ନୂଆଦିଲ୍ଲୀ: ବାଇଜୁସ୍ର ପ୍ରତିଷ୍ଠାତା ତଥା ସିଇଓ ବାଇଜୁ ରବୀନ୍ଦ୍ରନ କମ୍ପାନି ପରିଚାଳନା ପାଇଁ ଅଯୋଗ୍ୟ। ତେଣୁ ତାଙ୍କୁ କମ୍ପାନିର ନିର୍ଦ୍ଦେଶକ ମଣ୍ଡଳୀ ବୋର୍ଡରୁ ବିଦା କରିବା ପାଇଁ ବାଇଜୁସ୍ର କେତେକ ନିବେଶକ ଏନ୍ସିଏଲ୍ଟି (ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ)ର ଦ୍ବାରସ୍ଥ ହୋଇଛନ୍ତି। କମ୍ପାନିର ୪ ଜଣ ନିବେଶକ ଏନ୍ସିଏଲ୍ଟିରେ କମ୍ପାନି କୁପରିଚାଳନା ମାମଲା ରୁଜୁ କରିଛନ୍ତି। ଏଥିସହିତ କମ୍ପାନିର ଫରେନସିକ ଅଡିଟ୍ କରିବା ସହିତ ଏକ ନୂଆ ବୋର୍ଡ ନିଯୁକ୍ତି ଏବଂ ରାଇଟ୍ସ ଇସ୍ୟୁକୁ ରଦ୍ଦ କରିବା ପାଇଁ ମଧ୍ୟ ସେମାନେ ଆବେଦନ କରିଛନ୍ତି। ଯେଉଁ ୪ ନିବେଶକ ପିଟିସନରେ ଦସ୍ତଖତ କରିଛନ୍ତି ସେମାନେ ହେଲେ ପ୍ରୋସସ୍, ଜିଏ, ସୋଫିନା ଏବଂ ପିକ୍ ଏକ୍ସଭି। ଟାଇଗର ଏବଂ ଆଉଲ ଭେଞ୍ଚର୍ସ ଭଳି ଅନ୍ୟ ନିବେଶକମାନଙ୍କ ସମର୍ଥନ ମଧ୍ୟ ଏଥିପ୍ରତି ରହିଥିବା କୁହାଯାଇଛି।
ଅନ୍ୟପକ୍ଷରେ ବାଇଜୁସ୍ର ନିବେଶକମାନେ ଆଜି ଏକ ଜରୁରୀ ବୈଠକ କରିଛନ୍ତି। ଯେଉଁଥିରେ ରବୀନ୍ଦ୍ରନ ବାଇଜୁ ଓ ତାଙ୍କ ପରିବାରକୁ ନିର୍ଦ୍ଦେଶକ ମଣ୍ଡଳୀ ବୋର୍ଡରୁ ବିଦା କରିବା ଲାଗି ଭୋଟଦାନର ଯୋଜନା କରିଛନ୍ତି। ତେବେ ପରିଚାଳନା ମଣ୍ଡଳୀର ଏହି ସ୍ବତନ୍ତ୍ର ବୈଠକ ବେଆଇନ ବୋଲି ରବୀନ୍ଦ୍ରନଙ୍କ ପରିବାର ପକ୍ଷରୁ କୁହାଯାଇଛି। କର୍ଣ୍ଣାଟକ ହାଇକୋର୍ଟ ପୂର୍ବରୁ କହି ସାରିଛନ୍ତି ଯେ କୋର୍ଟର ଚୂଡ଼ାନ୍ତ ରାୟ ନଆସିବା ପର୍ଯ୍ୟନ୍ତ କମ୍ପାନିର ଇଜିଏମ୍ର କୌଣସି ପ୍ରସ୍ତାବ ବୈଧ ହେବନାହିଁ। ଏହା ସତ୍ତ୍ବେ ନିବେଶକମାନେ ଶୁକ୍ରବାର ଇଜିଏମ୍ କରିଛନ୍ତି। ଏହି ବୈଠକରେ ବାଇଜୁ ରବୀନ୍ଦ୍ରନ ଓ ତାଙ୍କ ପତ୍ନୀ ଦିବ୍ୟା ଗୋକୁଳନାଥ ଯୋଗଦେଇ ନାହାନ୍ତି। ନିବେଶକ ଓ କମ୍ପାନି ପରିଚାଳକ ଆଦିଙ୍କୁ ନେଇ ଜୁମ୍ କଲ୍ରେ ଦୀର୍ଘ ସମୟ ଧରି ବୈଠକ ହୋଇଥିଲା। ବୈଠକରେ ପ୍ରବଳ ପାଟିତୁଣ୍ଡ ମଧ୍ୟ ଦେଖିବାକୁ ମିଳିଥିଲା।
ବାଇଜୁସ୍ରେ ୬୦ ପ୍ରତିଶତ ଅଂଶଧନ ରଖିଥିବା ନିବେଶକମାନେ ବୈଠକରେ କମ୍ପାନିର ସିଇଓ ରବୀନ୍ଦ୍ରନ ବାଇଜୁଙ୍କୁ ବିଦା କରିବା ସପକ୍ଷରେ ସର୍ବସମ୍ମତ ମତ ଦେଇଥିବା ପ୍ରୋସସ୍ ପକ୍ଷରୁ ଜାରି ବିବୃତିରେ ଏହା କୁହାଯାଇଛି। ବୈଠକର ବୈଧତାକୁ ନେଇ ସେମାନେ ଦୃଢ଼ ଆଶାବାଦୀ ଅଛନ୍ତି। ଏହାକୁ କର୍ଣ୍ଣାଟକ ହାଇକୋର୍ଟରେ ଆବଶ୍ୟକ ସମୟରେ ଉପସ୍ଥାପନ କରାଯିବ ବୋଲି କୁହାଯାଇଛି। କିନ୍ତୁ ବାଇଜ୍ସ ପକ୍ଷରୁ ଏଭଳି ପ୍ରସ୍ତାବକୁ ଅବୈଧ ବୋଲି ଘୋଷଣା କରାଯାଇଛି। କମ୍ପାନିର ଜଣେ ପ୍ରବକ୍ତା କହିଛନ୍ତି, ବାଇଜୁସ୍ ଗଠନର ନିୟମ ଅନୁସାରେ ବୈଠକରେ କେହି ଜଣେ ପ୍ରତିଷ୍ଠାତା ନିର୍ଦ୍ଦେଶକ ଉପସ୍ଥିତ ରହିବା ଆବଶ୍ୟକ। କିନ୍ତୁ ତାହା ହୋଇ ନାହିଁ। ବାଇଜୁଙ୍କ ପତ୍ନୀ ଦିବ୍ୟା ଗୋକୁଳନାଥ ଏବଂ ତାଙ୍କ ଭାଇ ରିଜୁ ରବୀନ୍ଦ୍ରନ ବୈଠକରେ ଯୋଗ ଦେଇନାହାନ୍ତି। ଏଥିସହିତ ବାଇଜୁସ୍ ପକ୍ଷରୁ କୁହାଯାଇଛି ଯେ ବୈଠକରେ କେବଳ ୨୦ ପ୍ରତିଶତ ଅଂଶଧାରୀ ଉପସ୍ଥିତ ଥିଲେ। ପାରିତ ହୋଇଥିବା ପ୍ରସ୍ତାବ କେବଳ ବୋର୍ଡକୁ ସୁପାରିସ ବିଚାର ପାଇଁ ଅନୁରୋଧ କରିପାରିବ, ଏହା ବାଧ୍ୟତାମୂଳକ ନୁହେଁ। ଉଲ୍ଲେଖଯୋଗ୍ୟ ଶିକ୍ଷା କ୍ଷେତ୍ରର ଏକ ଷ୍ଟାର୍ଟଅପ୍ ସଂସ୍ଥା ଭାବେ ବାଇଜୁସ୍କୁ ୨୦୧୫ ମସିହାରେ ରବୀନ୍ଦ୍ରନ ବାଇଜୁ ସ୍ଥାପନ କରିଥିଲେ। ତେବେ କମ୍ପାନି ୧.୨ ବିଲିଅନ ଡଲାରର ଋଣ ଉପରେ ଠିକ୍ ସମୟରେ ସୁଧ ପ୍ରଦାନ କରିବାରେ ବିଫଳ ହେବାରୁ ବିବାଦ ଆରମ୍ଭ ହୋଇଛି।