୋଇଛି । ଦୁଇ ଦିନରେ ନିବେଶକ ହରାଇଲେଣି ପ୍ରାୟ ୧୧ ଲକ୍ଷ କୋଟି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ, ଧୀରେ ଧୀରେ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ବିଶେଷ କରି ବ୍ରିଟେନ୍ ଓ ଅନ୍ୟ ୟୁରୋପୀୟ ଦେଶରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । କିଛି ଦେଶରେ ପୁଣି ଥରେ ଲକଡାଉନ ଭଳି ଶକ୍ତ କଟକଣା ଫେରିଛି । ଆଉ ଏହାର ସିଧା ପ୍ରଭାବ ପଡ଼ିଛି ସେୟାର ବଜାର ଉପରେ । ଶୁକ୍ରବାର ଦିନ ଭାରତୀୟ ସେୟାର ବଜାର ତଳକୁ ଖସିଥିବା ବେଳେ ସୋମବାର ଆରମ୍ଭରୁ ତଳମୁହାଁ ହୋଇଚାଲିଲା ସେୟାର ବଜାର । ପ୍ରଥମ ଦୁଇଟି ସେସନରେ କ୍ଷତି ବଢ଼ି ବଢ଼ି ଚାଲିଲା, ହେଲେ ଶେଷ ଆଡକୁ ସାମାନ୍ୟ ସୁଧାର ଆସିଥିଲା ।
ବଜାର ବନ୍ଦ ହେବାବେଳକୁ ସେନସେକ୍ସ ୧୧୯୦ ଅଙ୍କ ଅର୍ଥାତ୍ ୨.୦୯ ପ୍ରତିଶତ ହ୍ରାସ ପାଇ ୫୫ ହଜାର ୮୨୨ ଟଙ୍କାରେ ପହଞ୍ଚିଛି । ସେହିପରି ନିଫଟି ୩୭୧ ଅଙ୍କ ହ୍ରାସ ପାଇଛି । ଅର୍ଥାତ ୨.୧୮ ପ୍ରତିଶତ ହ୍ରାସ ପାଇ ୧୬ ହଜାର ୬୧୪ରେ ଟ୍ରେଡିଂ ବନ୍ଦ ହୋଇଛି । ଗୋଟିଏ ଦିନରେ ନିବେଶକ ହରାଇଛନ୍ତି ୬ଲକ୍ଷ ୬୭ ହଜାର କୋଟି ଟଙ୍କା । ଦୁଇଟି ଟ୍ରେଡିଂ ଦିନରେ ମୋଟ ୧୧ ଲକ୍ଷ କୋଟି ହରାଇବା ନିବେଶକଙ୍କ ଚିନ୍ତା ବଢାଇଛି ।
ବିଶେଷଜ୍ଞଙ୍କ ମତରେ ଓମିକ୍ରନ ଦ୍ରୁତ ଗତିରେ ବଢୁଥିବାରୁ ବିଶ୍ୱ ବଜାରରେ ଏହାର ପ୍ରଭାବ ପଡ଼ିଛି । ସାଂଘାଇ, ହଂକଂ, ଜାପାନ ଏବଂ ଦକ୍ଷିଣ କୋରିଆରେ ମଧ୍ୟ ସେୟାର ବଜାର ତଳ ମୁହାଁ ହୋଇଛି । ଆଗକୁ ଯଦି ଓମିକ୍ରନ ଭୂତାଣୁ ଯୋଗୁଁ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ହୁଏ, ତାହେଲେ ସେୟାର ବଜାରରେ ଆହୁରି ମାନ୍ଦାବସ୍ଥା ଦେଖିବାକୁ ମିଳିବ ବୋଲି ଆଶଙ୍କା କରାଯାଉଛି ।