ନୂଆଦିଲ୍ଲୀ: ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ବିଭିନ୍ନ ସଂସ୍ଥା‌ର ସେୟାର ଅଧିକ ମାତ୍ରାରେ କିଣିବାରୁ ସେନ୍‌ସେକ୍ସରେ ବଡ଼ ଧରଣର ବୃଦ୍ଧି ହୋଇଛି। କାରବାର ଶେଷବେଳକୁ ୪୬୩ ପଏଣ୍ଟ୍‌ ବୃଦ୍ଧି ସହ ସେନ୍‌ସେକ୍ସ ୬୧,୧୧୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି। ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ମୋଟ ବଜାର ମୂଲ୍ୟ ଗତକାଲି ୨୬୯ ଲକ୍ଷ କୋଟି ଟଙ୍କା ଥିଲା। ଆଜି କାରବାର ଶେଷ ହେବା ପରେ ତାହା ପ୍ରାୟ ୨୭୨.୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

Advertisment

ଆଜି ନ୍ୟାସନାଲ୍‌ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୧୫୦ ପଏଣ୍ଟ୍‌ ବୃଦ୍ଧି ସହ ୧୮,୦୬୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବମ୍ବେ ଷ୍ଟକ ବଜାରରେ ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଆଇଟିସି, ଏଲ୍‌ଆଣ୍ଡ୍‌ଟି, ଏସ୍‌ବିଆଇ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସେୟାର ମୂଲ୍ୟ ବଢ଼ିଛି। ନେସ୍‌ଲେ, ଡିଏଲ୍‌ଏଫ୍‌, ବଜାଜ ଅଟୋ ଏବଂ ଚୋଳମଣ୍ଡଳମ ଇନଭେଷ୍ଟମେଣ୍ଟ୍‌ ଆଣ୍ଡ୍‌ ଫାଇନାନ୍ସ କଂପାନିର ସେୟାର ମୂଲ୍ୟ ମଧ୍ୟ ବଢ଼ିଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ରେ ଆଦାନି ଏଣ୍ଟରପ୍ରାଇଜେସ୍‌, ଆଦାନି ପୋର୍ଟସ୍‌ ଓ ନେସ୍‌ଲେ ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି।