ନିବେଶକ ହରାଇଲେ ୭ ଲକ୍ଷ କୋଟି

ମୁମ୍ବାଇ: କରୋନା ସଂକ୍ରମଣ ବଢ଼ୁଥିବାରୁ ଆଗକୁ ଅର୍ଥନୀତିରେ ଲକଡାଉନ୍‌ ଭଳି କଟକଣା ନିବେଶକଙ୍କୁ ଘାରିଛି। ଏହାର ବଡ଼ ଧରଣ ପ୍ରଭାବ ‌ଷ୍ଟକ୍‌ ବଜାର ଉପରେ ପଡ଼ିଛି। ଗତ ଦୁଇଦିନ ଭିତରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେ‌ନସେକ୍ସ ୧୬୧୧ ପଏଣ୍ଟ ତଳକୁ ଖସି ୪୮୪୦୦ ପଏଣ୍ଟରେ ବନ୍ଦ ହୋଇଛି। ଗୁରୁବାର ସେନସେକ୍ସ ୭୪୦ ପଏଣ୍ଟ ହ୍ରାସ ପାଇଛି। ସେହିଭଳି ନିଫଟି ଗୁରୁବାର ଦିନ ୨୨୪ ପଏଣ୍ଟ ବା ୧.୫୪ ପ୍ରତିଶତ ହ୍ରାସ ଘଟି ୧୪୩୨୪ ପଏଣ୍ଟରେ ବନ୍ଦ ହୋଇଛି। ଷ୍ଟକ ବଜାର ତଳକୁ ଖସିବା ଦ୍ବାରା ନିବେଶକମାନଙ୍କୁ ଗତ ଦୁଇଦିନରେ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂପତ୍ତି ହରାଇବାକୁ ପଡ଼ିଛି। ସେନସେକ୍ସରେ ସ୍ଥାନ ପାଇଥିବା କମ୍ପାନିର ସେୟାର ଗୁଡ଼ିକ ମଧ୍ୟରୁ ଆଜି ମାରୁତି ସୁଜୁକି ସର୍ବାଧିକ ୪ ପ୍ରତିଶତ ହ୍ରାସ ଘଟିଛି। ଏହାସହିତ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌, ଭାରତୀ ଏୟାରଟେଲ, ବଜାଜ୍ ଅଟୋର ସେୟାର ମୂଲ୍ୟରେ ବଡ଼ ଧରଣର କ୍ଷତି ହୋଇଛି।

ସମ୍ବନ୍ଧିତ ଖବର