ମୁମ୍ବାଇ : ବମ୍ବେ ଷ୍ଟକ ବଜାର ସେନ୍ସେକ୍ସରେ ଆଜି ବଡ଼ ଧରଣର ହ୍ରାସ ଘଟିଥିବାରୁ ନିବେଶକମାନେ ୨.୩୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବିଭିନ୍ନ କଂପାନିର ସେୟାର ମୂଲ୍ୟ ଉଚ୍ଚ ସ୍ତରରେ ଥିବାରୁ ତାହାକୁ ବିକି ଲାଭ ପାଇବା ଆଶାରେ ଆଜି ନିବେଶକମାନେ ବିପୁଳ ପରମାଣର ସେୟାର ବିକିଥିଲେ। ଏହାର ପ୍ରଭାବରେ ସେନ୍ସେକ୍ସ ୫୪୯ ପଏଣ୍ଟ୍ ହ୍ରାସ ପାଇ ୪୯,୦୩୪ ପଏଣ୍ଟ୍ରେ ବନ୍ଦ ହୋଇଛି। ଏଥି ସହିତ ୫୦ ହଜାର ପଏଣ୍ଟ୍ ସ୍ତର ଅତିକ୍ରମ କରିବା ଆଡ଼କୁ ଅଗ୍ରସର ହେଉଥିବା ସେନ୍ସେକ୍ସ ପଛକୁ ଫେରିଛି। ଏହି ମ୍ୟାଜିକ୍ ସଂଖ୍ୟା ଅତିକ୍ରମ କରିବା ଲାଗି ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ ନିଫ୍ଟି ମଧ୍ୟ ୧୬୧ ପଏଣ୍ଟ୍ ହ୍ରାସ ପାଇ ୧୪,୪୩୩ ପଏଣ୍ଟ୍ରେ ବନ୍ଦ ହୋଇଛି। ନିବେଶକମାନଙ୍କ ସମ୍ପତ୍ତିରେ ବର୍ଷକୁ ବର୍ଷ ହ୍ରାସ ଓ ବୃଦ୍ଧିର ଧାରା ଜାରି ରହିଛି। ଗତ ୨୦ ବର୍ଷ ଭିତରେ ନିବେଶକମାନଙ୍କ ସମ୍ପତ୍ତିରେ ମୋଟ ଉପରେ ୩୧୨୫.୪%ର ବୃଦ୍ଧି ହୋଇଛି। ଏହି ୨୦ ବର୍ଷ ମଧ୍ୟରୁ ୧୫ ବର୍ଷ ନିବେଶକମାନଙ୍କ ସମ୍ପତ୍ତି ବଢ଼ିଥିବା ବେଳେ ୫ଟି ବର୍ଷରେ ହ୍ରାସ ପାଇଛି। ୨୦୦୩-୦୪ରେ ନିବେଶକମାନେ ସର୍ବାଧିକ ରିଟର୍ଣ୍ଣ ପାଇଥିଲେ। ସେମାନଙ୍କ ସମ୍ପତ୍ତି ମୂଲ୍ୟରେ ୧୬୯% ବୃଦ୍ଧି ହୋଇଥିଲା।
ନିବେଶକ ହରାଇଲେ ୨.୩୩ ଲକ୍ଷ କୋଟି
/sambad/media/post_attachments/wp-content/uploads/2021/01/SENSEX_NSE_nifty_BSE_Stock-market-770x433-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)