ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପ୍ରଶମିତ କରିବା ଲାଗି ଅସ୍ତ୍ରବିରତି ଘୋଷଣା ହେବା ପରେ ନିବେଶକମାନେ ଉଲ୍ଲସିତ ହୋଇପଡ଼ିଛନ୍ତି। ଏକ ବଡ଼ ଧରଣର ସଙ୍କଟ ଟଳିଯାଇଥିବାରୁ ସେମାନେ ମନ ଖୋଲି ସେୟାର କିଣିବାରେ ନିବେଶ କରିଛନ୍ତି। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୨୯୭୫ ପଏଣ୍ଟ ବୃଦ୍ଧି ପାଇ ୮୨,୪୨୯ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୯୧୭ ପଏଣ୍ଟ ବୃଦ୍ଧି ପାଇ ୨୪,୯୨୪ ପଏଣ୍ଟରେ ବନ୍ଦ ହୋଇଛି। ସେନ୍ସେକ୍ସରେ ହୋଇଥିବା ବୃଦ୍ଧି ଗତ ଚାରି ବର୍ଷ ମଧ୍ୟରେ ଗୋଟିଏ ଦିନ ଘଟିଥିବା ସର୍ବୋଚ୍ଚ ବୃଦ୍ଧି। ସେନ୍ସେକ୍ସରେ ଘଟିଥିବା ବୃଦ୍ଧି ପ୍ରଭାବରେ ନିବେଶକମାନଙ୍କୁ ୧୩.୧ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍ ବଜାର ପୁଞ୍ଜି ପରିମାଣ ୪୨୯.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବୈଦେଶିକ ସଂସ୍ଥାଗତ ନିବେଶକମାନେ ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, ବଜାଜ୍ ଫାଇନାନ୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଲ୍ଆଣ୍ଡ୍ଟି, ଭାରତୀ, ଅଲ୍ଟ୍ରାଟେକ୍, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଓ ଆଇସର୍ ସେୟାରକୁ ପସନ୍ଦ କରିଥିଲେ। ଏହା ବ୍ୟତୀତ ନିବେଶକମାନେ ସୂଚନା ପ୍ରଯୁକ୍ତି ଓ ଡିଜିଟାଲ୍ କମ୍ପାନିଗୁଡ଼ିକର ଷ୍ଟକ୍ରେ ମଧ୍ୟ ନିବେଶ କରିଛନ୍ତି।
ଅସ୍ତ୍ରବିରତି ଘୋଷଣା କେବଳ ଭାରତ ନୁହେଁ, ପାକିସ୍ତାନ ଷ୍ଟକ୍ ବଜାରରେ ମଧ୍ୟ ଉତ୍ସାହ ଫେରାଇ ଆଣିଛି। କରାଚି ଷ୍ଟକ୍ ଏକ୍ସଚେଞ୍ଜର ସୂଚୀ କେଏସ୍ଇ-୧୦୦ ସୋମବାର ଗୋଟିଏ ଦିନରେ ୧୦,୧୧୨ ପଏଣ୍ଟ ବୃଦ୍ଧି ପାଇ ୧,୧୭,୨୮୭ ପଏଣ୍ଟରେ ବନ୍ଦ ହୋଇଛି। ପାକିସ୍ତାନରେ ଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଉପରେ ଭାରତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଏହି ସୂଚୀ ୧,୨୦,୦୦୦ ପଏଣ୍ଟ ଉପରେ ଥିଲା। ଉତ୍ତେଜନା ବଢ଼ିବା ସହିତ ସେଥିରେ ୧୩ ହଜାର ପଏଣ୍ଟ ହ୍ରାସ ଘଟିଥିଲା, ଯାହାର ପ୍ରଭାବରେ ସେଠାକାର ନିବେଶକମାନେ ପ୍ରାୟ ୮୨ ହଜାର କୋଟି ଟଙ୍କା ହରାଇଥିଲେ।