ଭୁବନେଶ୍ବର: ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆରମ୍ଭ ହୋଇଥିବା ତିନିଦିନିଆ ଗ୍ଲୋବାଲ୍ ବାୟୋ ଇଣ୍ଡିଆ-୨୦୨୪ରେ ଓଡ଼ିଶା ସରକାର ସ୍ବତନ୍ତ୍ର ଓଡ଼ିଶା ପାଭିଲିୟନ୍ ସ୍ଥାପନ କରିଛନ୍ତି। ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗ ସେଥିରେ ସାମିଲ ହୋଇ ରାଜ୍ୟର ଜୈବ ସମ୍ବଳ ଓ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ସମ୍ଭାବନା ପ୍ରଦର୍ଶନ କରିଛି। ଏହି ପାଭିଲିୟନକୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ରାଜ୍ୟର ବିଭିନ୍ନ ଟେକ୍ନୋଲୋଜି ଷ୍ଟାର୍ଟଅପ୍ ସେଥିରେ ଅଂଶଗ୍ରହଣ କରି ନିଜର ଜ୍ଞାନକୌଶଳ ଓ ଉତ୍ପାଦ ପ୍ରଦର୍ଶନ କରିଛନ୍ତି।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାରେ ବିପୁଳ ସମ୍ଭାବନା ରହିଛି। ଘଞ୍ଚ ଅରଣ୍ୟ, ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ହେନ୍ତାଳ ବଣ, ଚିଲିକା ହ୍ରଦ, ସୁଦୀର୍ଘ ବେଳାଭୂମି ଭଳି ପ୍ରାକୃତିକ ସମ୍ପଦ ରହିଛି। ଏହାକୁ ଆଧାରକରି ଆଗାମୀ ଦିନରେ ଓଡ଼ିଶାରେ କିପରି ବାୟୋଟେକ୍ନୋଲୋଜି ଶିଳ୍ପ ସ୍ଥାପନ ହୋଇପାରିବ ଏହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଆମେ ଦେଶ ବିଦେଶର ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରୁଛୁ ବୋଲି ସେ କହିଛନ୍ତି। ବିଭାଗୀୟ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ କହିଛନ୍ତି ଯେ ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ଓଡ଼ିଶାର ଷ୍ଟାର୍ଟଅପ ଗୁଡ଼ିକର ଅଭିନବ ଉତ୍ପାଦକୁ ପ୍ରୋତ୍ସାହନ ଦେବା ସହିତ ସେମାନଙ୍କୁ ନିବେଶକଙ୍କ ସହ ଯୋଡ଼ିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।
ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଏବଂ ବିଭିନ୍ନ ଷ୍ଟାର୍ଟଅପ୍କୁ ନେଇ ଓଡ଼ିଶା ସରକାରଙ୍କ ଏକ ଟିମ୍ ଭାଗ ନେଇଛନ୍ତି। ବାୟୋଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ଉଚ୍ଚଶିକ୍ଷା ଓ ଗବେଷଣା ଅନୁଷ୍ଠାନର ମୁଖ୍ୟ ଓ ଅଧ୍ୟାପକମାନେ ଓଡ଼ିଶା ପାଭିଲିୟନ ବୁଲି ଦେଖିଛନ୍ତି। ଆସନ୍ତାକାଲି ହେବାକୁ ଥିବା ‘ଷ୍ଟେଟ୍ ରାଉଣ୍ଡ ଟେବୁଲ୍’ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ଯୋଗଦେବେ। ୧୪ ତାରିଖରେ ଭାରତର ସାମୁଦ୍ରିକ ସମ୍ବଳକୁ ନେଇ ‘ବ୍ଲୁ ଇକୋନୋମି’ ଶୀର୍ଷକ ଅଧିବେଶନରେ ମନ୍ତ୍ରୀ ଶ୍ରୀ ପାତ୍ର ଯୋଗଦେବେ।